ରେକର୍ଡ ଭାଙ୍ଗିଲା ବାହୁଡ଼ା ଯାତ୍ରା, ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଲା ତିନି ରଥ, ଆସନ୍ତାକାଲି ଶ୍ରୀଜିଉମାନଙ୍କ ସୁନାବେଶ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ରବିବାର ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ୫୦ ବର୍ଷର ରେକର୍ଡ ଅତିକ୍ରମ କରିଛି। ସନ୍ଧ୍ୟା ୫ଟା ୩୫ ସୁଦ୍ଧା ଶ୍ରୀମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚି ସାରିଛି। ଅପରାହ୍ନ ୪ଟା ସୁଦ୍ଧା ଶ୍ରୀମନ୍ଦିର ସମ୍ମୁଖରେ ଶୀ ବଳଭଦ୍ରଙ୍କ ରଥ ‘ତାଳଧ୍ୱଜ’ ଓ ଦେବୀ ସୁଭଦ୍ରାଙ୍କ ରଥ ‘ଦର୍ପଦଳନ’ ପହଞ୍ଚିଥିଲା ବୋଲି ସଂସ୍କୃତି ଗବେଷକ ଓ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, ବଳଭଦ୍ରଙ୍କ ତାଳଧ୍ୱଜ ଅପରାହ୍ନ ୩ଟା ୩୦ରେ ଶ୍ରୀମନ୍ଦିର ସମ୍ମୁଖକୁ ପହଞ୍ଚିଥିବା ବେଳେ, ୨୦ ମିନିଟ ପରେ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚିଥିଲା।

ଭକ୍ତମାନେ କହୁଥିଲେ ଶ୍ରୀଜିଉମାନେ ଜନ୍ମଦେବୀରୁ ରତ୍ନବେଦୀକୁ ଫେରିବା ପାଇଁ ବ୍ୟାକୁଳ ହୋଇ ପଡ଼ିଥିବାରୁ ଏଭଳି ଦେଖାଯାଇଛି। ପୁରୀର ବରିଷ୍ଠ ଓ ବୁଦ୍ଧଜୀବୀଙ୍କ କହିବା ଅନୁସାରେ ୫୦ ବର୍ଷର ଇତିହାସରେ ଅପରାହ୍ନ ୪ଟା ପୂର୍ବରୁ ୨ଟି ରଥ ପହଞ୍ଚି ନଥିଲା।

ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ଅପରାହ୍ନ ୪ଟାରେ ରଥ ଟଣା ଯିବାର କାର୍ଯ୍ୟକ୍ରମ ଥିଲା। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଶ୍ରୀନହର ସମ୍ମୁଖକୁ ପହଞ୍ଚିବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଶ୍ରୀଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରୁ ସ୍ୱାଗତ କରି ଆଣିଥିଲେ। ଏଠାରେ ଶ୍ରୀମନ୍ଦିର ପରଂପରା ଅନୁସାରେ ଶ୍ରୀଲକ୍ଷ୍ମୀ-ନାରାୟଣ ଭେଟ ହୋଇଥିଲା। ଏହା ପରେ ନନ୍ଦିଘୋଷକୁ ସିଂହଦ୍ୱାର ଅଭିମୁଖେ ଭକ୍ତମାନେ ଆନନ୍ଦ ଉଲ୍ଲାସର ସହିତ ଟାଣିଥିଲେ।

ହରିଶୟନ ଏକାଦଶୀ ଉପଲକ୍ଷେ ସୋମବାର ଶ୍ରୀଜିଉମାନଙ୍କର ରଥ ଉପରେ ସୁନାବେଶ ଅନୁଷ୍ଠିତ ହେବ। ଏହି ବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତ ଅପେକ୍ଷା କରି ରହିଛନ୍ତି। ଶୃଙ୍ଖଳିତ ସୁନାବେଶ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି।

ଉଲ୍ଲେଖଯୋଗ୍ୟ ଶ୍ରୀଜିଉମାନେ ରଥଯାତ୍ରା ସମୟରେ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀମନ୍ଦିରରୁ ବାହାରି ଥିଲେ। ଚଳିତ ମାସ ଜୁଲାଇ ୧୪ରେ ହୋଇଥିବା ରଥଯାତ୍ରା ଦିନ ତାଳଧ୍ୱଜ ଓ ଦର୍ପଦଳନ ସନ୍ଧ୍ୟା ପୂର୍ବରୁ ଶରଧାବାଲିରେ ରଥ ପହଞ୍ଚି ଯାଇଥିଲା।

ସମ୍ବନ୍ଧିତ ଖବର