ଶ୍ରୀଜିଉଙ୍କ ରଥ ଅଂଶ ଆବଣ୍ଟନ ଆଭ୍ୟନ୍ତରୀଣ କମିଟି ବୈଠକ: ୩୦ଙ୍କୁ ଦାନରେ ମିଳିବ ରଥ ଅଂଶ

ଶ୍ରୀଜିଉଙ୍କ ରଥ ଅଂଶ ଆବଣ୍ଟନ ଆଭ୍ୟନ୍ତରୀଣ କମିଟି ବୈଠକ: ୩୦ଙ୍କୁ ଦାନରେ ମିଳିବ ରଥ ଅଂଶ

Photo: thestatesman.com

ପୁରୀ : ଶ୍ରୀଜିଉଙ୍କ ରଥ ଅଂଶ ଆବଣ୍ଟନ ଆଭ୍ୟନ୍ତରୀଣ କମିଟି ବୈଠକ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କମିଟିର ଏହି ଦ୍ବିତୀୟ ପର୍ଯ୍ୟାୟ ବୈଠକରେ ଶ୍ରୀଜିଉଙ୍କ ଚକ, ପ୍ରଭା ଆଦି ବିକ୍ରି ଉପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ଆବଣ୍ଟନ ହେବାକୁ ଥିବା ଚକ, ପ୍ରଭା ଆଦି ଅଂଶକୁ ଦାନସୂତ୍ରରେ ନେବାକୁ ୭୦ଜଣ ଆବେଦନକାରୀ ଥିବାବେଳେ ପ୍ରାୟ ୩୦ଜଣଙ୍କୁ ଏଥିରେ ଯୋଗ୍ୟ ବିବେଚିତ କରାଯାଇଛି। ବାକି ଆବେଦନକାରୀଙ୍କ ଆବେଦନପତ୍ରକୁ ପରବର୍ତ୍ତୀ ପର୍ଯ୍ୟାୟରେ ବିଚାର ପାଇଁ ରଖାଯାଇଛି। କେବଳ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଥିରେ ସହମତି ଦେବା ଆବଶ୍ୟକ ରହିଛି।

ଶ୍ରୀଜିଉଙ୍କ ଚକ, ପ୍ରଭା ସହ ଅନ୍ୟାନ୍ୟ ଅଂଶ ବିକ୍ରି ପାଇଁ ଧାର୍ଯ୍ୟ ଟଙ୍କା ଅଧିକ ଥିବାରୁ ଭକ୍ତମାନେ କେବଳ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକ ଓ ଅନ୍ୟାନ୍ୟ ଅଂଶ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଯେଉଁଥିପାଇଁ ଅନ୍ୟ ରଥର ଚକ ଓ ଅନ୍ୟାନ୍ୟ ଅଂଶ ଶ୍ରୀଗୁଣ୍ଡିଚା ମନ୍ଦିରରେ ବର୍ଷ ବର୍ଷ ଧରି ପଡ଼ି ରହି ନଷ୍ଟ ହୋଇଯିବାର ଦୃଶ୍ୟ ନଜରକୁ ଆସିଥିଲା। ଏହାକୁ ଦୃଷ୍ଟିରେ ରଖି ବର୍ଷକ ତଳେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିର, ଧାର୍ମିକ ଅନୁଷ୍ଠାନକୁ ଦାନସୂତ୍ରରେ ରଥ ଚକ ଓ ଅନ୍ୟାନ୍ୟ ଅଂଶ ଦେବାକୁ ନିଷ୍ପତ୍ତି ହୋଇଥିଲା। ରାଜ୍ୟ ଓ ରାଜ୍ୟ ବାହାରୁ ୭୦ଜଣ ଆବେଦନକାରୀ ରଥ ଚକ ଓ ଅନ୍ୟାନ୍ୟ ଅଂଶ ଦାନସୂତ୍ରରେ ନେବାକୁ ଆବେଦନ କରିଥିବାବେଳେ ଏଥିରୁ ୩୦ଜଣଙ୍କ ଆବେଦନକୁ କମିଟି ଯୋଗ୍ୟ ବିବେଚିତ କରିଛି। ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାରର ଶ୍ରୀଜଗନ୍ନାଥ ମନ୍ଦିରକୁ ପ୍ରାଥମିକତା ଦିଆଯାଇଛି। ୩୦ଜଣଙ୍କ ଭିତରେ ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିର ସହ ୧୫ଟି ଧାର୍ମିକ ଅନୁଷ୍ଠାନ ରହିଛି।

ବାକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନ ସରକାରୀ କାର୍ଯ୍ୟାଳୟ ରହିଛି। ଆଉ ୪୦ଟି ଆବେଦନ ବ୍ୟକ୍ତିଗତ ଓ ବେସରକାରୀ ଅନୁଷ୍ଠାନ ତରଫରୁ କରାଯାଇଥିବାରୁ ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ବିଚାର ପାଇଁ ରଖାଯାଇଛି। ଏସ୍‌ଓପି ଅନୁଯାୟୀ, ତୃତୀୟ ପର୍ଯ୍ୟାୟରେ କର୍ପୋରେଟ୍‌ ହାଉସ୍‌, ଚତୁର୍ଥ ପର୍ଯ୍ୟାୟରେ ବ୍ୟକ୍ତିଗତ ଭାବେ ଜନସାଧାରଣଙ୍କୁ ରଥ ଅଂଶ ଦେବାକୁ ନିଷ୍ପତ୍ତି ହୋଇଛି। ରଥ ଚକ ଓ ଏହାର ଅଂଶର ସଂରକ୍ଷଣ ପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଛି। ରଥ ଚକକୁ ଯେଭଳି ଧାର୍ମିକ ପରିବେଶ ଓ ସୁରକ୍ଷିତ ଭାବେ ରଖିବେ, ସେ ଉପରେ ସର୍ତ୍ତ ରଖାଯାଇଛି। ଦାନସୂତ୍ରରେ ଦିଆଯାଇଥିବା ଚକ ଅବା ଅନ୍ୟ ଅଂଶରେ ଶ୍ରୀମନ୍ଦିର ପ୍ରଶାସନ ନାମ ସହ ଯୋଗାଯୋଗ ନମ୍ବର, ଇମେଲ୍‌ ଆଇଡି ଆଦି ଉଲ୍ଲେଖ ରହିବ। ଯଦି କେହି ରଥ ଚକକୁ ସଂରକ୍ଷିତ ରଖିବାରେ ଅବହେଳା କରନ୍ତି ଅବା ଅପମାନ ଦେବା ଭଳି କିଛି କାର୍ଯ୍ୟ କରନ୍ତି, ଉଲ୍ଲେଖ ଥିବା ନମ୍ବରରେ ଯେ କେହି ଅଭିଯୋଗ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe