ବାୟୋ ବବଲ୍‌ ବଳୟରେ ରହିବ ରଥଖଳା

୮ ରଥ ନିର୍ମାଣ ସେବକ କରୋନା ସଂକ୍ରମିତ

ସଂକ୍ରମିତଙ୍କ ମଧ୍ୟରେ ୩ ମହାରଣା, ୫ ଭୋଇ ସେବକ
ସେବକଙ୍କୁ ମିଳିବ ଏନ-୯୫ ମାସ୍କ, ସାନିଟାଇଜର
ଚଳିତବର୍ଷର ରଥଯାତ୍ରା ଚ୍ୟାଲେଞ୍ଜ ହେବ: ମୁଖ୍ୟ ପ୍ରଶାସକ
ଜାତୀୟ ଗଣମାଧ୍ୟମର ରିପୋଟିଂ ନେଇ ଅସନ୍ତୋଷ

ପୁରୀ : ରଥ ନିର୍ମାଣରେ ନିୟୋଜିତ ୮ଜଣ ସେବକ ଆଜି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯେଉଁଥିରେ ୩ଜଣ ମହାରଣା ସେବକ ଓ ୫ଜଣ ଭୋଇ ସେବକ ରହିଛନ୍ତି। ରଥ ନିର୍ମାଣ ସେବକଙ୍କ ମହଲରେ ଏହା ଭୟର ବାତାବରଣ ସୃଷ୍ଟି କରିଥିବାବେଳେ ରଥଖଳାରେ ସଂକ୍ରମଣମୁକ୍ତ ପରିବେଶ ପାଇଁ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ସମ୍ପୂର୍ଣ୍ଣ ରଥଖଳାକୁ ବାୟୋ ବବଲ୍‌ ବଳୟରେ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। କେବଳ ରଥ ନିର୍ମାଣରେ ନିୟୋଜିତ ସେବକ ଓ ଅଧିକାରୀଙ୍କୁ ବାଦ୍‌ ଦେଲେ ଅନ୍ୟମାନଙ୍କ ପ୍ରବେଶ ନିଷେଧ କରାଯାଇଛି। ନିୟୋଜିତ ସେବକଙ୍କ ପାଇଁ ଏନ୍‌-୯୫ ମାସ୍କ ସହ ସାନିଟାଇଜର୍‌ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି।

ରଥ ନିର୍ମାଣ ପୂର୍ବରୁ ନିୟୋଜିତ ସେବକଙ୍କ କୋଭିଡ୍‌ ଟେଷ୍ଟ ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ ସମସ୍ତ ସେବକଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା। ଏଥିରୁ ନନ୍ଦିଘୋଷ ରଥର ଦୁଇ ଜଣ ଓ ଦର୍ପଦଳନ ରଥର ଜଣେ ସେବକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ୫ଜଣ ଭୋଇ ସେବକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ନୀଳାଚଳ ଯାତ୍ରୀ ନିବାସ କୋଭିଡ୍‌ କେୟାର୍‌ ସେଣ୍ଟର୍‌ରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଆଜି ରଥଖଳା ନିର୍ମାଣ କାର୍ଯ୍ୟ ଓ ସେବକ ସଂକ୍ରମଣ ସ୍ଥିତିର ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର। ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ତିନି ରଥର ମୁଖ୍ୟ ବିଶ୍ବକର୍ମା ଓ ଅନ୍ୟ ସେବକମାନେ ଉପସ୍ଥିତ ଥିଲେ। କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ସମସ୍ତଙ୍କୁ ଜଗିରଖି କାମ କରିବାକୁ ପରାମର୍ଶ ଦିଆଯାଇଥିଲା।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡ. କୁମାର କହିଛନ୍ତି କି ବର୍ତ୍ତମାନ ରଥଖଳାରେ ୮୮ଜଣ ସେବକ କାମ କରୁଛନ୍ତି। ଯେଉଁଥିରେ ୪୦ଜଣ ମହାରଣା, ୩୧ଜଣ ଭୋଇ, ୧୩ଜଣ ଓଝା ଓ ୪ଜଣ କରତି ସେବକ ରହିଛନ୍ତି। ଏ ଭିତରେ ତୁମ୍ବ କାମ ବି ଜୋରସୋରରେ ଆଗେଇ ଚାଲିଛି। ଆଗକୁ ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ ହେବ। ଏଥିପାଇଁ ଆମେ ପ୍ରସ୍ତୁତ ହେଉଛୁ। ଚଳିତବର୍ଷର ରଥଯାତ୍ରା ଆମ ପାଇଁ ସବୁଠୁ କଠିନ ପରିସ୍ଥିତି ଆଣି ଦେଇଛି। କରୋନା ମହାମାରୀର ସଂକ୍ରମଣ ଯେଉଁଭଳି ବଢ଼ିଚାଲିଛି, ସେ ଭିତରେ ମହାପ୍ରଭୁଙ୍କୁ ରଥଯାତ୍ରା କରିବା, ଶହ ଶହ ବର୍ଷର ପରମ୍ପରା ରକ୍ଷା କରିବା ଆମ ପାଇଁ ସବୁଠୁ ବଡ଼ ଆହ୍ବାନ। ଏଥିପାଇଁ ଯଥାସମ୍ଭବ ଉଦ୍ୟମ ଜାରି ରଖିଛୁ। ବାକି ସବୁ ମହାପ୍ରଭୁଙ୍କ ଇଚ୍ଛା। ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରରେ ସଂପାଦନ ପାଇଁ ନିର୍ଦ୍ଧିଷ୍ଟ ନିୟମାବଳୀ ପ୍ରସ୍ତୁତ ହୋଇଛି। ରଥଖଳାର ସମସ୍ତ ସେବକଙ୍କ କୋଭିଡ୍ ଟେଷ୍ଟ କରାଯାଉଛି। ଏବେ ଟେଷ୍ଟିଂ ପରେ ଶ୍ରୀଗୁଣ୍ଡିଚା ଭକ୍ତ ନିବାସରେ ସବୁ ସେବକଙ୍କୁ ରଖିବାକୁ ନିଷ୍ପତ୍ତି ନିଆଯାଇଛି। କୋଭିଡ୍‌ ରିପୋର୍ଟ ଆସିବାକୁ ପ୍ରାୟ ୪୦ ଘଣ୍ଟା ଲାଗି ଯାଉଥିବାରୁ ସେହି ସମୟ ପର୍ଯ୍ୟନ୍ତ ସେବକମାନେ ଶ୍ରୀଗୁଣ୍ଡିଚା ଭକ୍ତ ନିବାସରେ ରହିବେ। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଲା, ସେମାନେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବେ। ସଂକ୍ରମିତ ଆସିଲେ ନୀଳାଚଳ ଯାତ୍ରୀ ନିବାସ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି ହେବେ। ସେଠାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଖୁବଶୀଘ୍ର ରଥ ନିର୍ମାଣ ଓ ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବକଙ୍କ ପାଇଁ ଏନ୍‌-୯୫ ମାସ୍କ ସହ ସାନିଟାଇଜର କିଣାଯିବ। ରଥଖଳାରେ ବାୟୋ ବବଲ୍‌ ବଳୟ ସହ କଟକଣା ଭିତରେ ରଥ ନିର୍ମାଣ ହେବ। ଜିଲ୍ଲାପାଳ ଏହାର ବ୍ୟବସ୍ଥା କରିବେ। ସେପଟେ ପ୍ରତିଦିନ ଜିଲ୍ଲାପାଳ ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବେ। ଏହାର ବିସ୍ତୃତ ବିବରଣୀ ବି ପ୍ରତିଦିନ ଗଣମାଧ୍ୟମକୁ ଦେବେ ବୋଲି ଡ. କୁମାର କହିଛନ୍ତି। ରଥଯାତ୍ରା ଯେଭଳି ସୁରୁଖୁରରେ ଶେଷ ହେବା ଦିଗରେ ଗଣମାଧ୍ୟମର ସହଯୋଗ ଲୋଡ଼ିଛନ୍ତି ଡ. କୁମାର। ସେ କହିଛନ୍ତି ଯେ ରଥଯାତ୍ରା ଆମର ଶହଶହ ବର୍ଷର ପରମ୍ପରା। ରଥ ନିର୍ମାଣ ଓ ରଥ ଯାତ୍ରା ଶୃଙ୍ଖଳାର ସହ ଯେପରି ଶେଷ ହେବ, ସେଥିପାଇଁ ପ୍ରଶାସନ ତରଫରୁ ଉଦ୍ୟମ କରାଯାଉଛି। ମାତ୍ର କେତେକ ଜାତୀୟ ଗଣମାଧ୍ୟରେ ରଥ ନିର୍ମାଣ ଓ ରଥଯାତ୍ରାକୁ ନେଇ ଭୁଲ ରିପୋଟିଂ କରାଯାଉଛି। ଏହା ଆମକୁ ମହାପ୍ରଭୁଙ୍କ କାର୍ଯ୍ୟ କରିବାରେ ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ। ତେଣୁ ଜାତୀୟ ଗଣମାଧ୍ୟମଗୁଡ଼ିକ ଏଭଳି ଅତିରଞ୍ଜିତ ଖବର ପ୍ରସାରଣରୁ ଦୂରେଇ ରହିବାକୁ ଡ, କୁମାର ଅନୁରୋଧ କରିଛନ୍ତି।

ବାୟୋ ବବଲ୍‌ ବ୍ୟବସ୍ଥା କ’ଣ?
ପୁରୀ : କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରଖିବା ତଥା ସଂକ୍ରମଣମୁକ୍ତ ପରିବେଶ ପାଇଁ ବାୟୋ ବବଲ୍‌ ପନ୍ଥା ଆପଣା ଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନ ଜିଲ୍ଲା ପ୍ରଶାସନ ସହ ଯୋଗରେ ରଥଖଳାରେ ଏହି ବ୍ୟବସ୍ଥା ଆପଣାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ରଥଖଳାରେ ନିୟୋଜିତ ସେବକଙ୍କୁ ସଂକ୍ରମଣଠାରୁ ଦୂରେଇ ରଖିବା ପାଇଁ ଏହି ବ୍ୟବସ୍ଥା ଗ୍ରହଣ ଯାଇଛି। ଏହା ଏକ ସୁରକ୍ଷା ବଳୟ। ଯେଉଁମାନେ ରଥ ନିର୍ମାଣରେ ନିୟୋଜିତ ଅଛନ୍ତି, ସେମାନେ ବାହାର ଲୋକଙ୍କ ସଂସ୍ପର୍ଶରେ ଆସିବେନି। ସେମାନଙ୍କୁ ସ୍ବତନ୍ତ୍ର ଭାବେ ଅଲଗା ରଖାଯିବ। ଆଜିଠାରୁ ଏହି ବ୍ୟବସ୍ଥା ରଥଖଳାରେ ଲାଗୁ କରାଯାଇଛି। ସାମ୍ବାଦିକଙ୍କ ସହ ଜନସାଧାରଣଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ରଥଖଳା ଅଞ୍ଚଳ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି।

ସମ୍ବନ୍ଧିତ ଖବର