ଖତ ଖାଉଛି ରଥ ଚକ, ଅଧିକ ମୂଲ୍ୟ ଯୋଗୁ ବିକ୍ରି ହେଉନି

ପୁରୀ : ମହାପ୍ରଭୁଙ୍କ ରଥ ‌ବି ଭକ୍ତଙ୍କ ପାଇଁ ଦେବତା। ତେଣୁ ରଥ ଭଙ୍ଗା ହେବା ସମୟରେ କାଠ ଟୁକୁଡ଼ାଟିଏ ମିଳିଗଲେ ବି ଭକ୍ତମାନେ ଏହାକୁ ନେଇ ଘରେ ସାଇତି ରଖନ୍ତି। ଏଥିରେ ପରିବାରର ସମସ୍ତ ଦୁଃଖ ନାଶ ହୁଏ ବୋଲି ପ୍ରଗାଢ଼ ବିଶ୍ବାସ ରହିଛି। ତେବେ ଭକ୍ତ ଦେବତା ମଣୁଥିବା ଏହି ରଥ ଚକ ସବୁ ଏବେ ଖତ ଖାଉଛି। ଗୁଣ୍ଡିଚା ମନ୍ଦିର ପରିସରରେ ପାଚେରିକୁ ଡେରା ହୋଇ ରହିଥିବା ଶହଶହ ଚକ ଭାଙ୍ଗିରୁଜି ବିଛେଇ ହୋଇ ପଡ଼ିଛି। ଏହାକୁ ବିକ୍ରି କରିବାର ବିଧି ଥିଲେ ହେଁ, ଏଥିପାଇଁ ପରିଚାଳନା କମିଟି ପକ୍ଷରୁ ଧାର୍ଯ୍ୟ ଦର ଉଚ୍ଚା ରହୁଥିବାରୁ ଅଧିକାଂଶ ଚକ ବିକ୍ରି ହୋଇନପାରି ଦୀର୍ଘବର୍ଷ ହେଲା ପଡ଼ି ରହିଛି।

ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ମହାପ୍ରଭୁଙ୍କ ରଥର ଶହଶହ ଚକ ଖତ ଖାଉଥିଲେ ବି ଏଥିପ୍ରତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦୃଷ୍ଟି ଦେଉନାହିଁ। ଯଦି ଏସବୁ ବିକ୍ରି ହେଉନାହିଁ, ମହାପ୍ରଭୁଙ୍କ କୋଠ ଭୋଗ ପ୍ରସ୍ତୁତିରେ ଜାଳେଣି ଭାବେ କାହିଁକି ବ୍ୟବହାର କରାଯାଉନାହିଁ? ଯଦି ରଥର ଅନ୍ୟ ଅଂଶର କାଠଗୁଡ଼ିକୁ କୋଠଭୋଗ ପ୍ରସ୍ତୁତିରେ ଜାଳେଣି ଭାବେ ବ୍ୟବହାର କରାଯାଇପାରୁଛି ତେବେ ଖତ ଖାଇ ଯାଉଥିବା ରଥ ଚକଗୁଡ଼ିକୁ କାହିଁକି ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ଜାଳେଣି ଭାବେ ବ୍ୟବହାର ହୋଇପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଚକର ବିକ୍ରି ମୂଲ୍ୟ ପ୍ରାୟ ୨୫ ହଜାର ଟଙ୍କାରୁ ଆରମ୍ଭ ହୋଇ ୫୦ ହଜାର ଟଙ୍କା ମଧ୍ୟରେ ରହୁଥିବାରୁ ଏହାକୁ କିଣିନେବା ସମସ୍ତଙ୍କ ପକ୍ଷେ ସମ୍ଭବ ହୁଏନାହିଁ। ଫଳ‌େର ରଥଚକ ବିକ୍ରି ନହୋଇ ପଡ଼ିରହିଛି।

ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଏସବୁକୁ ଖୁବ୍‌ଶୀଘ୍ର ସୁରକ୍ଷିତ ଭାବେ ରଖାଯିବା ନେଇ ବ୍ୟବସ୍ଥା କରାଯାଉଛି।

ସମ୍ବନ୍ଧିତ ଖବର