ଦାନ ହେବ ରଥ ଚକ, ଦାନ ପାଇଁ ପର୍ଯ୍ୟାୟଭୁକ୍ତ ହେବେ ୪ ବର୍ଗ

ଧାର୍ମିକ ଅନୁଷ୍ଠାନକୁ ଦିଆଯିବ ପ୍ରାଥମିକତା

ପୁରୀ : ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ରଥ ଚକକୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ ସରକାରୀ କାର୍ଯ୍ୟାଳୟକୁ ଦାନସୂତ୍ରରେ ଦେବାକୁ ଯୋଜନା କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ୪ ବର୍ଗକୁ ପର୍ଯ୍ୟାୟଭୁକ୍ତ କରିବାକୁ ଯୋଜନା କରାଯାଇଛି। ରଥ ଚକ ଦାନ ପୂର୍ବରୁ ଧାର୍ମିକ ଅନୁଷ୍ଠାନକୁ ପ୍ରାଥମିକତା ଦେବାକୁ ଯୋଜନା ହୋଇଛି। ରଥ ଚକର ସଂରକ୍ଷଣକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ଏହାର ସ୍ଥାୟୀ ପ୍ରତିକାର ପାଇଁ ଏପରି ବ୍ୟବସ୍ଥା ଆପଣାଇବାକୁ ‌ଯାଉଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଛି। ପୂର୍ବତନ ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତ, ପ୍ରଶାସନିକ ଅଧିକାରୀଙ୍କ ସହ ଏ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଆଲୋଚନା ପରେ ଏହି ପ୍ରସ୍ତାବ ଦେଇଛନ୍ତି ପୂର୍ବତନ ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ, ପ୍ରଶାସନିକ ଅଧିକାରୀ। ଭବିଷ୍ୟତରେ ଗଠିତ ହେବାକୁ ଯାଉଥିବା ନୂଆ ପରିଚାଳନା କମିଟି ଅବା ସରକାରଙ୍କ ଚୂଡ଼ାନ୍ତ ମୋହର ପରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି।

ଶେଷ ଥର ପାଇଁ ୨୦୧୭ ମସିହାରେ ବସିଥିବା ପରିଚାଳନା କମିଟିରେ ରଥ ଚକ, ପ୍ରଭା, ଗୁଜ ଆଦିର ଦର ଧାର୍ଯ୍ୟ ହୋଇଥିଲା। ରଥର ପ୍ରତ୍ୟେକ ଚକ ଦାମ ୫୦ହଜାର ଟଙ୍କା, ପ୍ରଭା ୨୫ହଜାର ଟଙ୍କା ଓ ଗୁଜ ୧୦ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା। ଇଚ୍ଛୁକ ଭକ୍ତ ଅବା ଅନୁଷ୍ଠାନ ଏହି ଧାର୍ଯ୍ୟ ଦର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରି ଆବଶ୍ୟକ ରଥର ଅଂଶ ନେଉଥିଲେ। କିନ୍ତୁ ଏହି ଦର ବହୁତ ଅଧିକ ରହିଥିବାରୁ କିଛି ବର୍ଷ ହେବ ଭକ୍ତ ତଥା ଆଗ୍ରହୀ ଅନୁଷ୍ଠାନମାନେ ରଥ ଚକ ଅବା ଅନ୍ୟ ଅଂଶ କିଣିବାକୁ ଇଚ୍ଛା ଥିଲେ ବି ଉଚ୍ଚ ଦର ଯୋଗୁ କିଣି ପାରୁ ନାହାନ୍ତି। ଯେଉଁଥିପାଇଁ ବର୍ଷ ବର୍ଷ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ସଂରକ୍ଷିତ କରି ରଖାଯାଉଥିବା ରଥ ଚକ ଓ ଅନ୍ୟାନ୍ୟ ଅଂଶ ସବୁ ନଷ୍ଟ ହୋଇଗଲାଣି। ସେପଟେ ବର୍ଷ ବର୍ଷ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରତିବର୍ଷର ରଥ ଚକ ଓ ଅନ୍ୟାନ୍ୟ ଅଂଶ ପଡ଼ି ରହିବାରୁ ସ୍ଥାନାଭାବ ‌ବି ଦେଖାଗଲାଣି। ଏହି ଦୃଷ୍ଟିରୁ ରଥ ଚକ, ପ୍ରଭା, ଗୁଜ ଆଦି ଦାନସୂତ୍ରରେ ଦେବାକୁ ଯୋଜନା କରାଯାଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପୂର୍ବତନ ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ, ପ୍ରଶାସନିକ ଅଧିକାରୀଙ୍କ ପ୍ରସ୍ତାବ ଅନୁଯାୟୀ ବିଭିନ୍ନ ମଠ, ମନ୍ଦିର ଓ ଧାର୍ମିକ ଅନୁଷ୍ଠାନକୁ ପ୍ରଥମ ବର୍ଗରେ ରଖାଯିବ। ପ୍ରଥମ ପର୍ଯ୍ୟାୟରେ ଏମାନଙ୍କୁ ରଥ ଚକ ଓ ଅନ୍ୟାନ୍ୟ ଅଂଶ ଦାନରେ ଦିଆଯିବ। ଦ୍ବିତୀୟ ବର୍ଗରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏହି ବର୍ଗରେ ରହିବ। ବିଭିନ୍ନ କର୍ପୋରେଟ୍‌ ହାଉସ୍‌ ତୃତୀୟ ବର୍ଗରେ ରହିବ। ଚତୁର୍ଥ ବର୍ଗରେ ବ୍ୟକ୍ତିଗତ ‌ଭାବେ ନେବାକୁ ଚାହୁଁଥିବା ଲୋକେ ରହିବେ। ଏଥିପାଇଁ ଆବେଦନପତ୍ର ଗ୍ରହଣ କରାଯିବ। ଯେଉଁଥିପାଇଁ ନିର୍ଦ୍ଧିଷ୍ଟ ସମୟସୀମା ରହିବ। ଆବେଦନପତ୍ରକୁ ତର୍ଜମା କରିବା ପରେ ରଥ ଚକ ଓ ଅନ୍ୟାନ୍ୟ ଅଂଶ ଦାନସୂତ୍ରରେ ଦିଆଯିବ। କିନ୍ତୁ କର୍ପୋରେଟ୍‌ ହାଉସ୍‌ ଓ ବ୍ୟକ୍ତିଗତ ମାଲିକାନା ପାଇଁ ନିର୍ଦ୍ଧିଷ୍ଟ ଦେୟ ରଖିବାକୁ ଯୋଜନା କରାଯାଉଛି। ସେହିଭଳି ଦାନରେ ଦିଆଯାଇଥିବା ରଥ ଚକ ଓ ଏହାର ଅଂଶର ସଂରକ୍ଷଣ ପାଇଁ ନିର୍ଦ୍ଧିଷ୍ଟ ନିୟମାବଳୀ ରହିବ। କେମିତି ରଥ ଚକ ରହିବ, ସେ ଉପରେ ବିସ୍ତୃତ ସର୍ତ୍ତାବଳୀ ରହିବ। ଦାନରେ ଦିଆଯାଇଥିବା ଚକ ଅବା ଅନ୍ୟ ଅଂଶରେ ଶ୍ରୀମନ୍ଦିର ପ୍ରଶାସନ ନାମ ସହ ଯୋଗାଯୋଗ ନମ୍ବର ଓ ଇମେଲ୍‌ ଆଇଡି ଆଦି ଉଲ୍ଲେଖ ରହିବ। ଯଦି କେହି ରଥ ଚକକୁ ସଂରକ୍ଷିତ ରଖିବାରେ ଅବହେଳା କରନ୍ତି ଅବା ଅପମାନ ଦେବା ଭଳି କିଛି କାର୍ଯ୍ୟ କରନ୍ତି, ଉଲ୍ଲେଖ ଥିବା ନମ୍ବରରେ ଯେ କେହି ଅଭିଯୋଗ କରିପାରିବେ। ରଥ ଚକ ଅବା ଅନ୍ୟ ଅଂଶର ସଂରକ୍ଷଣ ପାଇଁ ନିର୍ଦ୍ଧିଷ୍ଟ ସମୟସୀମା ରହିବ। ଯଦି ସମୟସୀମା ଭିତରେ ଏହା ଦାନରେ ଦିଆଯାଇନି କି କେହି ନେଇନାହାଁନ୍ତି, ତେବେ ଏହାକୁ କୋଠଭୋଗ ରୋଷେଇରେ ଜାଳେଣି ଭାବେ ବ୍ୟବହାର କରାଯିବ ବୋଲି ପ୍ରସ୍ତାବ ଦିଆଯାଇଛି। ଆଜିର ଏହି ପ୍ରାଥମିକ ବୈଠକ ଏକପ୍ରକାର ସଫଳ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ପୁନର୍ବାର ବୈଠକ ଡକାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର