ରଥକାଠ ପବିତ୍ରତା ନଷ୍ଟ ହେଉଛି; ପଡ଼ୁଛି ଅଇଁଠା ପତ୍ର, ଶଙ୍ଖୁଡ଼ି ପାଣି

ବିକ୍ରି ହେଉଛି ଖଜା, ଗୁପଚୁପ, ଚଟପଟି ଖାଦ୍ୟ, ରଥ କାଠରେ ବସୁଛନ୍ତି ବୁଲା ବିକାଳି

ପୁରୀ : ବିଶ୍ବନିୟନ୍ତା ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଆସୁଥିବା ରଥକାଠର ମାହାତ୍ମ୍ୟ ଅନେକ। ଦାରୁ ଛେଦନ ବେଳେ ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି ହେଉଛି। ସ୍ଥାନୀୟ ଲୋକେ ଭଜନ କୀର୍ତ୍ତନ କରି ଦାରୁ ଛେଦନ ପ୍ରକିୟାରେ ସାମିଲ ହେଉଛନ୍ତି। ପୁରୀରେ ରଥକାଠ ପହଞ୍ଚିବା ପରେ ଯଦି କେହି ଭକ୍ତ ବାହାରୁ ଆସୁଛନ୍ତି, ଏହାକୁ ମୁଣ୍ଡିଆ ମାରି ମହାପ୍ରଭୁଙ୍କ ସ୍ପର୍ଶ ଅନୁଭବ କରୁଛନ୍ତି। କିନ୍ତୁ ବଡ଼ଦାଣ୍ଡରେ ଏହି ପବିତ୍ରତାକୁ ନଷ୍ଟଭ୍ରଷ୍ଟ କରାଯାଉଥିବା ଦେଖିବାକୁ ମିଳୁଛି।

ବଡ଼ଦାଣ୍ଡରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ବରେ ଶହ ଶହ ଅସନ, ଧଉରା, ଫାଶୀ ଆଦି କାଠ ଗଦା କରି ରଖାଯାଇଛି। କିନ୍ତୁ ‌ଦୁର୍ଭାଗ୍ୟର ବିଷୟ, ଏହା ଉପରେ ଏବେ ଦୋକାନୀଙ୍କ ପସରା ମେଲିଛି। ଗୁପଚୁପ ଦୋକାନୀମାନେ ରଥକାଠକୁ ଲାଗି ବେପାର କରୁଛନ୍ତି। ଏହିଠାରେ ଲୋକେ ଗୁପଚୁପ ଖାଉଛନ୍ତି, ଯାହାର ଅଇଁଠା ପାଣି ରଥକାଠ ଉପରେ ପଡ଼ୁଛି। ଅଇଁଠା ପତ୍ର ବି ଏହିଠାରେ ପଡ଼ୁଛି। ହାତଧୁଆ ପାଣି ବି ରଥକାଠ ଉପରେ ପଡ଼ୁଛି। ସେପଟେ ଖଜା ଦୋକାନୀମାନେ ବି ରଥକାଠ ଉପରେ ଖଜା ଓ ଗୁପ୍‌ଚୁପ୍‌ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଯେଉଁ ଲୋକେ ଖଜା କିଣିବାକୁ ଆସୁଛନ୍ତି, ସେମାନେ ଏହିଠାରେ ଖଜା ଖାଉଛନ୍ତି ଓ ରଥକାଠକୁ ଅଇଁଠା ହାତରେ ସ୍ପର୍ଶ କରୁଛନ୍ତି। ଯାହାକୁ ନେଇ ଭକ୍ତ, ସେବାୟତ ମହଲରେ ବିରୋଧ ଆରମ୍ଭ ହୋଇଛି।

ସେବାୟତଙ୍କ କହିବା କଥା, ରଥକାଠ ମହାପ୍ରଭୁଙ୍କ ରଥ ତିଆରି ପାଇଁ ଆସୁଛି। ପ୍ରଶାସନ ଏତେ ସବୁ ବ୍ୟବସ୍ଥା କରୁଛନ୍ତି, ଚାହିଁଲେ ରଥକାଠକୁ ବ୍ୟାରିକେଡ୍‌ ଭିତରେ ରଖିପାରନ୍ତେ। କିନ୍ତୁ ସେଭଳି କିଛି ପଦକ୍ଷେପ ନିଆଯାଉନି। ଯେଉଁଥିପାଇଁ ଆଜି ରଥକାଠର ପବିତ୍ରତା ନଷ୍ଟ ହେଉଛି।

ସମ୍ବନ୍ଧିତ ଖବର