ପୁରୀ:‌ ରଥ ନିର୍ମାଣ ପାଇଁ ବଡ଼ଦାଣ୍ଡରେ ପ୍ରଥମ ପର୍ଯ୍ୟାୟ ରଥ କାଠ ପହଞ୍ଚିବା ପରେ ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ବଡ଼ଦାଣ୍ଡ ରଥଖଳାରେ ରଥକାଠ ଅନୁକୂଳ କାର୍ଯ୍ୟ ସଂପନ୍ନ ହୋଇଛି। ରାଜନଅର ପକ୍ଷରୁ ‌ଦେବୀପ୍ରସାଦ ରାଜଗୁରୁଙ୍କ ସହ ଅନ୍ୟ ବ୍ରାହ୍ମଣମାନେ ଆଜି ଏହି ପୂଜାର୍ଚ୍ଚନା କାର୍ଯ୍ୟ ସଂପାଦନ କରିଛନ୍ତି। ତିନି ରଥ ପାଇଁ ତିନିଟି ୧୨ ଫୁଟିଆ ଧଉରା କାଠକୁ ରଥଖଳାରେ ପୂଜାର୍ଚ୍ଚନା କରାଯାଇଛି। ବ୍ରାହ୍ମଣମାନେ ବାଗ୍‌ଦେବୀ ମା’ ସରସ୍ବତୀଙ୍କୁ ଆବାହନ କରିବା ସହ ଚଳିତ ବର୍ଷର ରଥଯାତ୍ରା ନିର୍ବିଘ୍ନରେ ଶେଷ ପାଇଁ ପ୍ରାର୍ଥନା କରିଛନ୍ତି। ରଥ ସଂହିତା ଅନୁଯାୟୀ, ତିନି ରଥ ନିର୍ମାଣ ପାଇଁ ୪୨୬ ଖଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାଶି ଓ ୩ ଖଣ୍ଡ ଶିମିଳି କାଠ, ଏପରି ‌ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥାଏ। ଶ୍ରୀମନ୍ଦିରର ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ସୂଚନା ଅନୁସାରେ, ଗତବର୍ଷର ୫୩ ଖଣ୍ଡ କାଠ ବଳି ପଡ଼ିଥିଲା। ଏଣୁ ଚଳିତବର୍ଷ ରଥଯାତ୍ରା ପାଇଁ ୮୧୨ ଖଣ୍ଡ ରଥ କାଠ ଆସିବ। ଏହା ଭିତରେ ପ୍ରଥମ ପର୍ଯ୍ୟାୟରେ ୧୦୪ ଖଣ୍ଡ ଧଉରା ଓ ଅସନ କାଠ ନୟାଗଡ଼ରୁ ଆସି ସାରିଛି। ପର୍ଯ୍ୟାୟକ୍ରମେ ବାକି କାଠ ପହଞ୍ଚିବା ପରେ ପବିତ୍ର ରାମନବମୀରେ ରଥକାଠ ଚିରଟ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ।