ପୁରୀ: ଅତୀତରେ ବଡ଼ଦାଣ୍ଡ ବାଲିଶଯ୍ୟାରେ ପରିପୂର୍ଣ୍ଣ ଥିଲା। ରଥ ଟାଣିବା ସହଜ ନଥିଲା। ରଥ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ନେବାଲାଗି ବଳଶାଳୀ ବ୍ୟକ୍ତିଙ୍କୁ ନିୟୋଜିତ କରାଯାଉଥିଲା। ମାଟି ଓ ବାଲି ରାସ୍ତାରେ ରଥ ଟାଣିବା ବେଳେ ରଥ ଚକ ବାଲିରେ ମୋଡ଼ିହୋଇ ଅନେକ ସମୟରେ ଭାଙ୍ଗିଯାଉଥିଲା। ବାଲିରେ ଚକ ପୋତି ହୋଇଗଲେ ରଥ ଟାଣିବା ବହୁ କଷ୍ଟକର ହେଉଥିଲା। ଭକ୍ତମାନେ ରଥ ଟାଣୁଥିଲେ ମଧ୍ୟ ରଥକୁ ଠିକଣା ପଥରେ ନେଇପାରୁ ନଥିଲେ। ତେଣୁ ରଥ ଟାଣିବା ପାଇଁ ଅତୀତରେ କଳାବେଠିଆଙ୍କୁ ନିୟୋଜିତ କରାଯାଉଥିଲା। ବରକନ୍ଦାଜ ନାଲି ପତାକା ଦେଖାଇ ରଥ ଯେଉଁ ଦିଗରେ ଟାଣିବା ପାଇଁ ସଙ୍କେତ ଦେଉଥିଲେ, କଳାବେଠିଆମାନେ ସେଇ ଅନୁଯାୟୀ ରଥ ଟାଣୁଥିଲେ। ଏହି କଳାବେଠିଆମାନେ ପୁରୀର ବିଭିନ୍ନ ସ୍ଥାନରେ ରହୁଥିଲେ ହେଁ ରଥ ସମୟରେ ସେମାନେ ରଥଟଣାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲେ। ମାତ୍ର ଧୀରେଧୀରେ ଏହି ପରମ୍ପରା ବିଲୁପ୍ତ ହୋଇଗଲା। ପୁଲିସ ଓ ଭକ୍ତଙ୍କ ସହାୟତାରେ ଏବେ ରଥ ଟଣା ହେଉଛି।
ଏସିଆଟିକ୍ ରିସର୍ଚ୍ଚେସ୍ରେ ଲେଖାଯାଇଥିବା ତଥ୍ୟ ମୁତାବକ, ୪୨୦୦ ବେଠିଆ ରଥ ଟଣାରେ ନିୟୋଜିତ ହେଉଥିଲେ। ଅନ୍ୟ ଏକ ରେକର୍ଡ ମୁତାବକ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥରେ ୧ହଜାର, ଶ୍ରୀବଳଭଦ୍ରଙ୍କ ରଥରେ ୧୨୦୦ ଜଣ ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ୧୨୦୦ ବେଠିଆ ରଥ ଟଣା ପାଇଁ ନିୟୋଜିତ ହେଉଥିଲେ। ୧୯୦୨ ମସିହାର ରେକର୍ଡ ଅନୁଯାୟୀ, ତତ୍କାଳୀନ ରାଜାଙ୍କ ପକ୍ଷରୁ ୫ଶହ ବେଠିଆ ଦୈନିକ ୩ଟଙ୍କା ଲେଖାଏଁ ଖୋରାକି ନେଇ ରଥଟଣା କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ। ବେଠିଆ ଶବ୍ଦର ଅର୍ଥ କୁଲି ବୋଲି ଇଂରାଜୀରେ ଉଲ୍ଲେଖ କରାଯାଇଛି। ସମ୍ଭବତଃ ସେମାନଙ୍କର ଦେହର ରଙ୍ଗ ଦୃଷ୍ଟିରୁ ସେପରି ନାମକରଣ କରାଯାଇଥିବା ଅନୁମାନ କରାଯାଏ ବୋଲି ଗବେଷକମାନେ କହିଛନ୍ତି।
ଗବେଷକ ଡ. ସିଦ୍ଧେଶ୍ବର ମହାପାତ୍ରଙ୍କ ସୂଚନା ମୁତାବକ, କଳାବେଠିଆମାନେ ରଥଟଣାରେ ପ୍ରମୁଖ ଭୂମିକା ତୁଲାଉଥିଲେ। ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ପରମାନନ୍ଦ ତ୍ରିପାଠୀ ସମଗରା ଭୋଇମୂଳ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକଙ୍କ ନିକଟକୁ ୧୯୭୦ ମସିହା ଜୁଳାଇ ୮ ତାରିଖରେ ପଠାଇଥିବା ଚିଠିରେ ମଧ୍ୟ କଳାବେଠିଆଙ୍କ ସମ୍ପର୍କରେ ତଥ୍ୟ ରହିଛି।ଏହି ଚିଠିରେ ଉଲ୍ଲେଖ ଥିଲା,‘ଆପଣ ଦସ୍ତୁର ମତେ ୩ଶହ ଜଣ ବେଠିଆ ଦିନ ୧୨ଟା ସମୟକୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଉପସ୍ଥିତ କରାଇବା ପରେ ସେମାନଙ୍କୁ ଦକ୍ଷିଣ ମୋଡ଼ କାର୍ଯ୍ୟରେ ନିୟୋଜିତ କରାଯିବ’। ତେଣୁ ସତୁରି ଓ ଅଶି ଦଶକରେ ମଧ୍ୟ କଳା ବେଠିଆମାନେ ରଥଟଣାରେ ନିୟୋଜିତ ହେଉଥିଲେ। ଏକଦା ଛେରାପହଁରା ପରେ କଳାବେଠିଆମାନେ ବହୁ ସଂଖ୍ୟାରେ ଗଛର ଡାଙ୍ଗ ଧରି ନାଚିନାଚି ରଥଯାତ୍ରା ସ୍ଥଳରେ ପହଞ୍ଚି ଡାଙ୍ଗକୁ ଛୁଆଁଇ ଚାରମାଳ ଖୋଲିବାରେ ଲାଗିଯାଉଥିଲେ। ତେବେ କାଳକ୍ରମେ କଳାବେଠିଆଙ୍କ ବଦଳରେ ପୁଲିସମାନେ ରଥ ଟଣାରେ ନିୟୋଜିତ ହେବାରୁ କଳାବେଠିଆ ସେବା ବିଲୁପ୍ତ ହୋଇଗଲା।