ଚାର୍ଟର ବିମାନ ଭଡ଼ା ଠକେଇ ମାମଲା, ୪ ଦିନିଆ ରିମାଣ୍ଡ‌ରେ ଆକାଶ

ଭୁବନେଶ୍ବର: ଚାର୍ଟର୍‌ ବିମାନ ଭଡ଼ା ଠକେଇ ନେଇ ଟ୍ରାଭେଲ୍ସ ସଂସ୍ଥା ସ୍କାଏ-କିଙ୍ଗ ପକ୍ଷରୁ ହୋଇଥିବା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆକାଶ ପାଠକକୁ ଆଜି ୪ ଦିନିଆ ରିମାଣ୍ଡରେ ନେଇଛି ଖାରବେଳନଗର ଥାନା ପୁଲିସ। ଆଜି ମଧ୍ୟାହ୍ନରେ ପୁଲିସ୍‌ର ଏକ ଟିମ୍ ଝାରପଡ଼ା ଜେଲରୁ ଆକାଶକୁ ନେଇ ଜେରା ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ଆକାଶ ନିଜକୁ ଟାଟା ମୋଟର୍ସ ଏମ୍‌ଡି ପରିଚୟ ଦେଇ ସ୍କାଏ କିଙ୍ଗ ଟ୍ରାଭେଲ୍ସ ଏଜେନ୍ସିରୁ ଚାର୍ଟର୍‌ ବିମାନ ବୁକିଂ କରୁଥିଲା। ବିମାନ ଭଡ଼ା ପ୍ରାୟ ୨ କୋଟି ୭୮ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ବେଳେ ୨ କୋଟି ୧୩ ଲକ୍ଷରୁ ଅଧିକ ଟଙ୍କା ଦିଆଯାଇଥିଲା। ବାକି ୬୫ ଲକ୍ଷ ଟଙ୍କା ଦେଉ ନଥିଲା। ଟଙ୍କା ମାଗିଲେ ନିଜକୁ ଏମ୍‌ଡି ଦର୍ଶାଇ ବିଭିନ୍ନ ସମୟରେ ଧମକଚମକ ଦେଉଥିଲା। ଗତ ୧ ତାରିଖରେ ସ୍କାଏ କିଙ୍ଗ୍ କର୍ତ୍ତୃପକ୍ଷ ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରିଥିଲା ପୁଲିସ୍‌।

ଠକେଇ ମାମଲାରେ ଅଧିକ ପ୍ରମାଣ ସଂଗ୍ରହ କରିବା ଲାଗି ଆକାଶର ହସ୍ତାକ୍ଷର ସଂଗ୍ରହ କରାଯିବ। ନିଯୁକ୍ତି ପତ୍ରରେ ଥିବା ହସ୍ତାକ୍ଷର ସହ ମେଳ କରିବା ପାଇଁ ରାଜ୍ୟ ଫରେନସିକ୍ ଲାବରେଟୋରିକୁ ପଠାଯିବ ବୋଲି ଜଣାପଡ଼ିଛି। ତେବେ ଆକାଶ ଟାଟା ମୋଟର୍ସର କର୍ମଚାରୀ କି ନୁହେଁ, ତାହା ଜାଣିବା ଲାଗି ଗତ ୪ ତାରିଖରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଟାଟାକୁ ଚିଠି ଲେଖା ଯାଇଥିଲା। ଆକାଶ କେବେ ମଧ୍ୟ ଆମର କର୍ମଚାରୀ ନ ଥିଲେ ବୋଲି ଟାଟା କମ୍ପାନି ପକ୍ଷରୁ ଉତ୍ତର ଦିଆଯାଇଥିଲା।

ସମ୍ବନ୍ଧିତ ଖବର