‘କାଳିଆ’କୁ କେହି ଅଟକାଇ ପାରିବେ ନାହିଁ: ମୁଖ୍ୟମନ୍ତ୍ରୀ

ବରଗଡ଼ରେ ବିଶାଳ କୃଷକ ସମାବେଶ

ସୋହେଲା : ବରଗଡ଼ ଜିଲ୍ଲା ସୋହେଲା ନିକଟସ୍ଥ ଇଚ୍ଛାପାଲିରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବିଶାଳ କୃଷକ ସମ‌ାବେଶରେ ଯୋଗ ଦେବା ସହ କାଳିଆ ଯୋଜନାକୁ କେହି ଅଟକାଇ ପାରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ସଭାମଞ୍ଚରୁ ସୁଇଚ୍‌ ଚିପି ସେ ଏହି ଯୋଜନାର ଦ୍ବିତୀୟ ପର୍ଯ୍ୟାୟରେ ୧୪ ଲକ୍ଷ ଚାଷୀଙ୍କୁ ୭ଶହ କୋଟି ଟଙ୍କା ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଏଥିସହ ବରଗଡ଼ରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି। ୪୫୫ କୋଟି ବ୍ୟୟରେ ନିର୍ମିତ ବିଜୁ ଏକ୍ସପ୍ରେସ ୱେର ବରଗଡ଼ ନୂଆପଡ଼ା ରାସ୍ତାକୁ ଲୋକାର୍ପଣ କରିଛନ୍ତି। ହଳଧର ନାଗ ସମ୍ବଲପୁରୀ/କୋଶଲି ଭାଷା ଗବେଷଣା କେନ୍ଦ୍ରର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଏଥିଲାଗି ୨୫ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ଜିଲ୍ଲାରେ ଜଳସେଚନର ସୁବିଧା ପାଇଁ ୧୩୪୦ କୋଟି ୫୫ ଲକ୍ଷର ଗଙ୍ଗାଧର ମେହେର ମେଗା ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କୃଷକ, ମହିଳା ଓ ଯୁବକମାନେ ସମାଜର ମୁଖ୍ୟ ଅଙ୍ଗ ଓ ଏମାନଙ୍କ ସଶକ୍ତୀକରଣ ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ। କିଛି ଲୋକ ଆଜି ବନ୍ଦ ପାଳନ କରିଛନ୍ତି, କିନ୍ତୁ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ ବୋଲି କହି ସେ ବିରୋଧୀମାନଙ୍କୁ କଟାକ୍ଷ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ଦିନ ୧୧ଟା ୩୫ରେ ସଭାସ୍ଥଳକୁ ପହଂଚିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ହେଲିପ୍ୟାଡରେ ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ମନ୍ତ୍ରୀ ପ୍ରଫୁଲ୍ଲ ମଲିକ, ସାଂସଦ ପ୍ରଭାସ ସିଂ, ପ୍ରସନ୍ନ ଆଚାର୍ଯ୍ୟ, ବାଚସ୍ପତି ପ୍ରଦୀପ ଅମାତ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରୀତା ସାହୁ, ସମ୍ବଲପୁର ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ, ବିଧାୟକ ନିରଞ୍ଜନ ପୂଝାରୀ, ପୁଷ୍ପେନ୍ଦ୍ର ସିଂହଦେଓ, ଯୋଗେନ୍ଦ୍ର ବେହେରା, ଟୁକୁନି ସାହୁ , ବିଜେଡି ଜିଲା ସଭାପତି ବିଜୟ ରଂଜନ ସିଂ ବରିହା ପ୍ରମୁଖ ତଥା ପଶ୍ଚିମ ଓଡିଶାର ବହୁ ନେତା ସ୍ୱାଗତ କରିଥିଲେ। ତେବେ ସଭାମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ କୌଣସି ନେତାଙ୍କୁ ଆସନ ଦିଆଯାଇ ନଥିଲା। ପଦ୍ମଶ୍ରୀ ହଳଧର ନାଗଙ୍କ ସମେତ ପଶ୍ଚିମ ଓଡ଼ିଶାର ୬ ଜଣ ବିଶିଷ୍ଟ କବି ଓ ଏହି ଅଞ୍ଚଳର କିଛି ଚାଷୀ ଓ ମହିଳା ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ବସିଥିଲେ। ଆଜି ରାଜ୍ୟରେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ବନ୍ଦ ପାଳନ କରାଯାଇଥିବା ସତ୍ୱେ ଏହି ଚାଷୀ ମହା ସମାବେଶରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା।

ମୁଖ୍ୟମନ୍ତ୍ରୀ ତାଙ୍କ ୫ ମିନିଟର ଭାଷଣ ‘ଆପଣ ମାନଙ୍କୁ ଜୁହାର’ରୁ ଆରମ୍ଭ କରି ‘ଜୟ ଜଗନ୍ନାଥ’ରେ ଶେଷ କରିଥିଲେ। ପ୍ରଥମରୁ କହିଥିଲେ ଆଜି କାଳିଆ ଯୋଜନାରେ ୧୪ ଲକ୍ଷ ଚାଷୀଙ୍କୁ ୭୦୦ କୋଟି ଟଙ୍କା ମିଳିବ। ଆପଣମାନେ ଖୁସି ତ? ମୁଁ ବି ଖୁସି। ଏଥିସହ ହଳଧର ନାଗ ଭାଷା ଗବେଷଣା ‌କେନ୍ଦ୍ର ପାଇଁ ୨୫ ଲକ୍ଷ ଟଙ୍କା ଘୋଷଣା କରିବା ସହ ବିଜୁ ଏକ୍ସପ୍ରେସ ୱେ ଲୋକାର୍ପଣ ଓ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ବିଷୟ ଘୋଷଣା କରିଥିଲେ। ବରଗଡ଼ରେ କ୍ୟାନସର ହସ୍ପିଟାଲ ହେବା କଥା ମଧ୍ୟ ଘୋଷଣା କରିଥିଲେ। ବରପାଲି, ବରଗଡ଼, ଅମ୍ବାଭୋନା, ପଦ୍ମପୁର, ବିଜେପୁର, ଅତାବିରା ଆଦି ବ୍ଲକର ବିଭିନ୍ନ ପ୍ରକଳ୍ପ ସମେତ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଇଁ ମୋଟ ୨୦୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶିଲାନ୍ୟାସ ତଥା ଲୋକାର୍ପଣ କରିଥିଲେ।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଆପଣମାନେ କାଳିଆ ଯୋଜନା ସଂପର୍କରେ ଜାଣିଛନ୍ତି। ଏହି ଯୋଜନା ସାରା ଦେଶର ଚାଷୀଙ୍କୁ ବାଟ ଦେଖାଇଛି। କେନ୍ଦ୍ର ସରକାରଙ୍କ ‘କିଷାନ ଯୋଜନା’ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏଥିରେ ଛୋଟ ଚାଷୀ, ଭାଗଚାଷୀ ଓ ଭୂମିହୀନଙ୍କ ପାଇଁ କିଛି ସୁବିଧା ନାହିଁ। ଏଥିପାଇଁ ମୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛି। ୬ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ଦେଇ ସେମାନଙ୍କ ହକ୍ ଦିଆଯାଉ ବୋଲି କହିଛି। ଆପଣ ମାନେ ଜାଣନ୍ତି ଓଡ଼ିଶା ସରକାର ଚାଷୀମାନଙ୍କୁ ବିନା ସୁଧରେ ୫୦ ହଜାର ଟଙ୍କାର ଋଣ ଦେଉଛି। ମିଶନ୍ ଶକ୍ତି ମହିଳାଙ୍କୁ ବି ବିନା ସୁଧରେ ଋଣ ଦିଆଯାଉଛି। କୃଷକ ଓ ମହିଳାଙ୍କ ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ।

ଏ ଅବସରରେ କାଳିଆ ଛାତ୍ର ବୃତ୍ତି ଯୋଜନା କଥା ବି କହିଥିଲେ। ଏହାର ଲାଭ ନେଇ ପିଲାଙ୍କୁ ଭଲ ପାଠ ପଢ଼ାନ୍ତୁ, ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ କରନ୍ତୁ, ଏଥିପାଇଁ ସରକାର ପଇସା ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମଂଚାସୀନ ଥିବା ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କ ସମେତ ନିତିଶଚନ୍ଦ୍ର ଆଚାର୍ଯ୍ୟ, ସୁନ୍ଦରଗଡ଼ ଜିଲାରୁ ଦୁର୍ଗାମାଧବ ପଣ୍ଡା, ବଲାଙ୍ଗୀର ଜିଲ୍ଲାରୁ ଅଚ୍ୟୁତ ପୁରୋହିତ, ସମ୍ବଲପୁରରୁ ଗୁଣରଂଜନ ସାଲିମା ଓ ବରଗଡ଼ ଜିଲ୍ଲାରୁ ନିତିଶଚନ୍ଦ୍ର ଆଚାର୍ଯ୍ୟ ଓ ଦେବେନ୍ଦ୍ର ସାହୁଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ ଉପଢୌକନ ଓ ମାନପତ୍ର ଦେଇ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

ମଞ୍ଚାସୀନ ଚାଷୀଙ୍କ ମଧ୍ୟରୁ ସୋହେଲାର ଯୁଗଳ କିଶୋର ପଧାନ ଓ ବଲାଙ୍ଗୀରର ମହିଳା ଚାଷୀ ଲକ୍ଷ୍ମୀପ୍ରିୟା ସାହୁ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କୁନା ତ୍ରିପାଠୀ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର