ବଲାଙ୍ଗୀର: ବଲାଙ୍ଗୀର ଏବେ ଅପରାଧୀଙ୍କ ସହର ପାଲଟିଛି। ଅପରାଧୀମାନେ ପୁଲିସ ବ୍ୟବସ୍ଥାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ପ୍ରତିଦିନ ଛୋଟବଡ଼ ଅପରାଧ ଘଟାଇ ଚାଲିଛନ୍ତି। ରବିବାର ଅପରାହ୍ଣରେ ସ୍ଥାନୀୟ ରେଡିଓ ଷ୍ଟେସନ ନିକଟରେ ୨ଜଣ ଯୁବକଙ୍କୁ ୭-୮ ଜଣ ଦୁର୍ବୃତ୍ତ ମୁଖା ଲଗାଇ ବିଚ୍ ରାସ୍ତାରେ ଗୋଡ଼ାଇଗୋଡ଼ାଇ ହାଣିଥିଲେ। ଏଥିରେ ଆହତ ହୋଇଥିବା ଦୁଇ ଜଣଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସ୍ଥାନୀୟ ଶାସ୍ତ୍ରୀନଗରପଡ଼ାର ରାଜା ଭାଟି ଟିଟିଲାଗଡ଼ ରୋଡ୍ସ୍ଥିତ ରେଡିଓ ଷ୍ଟେସନ ପାଖରେ ତାଙ୍କ ସାଙ୍ଗ ସହ ଚା ପିଉଥିଲେ। ଏତିକି ବେଳେ ବାଇକ୍ରେ ୭-୮ ଜଣ ଦୁର୍ବୃତ୍ତ ମୁହଁରେ କଳାକନା ବାନ୍ଧି ରାଜା ଭାଟି ନାମକ ଯୁବକ ଜଣକ କିଏ ବୋଲି ପଚାରିଥିଲେ। ରାଜା ଏହାର ଉତ୍ତର ଦେବାରୁ ସେମାନେ ଲୁହା ଛଡ଼ ଓ ଖଣ୍ଡାରେ ରାଜାଙ୍କ ଉପରକୁ ଆକ୍ରମଣ କରିଥିଲେ। ରାଜାଙ୍କ ପାଖରେ ଛିଡ଼ା ହୋଇଥିବା ସାଙ୍ଗ ଗୁପ୍ତେଶ୍ୱରନଗରର ସୌମ୍ୟ ରଞ୍ଜନ ଯାଦବ ବଞ୍ଚାଇବା ପାଇଁ ପ୍ରୟାସ କରିବାରୁ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ହାଣି ପକାଇଥିଲେ। ରାଜା ଓ ସୌମ୍ୟଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ମାରିଥିବା ପ୍ରତ୍ୟକ୍ଷଦର୍ଶୀ ପୁଲିସ୍କୁ ସୂଚନା ଦେଇଛନ୍ତି। ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାଜା ଓ ତାଙ୍କ ସାଙ୍ଗଙ୍କୁ ଡାକ୍ତରଖାନା ନେଇଥିଲେ। ତେବେ କିଏ ଓ କେଉଁ କାରଣରୁ ଏଭଳି କାଣ୍ଡ ଘଟାଇଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଅନ୍ୟପଟେ ପୁଲିସ୍ ଘଟଣାର ଛାନ୍ଭିନ ଜାରି ରଖିଥିବା ଆଇଆଇସି ବିଶ୍ବଜିତ ମନବୋଧ କହିଛନ୍ତି।