ଅଜଣା ଯୁବତୀଙ୍କ ସହ ଚାଟ୍‌: ଠକେଇରୁ ବର୍ତ୍ତିଲେ ଯୁବକ

ଭୁବନେଶ୍ୱର : ଅଜଣା ଯୁବତୀଙ୍କ ସହ ସୋସିଆଲ ମିଡିଆରେ ଚାଟ୍‌ କରୁଛନ୍ତି କି! ତେବେ ସତର୍କ ହୋଇଯାଆନ୍ତୁ। କୋଟିଏ ଟଙ୍କାର ଲୋଭ ଦେଖାଇ ଲକ୍ଷ ଲକ୍ଷ ଠକି ନେବାକୁ ଜାଲ ବିଛାଇଛନ୍ତି ଅନ୍‌ଲାଇନ୍‌ ଠକ। ତେବେ ଏକ ନିଶ୍ଚିତ ଠକେଇରୁ ଜଣେ ଯୁବକ ବର୍ତ୍ତିବା ପରେ ଏପରି ଘଟଣା ଲୋକଲୋଚନକୁ ଆସିଛି।

ଯୁବକ ଜଣକ ହେଉଛନ୍ତି ଅରୁଣ କୁମାର। ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟକୁ ଲଣ୍ଡନର ମାରିଆ ନାମକ ଜଣେ ଯୁବତୀଙ୍କଠାରୁ ଏକ ଫ୍ରେଣ୍ଡ ରିକ୍ବେଷ୍ଟ ଆସିଥିଲା। କିଛି ଦିନ ବେଶ୍‌ ଭଲରେ କଥାବାର୍ତ୍ତା ଚାଲିଥିଲା। ପରେ ଉଭୟ ମୋବାଇଲ ନମ୍ବର ଆଦାନ ପ୍ରଦାନ କରିଥିଲେ ଓ ହ୍ବାଟ୍‌ସ୍‌ ଆପ୍‌ରେ ଚାଟିଂ ଚାଲିଥିଲା। ଏଥିରେ ଯୁବତୀ ଜଣକ ଭାରତ ଆସୁଥିବା ନେଇ ସୂଚନା ଦେଇଥିଲେ। ଆସିବା ପରେ ଭେଟିବା ପାଇଁ ମଧ୍ୟ କଥା ଦେଇଥିଲେ। ପ୍ରାୟ ୪ ଦିନ ପରେ ଯୁବକଙ୍କ ପାଖକୁ ଫୋନ୍‌ ଆସିଥିଲା, ‘ତୁମର ବନ୍ଧୁ ମାରିଆ ଲଣ୍ଡନରୁ ଆସିବା ବେଳେ ଦିଲ୍ଲୀ ଏୟାରପୋର୍ଟରେ ଧରା ପଡ଼ିଛନ୍ତି। ତାଙ୍କ ପାଖରୁ ୩ ଲକ୍ଷ ବ୍ରିଟିଶ ପାଉଣ୍ଡ (୨ କୋଟି ୭୩ ଲକ୍ଷ ୪୫ ହଜାର ଭାରତୀୟ ମୁଦ୍ରା) ଧରାଯାଇଛି। ଏହି ଅର୍ଥ ରିଲିଜ୍‌ କରିବା ପାଇଁ ୯୦ ହଜାର ୫୦୦ ଟଙ୍କା ଏୟାରପୋର୍ଟ ଟାକ୍ସ ଦେବାକୁ ପଡ଼ିବ। ନ ହେଲେ ଏହି ଅର୍ଥ ଜବତ କରାଯିବ।’ ପରେ କଷ୍ଟମ ଅଫିସରଙ୍କର ଏହି ଫୋନ୍‌କୁ ମାରିଆ ଧରିଥିଲେ। ଏହି ଅର୍ଥ ତୁରନ୍ତ ଜମା କରିବାକୁ କାକୁତି ମିନତି ହୋଇଥିଲେ। ମୁଁ ଓଡ଼ିଶା ପହଞ୍ଚିବା ପରେ ଏହି ଅର୍ଥର ସୁଧମୂଳ ପ୍ରଦାନ କରିଦେବି ବୋଲି ପ୍ରତିଶ୍ରୁତି ଦେଇଥିଲେ। ଦିଲ୍ଲୀ ଆସି ପ୍ରଦାନ କରିବାକୁ ସହଜ ନଥିବାରୁ ମାରିଆ ବ୍ୟାଙ୍କ୍‌ ଆକାଉଣ୍ଟ ନମ୍ବର ସହ ବ୍ୟାଙ୍କ୍‌ର ବିବରଣୀ ପ୍ରଦାନ କରିଥିଲେ। ଯେଉଁଥିରେ ଏହି ଅର୍ଥ ଜମା କରିବା ପାଇଁ କହିଥିଲେ। ତେବେ ସେତେବେଳେ ବ୍ୟାଙ୍କ୍‌ ବନ୍ଦ ହୋଇଯାଇଥିଲା। ଅନ୍‌ଲାଇନ୍‌ରେ ବ୍ୟାଙ୍କ୍‌ କାରବାର କରିପାରୁ ନଥିବାରୁ ଟଙ୍କା ଆଜି ଜମା ହୋଇ ପାରିବ ନାହିଁ ବୋଲି ଅରୁଣ କହିଥିଲେ। ଆସନ୍ତାକାଲି ଜମା କରିବେ କହି ଅରୁଣ ଆଉ ଉତ୍ତର ଦେଇ ନଥିଲେ। ହ୍ବାଟ୍‌ସ୍‌ଆପ୍‌ ଜରିଆରେ ମାରିଆ ବାରମ୍ବାର ଟଙ୍କା ଜମା କରିବା ପାଇଁ ଚାପ ପ୍ରୟୋଗ କରୁଥିଲେ। ତେବେ ପରଦିନ ଖବର କାଗଜରେ ସାଇବର ଥାନା ଦୁଇଜଣ ବିଦେଶୀ ଠକଙ୍କୁ ଦିଲ୍ଲୀରୁ ଗିରଫ କରିଥିବା ଖବର ତାଙ୍କ ନଜରକୁ ଆସିଥିଲା। ବାରିପଦାର ଜଣେ ଠିକାଦାରଙ୍କୁ ଅନୁରୂପ ଢଙ୍ଗରେ ଏହି ଠକମାନେ ଠକିଥିଲେ। ଓଡ଼ିଶାରେ ବେପାର କରିବା ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରିବାକୁ ଚାହୁଥିବା ଠିକାଦାରଙ୍କୁ କହିଥିଲେ। କୋଟି କୋଟି ଟଙ୍କା ନେଇ ଆସିବା ବେଳେ କଷ୍ଟମ୍‌ ଅଫିସର ଧରିଥିଲେ। ଡ୍ୟୁଟି ବାବଦକୁ ଲକ୍ଷାଧିକ ଟଙ୍କା ଠିକାଦାର ଅନ୍‌ଲାଇନ୍‌ରେ ପ୍ରଦାନ କରିଥିଲେ। ଏଭଳି ଘଟଣା ପଢ଼ିବା ପରେ ସେ ମାରିଆଙ୍କୁ ବ୍ଲକ କରିଦେବା ସହ ଅନ୍ ଫ୍ରେଣ୍ଡ କରି ଦେଇଥିଲେ। ତେବେ ବାରିପଦାର ଠିକାଦାରଙ୍କୁ ଠକିବା ମାମଲାରେ ସାଇବର ଥାନା ଜଣେ ବିଦେଶୀଙ୍କ ସମେତ ଦୁଇଜଣଙ୍କୁ ଧରିଥିଲେ ମଧ୍ୟ ମାଷ୍ଟର ମାଇଣ୍ଡକୁ ଧରିପାରିନାହିଁ। ଫଳରେ ଅନୁରୂପ ଢଙ୍ଗରେ ସେମାନେ ଠକିବା ପ୍ରୟାସ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର