ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ: ଓଳି, କୁଡ଼ୁଆର ଫଟୋ ସହ ରହିବ ଅବଢ଼ା ଦର

ଦାନଦକ୍ଷିଣାର କ୍ଷତିପୂରଣ ଦାବି କଲେ ସେବାୟତ, ମହାପ୍ରସାଦ ପାଇଁ ରହିବ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ

ପୁରୀ: ଓଳି, କୁଡ଼ୁଆର ଫଟୋ ସହ ଅବଢ଼ାର ଦରଦାମ ରହିବ। ଶ୍ରୀମନ୍ଦିର ଛତିଶ ନିଯୋଗ ବୈଠକରେ ଆଜି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିସହିତ, ସେପ୍ଟେମ୍ବର ୫ରେ ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ପରବର୍ତୀ ଶୁଣାଣି ସମ୍ପର୍କରେ ଆଲୋଚନା କରାଯାଇଛି। ଗତ ୪ ତାରିଖରେ ନିର୍ଦ୍ଦିଷ୍ଟ କେତେକ ନିଯୋଗଙ୍କୁ ନେଇ ବୈଠକ କରିଥିବା ଶ୍ରୀମନ୍ଦିର ପ୍ରଶାସନ ଆଜି ଛତିଶାନିଯୋଗ ବୈଠକ ଡାକି ସୁପ୍ରିମ୍‌କୋର୍ଟଙ୍କର ୧୨ଟି ଆଦେଶ ଉପରେ ବିସ୍ତତ ଆଲୋଚନା କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁପ୍ରିମ୍‌କୋର୍ଟଙ୍କ ଆଦେଶକୁ ନେଇ ବିରୋଧାଭାସ ଦେଖାଦେଇଛି। ୧୨ଟି ଆଦେଶରୁ ୯ଟି ଆଦେଶ ଉପରେ ନିଯୋଗର କର୍ମକର୍ତା ସହମତି ପ୍ରକାଶ କରିଥିବା ବେଳେ ବଂଶାନୁକ୍ରମିକ ସେବା ବନ୍ଦ, ସେବାୟତ ନିଯୁକ୍ତି, ଅନ୍ନଦାନ ଆଟିକା, ଥାଳି ବନ୍ଦ ଓ ଶ୍ରୀମନ୍ଦିର ଆଇନରେ ସଂଶୋଧନ ଆଦେଶ (୧, ୨ ଓ ୧୨ ନମ୍ବର)କୁ ବିରୋଧ କରିଛନ୍ତି। ଅନ୍ନଦାନ ଆଟିକା, ଥାଳି ଆଦି ବନ୍ଦ ହୋଇଗଲେ ଏହାର କ୍ଷତିପୂରଣ କିଏ ଦେବ ବୋଲି ପ୍ରଶ୍ନ ଉଠାଇଛି ଛତିଶା ନିଯୋଗ। ସେହିପରି ମହାପ୍ରସାଦକୁ ନେଇ ସୁପ୍ରିମ୍‌କୋର୍ଟ ବିରକ୍ତିଭାବ ପ୍ରକାଶ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ ଏହାର ମାନ ଉପରେ ଗୁରୁତ୍ୱ ଦେଇଛି। ରୋଷଘର, ଚୁଲା ନିଜ ଅକ୍ତିଆରକୁ ଆଣିବା ସହ ମହାପ୍ରସାଦ ପ୍ରସ୍ତୁତ ପାଇଁ ବ୍ୟବହାର ସାମଗ୍ରୀର ତାଲିକା ନିଜେ ପ୍ରସ୍ତୁତ କରିବ ବୋଲି ନିଷ୍ପତ୍ତି ନେଇଛି। ମହାପ୍ରସାଦ ଉପରେ ଭକ୍ତଙ୍କ ପାଇଁ ଏକ ଅଭିଯୋଗ ପ୍ରକୋଷ୍ଠ ଆନନ୍ଦ ବଜାରରେ ରହିବ। ଏଠାରେ ଅଭିଯୋଗ ବାକ୍ସ ଲାଗିବ। ଯାତ୍ରୀମାନଙ୍କ ପାଇଁ ଧାଡ଼ି ଦର୍ଶନ ପ୍ରସ୍ତାବ ରହିଛି। ସିଂହଦ୍ୱାର ଦେଇ ଯାତ୍ରୀମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବାହାରେ ଶୌଚାଳୟ ବ୍ୟବସ୍ଥା କରାଯାଉଛି ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ, ଆରକ୍ଷୀ ଅଧିକ୍ଷକ ସାର୍ଥକ ଷଡ଼ଙ୍ଗୀଙ୍କ ସମେତ ବିଭିନ୍ନ ନିଯୋଗର କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର