ଛତିଶଗଡ଼ର ଗାଲୁଆମି: ହଁ, ଆମେ ପାଣି ଅଟକାଉଛୁ

ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଆଜି ଛତିଶଗଡ଼ ଜଳସଂପଦ ମନ୍ତ୍ରୀ ବି୍ରଜମୋହନ ଅଗ୍ରଓ୍ଵାଲ ‘କନକ ନ୍ୟୁଜ’କୁ ଦେଇଥିବା ମନ୍ତବ୍ୟ ଏହି ବିବାଦକୁ ବଢ଼ାଇବା ପାଇଁ ଖୋରାକ ଯୋଗାଇଛି। ମହାନଦୀରେ କାହିଁକି ଟ୍ରିବ୍ୟୁନାଲ ଗଠନ କରୁନାହଁ ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ତାଗିଦ କରୁଛନ୍ତି। ଏପଟେ କିନ୍ତୁ ଓଡିଶା ସରକାରଙ୍କୁ ଦାୟୀ କରିଛନ୍ତି ଛତିଶଗଡ଼ ମନ୍ତ୍ରୀ। ଅଭିଯୋଗ କରିଛନ୍ତି, ଟ୍ରିବ୍ୟୁନାଲ ଗଠନ ନ ହେବା ପାଇଁ କେବଳ ଓଡ଼ିଶା ସରକାର ହିଁ ଦାୟୀ। ମହାନଦୀ ବିବାଦର ସମାଧାନ କରିବାକୁ ଛତିଶଗଡ ରାଜି, ହେଲେ ଓଡ଼ିଶା ସହଯୋଗ କରୁନି। ଶ୍ରୀ ଅଗ୍ରଓ୍ଵାଲ କହିଛନ୍ତି, ବର୍ତମାନ ପାଇଁ କେନ୍ଦ୍ର ସରକାର ଯାହା ବି ନିର୍ଦେଶ ଦେଉଛନ୍ତି, ତାକୁ ପାଳନ କରାଯାଉଛି। କିନ୍ତୁ ଓଡ଼ିଶା ସରକାର ଏହାକୁ ମାନୁନାହାନ୍ତି। କେନ୍ଦ୍ର ଜଳସଂପଦ ବିଭାଗ ଓ କେନ୍ଦ୍ର ଜଳ ଆୟୋଗ ଆସି ରାଜ୍ୟରେ ସେମାନଙ୍କ ଅନୁଧ୍ୟାନ ସାରିଛନ୍ତି। ଓଡ଼ିଶା ସରକାର ସେମାନଙ୍କୁ ଏ ଅନୁମତି ଦେଇନାହାନ୍ତି କି ସହଯୋଗ କରୁନାହାନ୍ତି। କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶା ବିବାଦ କରୁଛି ବୋଲି ଅଭିଯୋଗ କରିଛନ୍ତି ମନ୍ତ୍ରୀ। ଛତିଶଗଡ଼ ସରକାରଙ୍କ ନଦୀ ସଂଯୋଗୀକରଣ ଯୋଜନାକୁ ନେଇ ଓଡ଼ିଶାରେ ଆଶା ଆଶଙ୍କା ବୃଦ୍ଧି ପାଇଥିବା ବେଳେ ଶ୍ରୀ ଅଗ୍ରଓ୍ଵାଲ କିନ୍ତୁ ଏଥିପାଇଁ ବେଫିକର ଅଛନ୍ତି। କହିଛନ୍ତି, ଛତିଶଗଡ଼ରେ ଯେଉଁ ଜଳଭଣ୍ଡାର ସବୁ ନିର୍ମାଣ ହୋଇଛି, ସେସବୁର ଜଳସେଚନର କ୍ଷମତା ବୃଦ୍ଧି କରାଯାଉଛି। ବର୍ଷା ଦିନ ପାଣି ନଦୀ ବାଟ ଦେଇ ସମୁଦ୍ରକୁ ଚାଲିଯାଉଛି। ଆମେ ନାଳଗୁଡିକ ଯୋଡି ବର୍ଷା ପାଣିକୁ ଅଟକାଇବାକୁ ଚେଷ୍ଟା କରୁଛୁ। ଏହି ପାଣି ପରେ ମହାନଦୀକୁ ଯିବ। ଏହାଦ୍ୱାରା ଜଳସେଚନ ବଢିବ।
ଏ ନେଇ ଓଡ଼ିଶା ସରକାରଙ୍କ ସହିତ କାହିଁକି ଆଲୋଚନା କରାଯାଇନାହିଁ ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ଅଗ୍ରଓ୍ଵାଲ ଆହୁରି କହିଛନ୍ତି, ଏଗୁଡିକ ଏମିତି ପ୍ରକଳ୍ପ ନୁହେଁ ଯେ ଅନ୍ୟ ରାଜ୍ୟକୁ ପ୍ରଭାବିତ କରିବ। ବର୍ଷା ଦିନରେ ଅଧିକ ପାଣି ସମୁଦ୍ରକୁ ଚାଲିଯାଉଛି, ତାକୁ ହିଁ ସଂରକ୍ଷଣ କରିବା ପାଇଁ ଯୋଜନା ହୋଇଛି। ଓଡ଼ିଶା ସରକାର ଚାହିଁଲେ ଏ ନେଇ ଆଲୋଚନା କରିପାରିବେ। ମାଗିଲେ ତଥ୍ୟ ବି ଦେବୁ।

ମହାନଦୀ ଉପରେ ପଡୁଥିବା ପ୍ରଭାବକୁ ମଧ୍ୟ ଫାଙ୍କିଦେଇ ଶ୍ରୀ ଅଗ୍ରଓ୍ଵାଲ କହିଛନ୍ତି, ଜଳପ୍ରବାହ ଶୁଖିନାହିଁ ବରଂ ହୀରାକୁଦ ଜଳଭଣ୍ଡାରରେ ପଟୁ ଜମିଗଲାଣି। ତେଣୁ ୫ ପ୍ରତିଶତ ପାଣି କମିଯାଉଛି। ଏହାକୁ ସଫା କଲେ ଡ୍ୟାମର କ୍ଷମତା ବଢିବ। ଏମିତିରେ ବି ହୀରାକୁଦ ଜଳଭଣ୍ଡାରରେ ରହୁଥିବା ପାଣିର ୫ଗୁଣ ସମୁଦ୍ରକୁ ଚାଲିଯାଉଛି। ବର୍ଷା ପାଣି ରୋକିବା ଲାଗି ଛତିଶଗଡ଼ ଭଳି ଓଡ଼ିଶା ବି ପ୍ରକଳ୍ପ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମହାନଦୀ ସବୁଦିନିଆ ନଦୀ ନୁହେଁ। ଏହା ବର୍ଷା ଦିନିଆ ନଦୀ। ଛତିଶଗଡ଼ରେ ବି ମହାନଦୀ ପଠା ଶୁଖିଲା ପଡିଛି। ଯେଉଁଠି ବି ପାଣି ଅଟକାଇ ରଖାଯାଇଛି, କେବଳ ବର୍ଷା ପାଣିକୁ। ୧୦ରୁ ୧୫ ବର୍ଷ ତଳେ କେବଳ ୯ ସିଏମ୍‌ଟି ପାଣି ପ୍ରବାହିତ ହେଉଥିଲା, ଏବେ ୧୩ ସିଏମ୍‌ଟି ପାଣି ପ୍ରବାହିତ ହେଉଛି।

ଦୋମୁହାଁ ନୀତି ଧରନାହିଁ, ଟ୍ରିବ୍ୟୁନାଲ ଗଠନ କର

ଭୁବନେଶ୍ୱର: ମହାନଦୀ ମହାବିବାଦକୁ ଆଗକୁ ନେବା ଲାଗି ବିଜେଡି ଓ ରାଜ୍ୟ ସରକାର ସମାନ୍ତରାଳ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ବିଧାନସଭା ଭିତରେ ବିଜେଡି ବିଧାୟକମାନେ ଟ୍ରିବ୍ୟୁନାଲ ଗଠନ ନେଇ କେନ୍ଦ୍ର ସରକାର ଟାଳଟୁଳ ନୀତି କଥା ଉତ୍‌ଥାପନ କରି ତମ୍ବିତୋଫାନ କରିଥିଲେ। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନିଜ ଅସନ୍ତୋଷ ରଖି ଟ୍ରିବ୍ୟୁନାଲ ଗଠନ ପାଇଁ ଚାପ ପକାଇଛନ୍ତି। ଅନୁରୋଧ କରିଛନ୍ତି ରାଜ୍ୟର ସାଢେ ଚାରିକୋଟି ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମହାନଦୀ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ଲାଗି ପ୍ରଧାନମନ୍ତ୍ରୀ ଆବଶ୍ୟକ ନିର୍ଦେଶ ଦିଅନ୍ତୁ। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ଜଳବିବାଦ ସଂପର୍କରେ ଦୃଷ୍ଟି ଆକର୍ଷଣ କରି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ଅନ୍ତଃରାଜ୍ୟ ଜଳବିବାଦ ଆଇନ ୧୯୫୬ର ଧାରା ୩ ଅନୁସାରେ ରାଜ୍ୟ ସରକାର ୨୦୧୬ ନଭେମ୍ବର ୧୯ ତାରିଖ ଦିନ ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ଲାଗି ଆବେଦନ କରିଥିଲେ। କେନ୍ଦ୍ର ସରକାରଙ୍କ ଜଳସଂପଦ ମନ୍ତ୍ରାଳୟ ଏହି ମାମଲାରେ ଏକ ସ୍ପଷ୍ଟ ମତ ରଖିଥିଲେ ଯେ ଆପୋଷ ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ ହୋଇପାରିବ ନାହିଁ। ବିବାଦର ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ଆଭିମୁଖ୍ୟ ପ୍ରକଟ କରିଥିଲା। ୨୦୧୭ ଜୁଲାଇ ୩୧ ତାରିଖ ଓ ଅଗଷ୍ଟ ୧୦ ତାରିଖରେ କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ସଂସଦରେ ଏ ନେଇ ମତ ରଖିସାରିଛନ୍ତି। କେବଳ ସେତିକି ନୁହେଁ, ଗତ ଅକ୍ଟୋବର ୯ ତାରିଖ ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗଦେଇଥିବା ଆଇନଜୀବୀ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ ନଭେମ୍ବର ୧୧ ତାରିଖ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ।

ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ଓଡ଼ିଶା ବାସୀଙ୍କ ପାଇଁ ମହାନଦୀ ହେଉଛି ଜୀବନରେଖା। ହଠାତ୍‌ ଗତ ୪ ତାରିଖରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଟ୍ରିବ୍ୟୁନାଲ ଗଠନ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ହଠାତ୍‌ ବଦଳିଯିବା ଘଟଣା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟାନ୍ଵିତ କରିଛି। ସବୁଠାରୁ ବିସ୍ମିତ ଏୟା କରୁଛି ଯେ କେନ୍ଦ୍ର ସରକାର ନ୍ୟାୟସଙ୍ଗତ ଓ ନିଷ୍ପକ୍ଷ ଭାବେ ଏହି ମାମଲାରେ ଯିବା ବଦଳରେ ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି। ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ୧୯୮୩ ମସିହାରେ ହୋଇଥିବା ଚୁକ୍ତିନାମା ଆଧାରରେ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ପ୍ରସଙ୍ଗକୁ କେନ୍ଦ୍ର ଜଳସଂପଦ ମନ୍ତ୍ରାଳୟ ଭୁଲ ଭାବେ ଚିତ୍ରଣ କରିିଛି ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି। କହିଛନ୍ତି, ଗତ ଜାନୁଆରି ୧୭ ତାରିଖ ଦିନ ଓଡ଼ିଶାର ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସ୍ପଷ୍ଟ କରିସାରିଛନ୍ତି, ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ବ୍ୟବସ୍ଥା ମହାଦନୀ ଜଳ ଆବଣ୍ଟନଜନିତ ବିବାଦର ସମାଧାନ ପାଇଁ ଉଦ୍ଦିଷ୍ଟ ନୁହେଁ। ବରଂ ସେ ସମୟରେ କିଛି ଯୁଗ୍ମ ପ୍ରକଳ୍ପକୁ ଲକ୍ଷ୍ୟ କରି ଏହି ବୋର୍ଡ ଗଠନ କଥା କୁହାଯାଇଥିଲା। ହେଲେ ଯୁଗ୍ମ ପ୍ରକଳ୍ପ ନେଇ କେହି ଆଗେଇନାହାନ୍ତି କିମ୍ବା ୩୫ ବର୍ଷ ହେଲା ଏହା ଗଠନ ହୋଇପାରିନାହି ଁ।

ଯେତେବେଳେ ଗୋଟିଏ ରାଜ୍ୟ ବୁଝାମଣାକୁ ଆଳ କରି ନିର୍ଣ୍ଣୟ ପ୍ରକ୍ରିୟାକୁ ଟାଳିବାକୁ ଚାହୁଁଛି, ସେ ସମୟରେ ସଂଘୀୟ ବ୍ୟବସ୍ଥାରେ ଅନ୍ୟ କୌଣସି ବୁଝାମଣା ପାଇଁ ଆଗ୍ରହ ରଖୁନଥିବା ଅନ୍ୟ ଗୋଟିଏ ରାଜ୍ୟକୁ ଏଥିପାଇଁ ବାଧ୍ୟ ବାଧ୍ୟ କରିବା ନେଇ ଆପତ୍ତି ଉଠାଇଛି ଓଡିଶା। ମୁଖ୍ୟମନ୍ତ୍ରୀ କହିଚନ୍ତି, ଛତିଶଗଡ, ଯିଏ କି ଏକପାଖିଆ ଓ ବେଆଇନ ଭାବେ ମହାନଦୀ ଉପରେ ଡ୍ୟାମ୍‌ ଓ ବ୍ୟାରେଜ୍‌ କରିଚାଲିଛି, ତା ସହିତ ଆଉ ବୁଝାମଣା କରିବାରେ କିଛି ଲାଭ ବା ଉଦ୍ଦେଶ୍ୟ ଅଛି, ଏକଥା ରାଜ୍ୟ ଅନୁଭବ କରିପାରୁନାହିଁ। ଛତିଶଗଡ଼ର ପକ୍ଷପାତ କାରଣରୁ ହୀରାକୁଦ ଡ୍ୟାମ୍‌ ଓ ତାର ତଳମୁଣ୍ଡ ଅନେକ ପରିମାଣରେ ପ୍ରଭାବିତ ହେଲେଣି ଓ ଆଗକୁ ଏହାର ପ୍ରଭାବ ଆହୁରି ଅଧିକ ହୋଇପାରେ। ଏମିତିରେ ଆଇନତଃ ନଭେମ୍ବର ୧୯ ତାରିଖ ପୂର୍ବରୁ, ଟ୍ରିବ୍ୟୁନାଲ ଗଠନ କରିବା ଲାଗି କେନ୍ଦ୍ର ବାଧ୍ୟ। କେନ୍ଦ୍ର ପାଖରେ କୌଣସି ବିକଳ୍ପ ନାହିଁ ବୋଲି ଚିଠିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର