ଗଜବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି

୧୦୮ ଗରା ସୁବାସିତ ଜଳରେ କଲେ ସ୍ନାନ
ବିନାଭକ୍ତରେ ଦେଲେ ଦର୍ଶନ
ଏ ବର୍ଷ ବି ଆସିଲେନି ଶଙ୍କରାଚାର୍ଯ୍ୟ, ଗଜପତି

ପୁରୀ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ସ୍ନାନବେଦିରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ସ୍ନାନଯାତ୍ରା। ରତ୍ନବେଦିରୁ ସ୍ନାନବେଦିକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। କରୋନା କଟକଣା ଯୋଗୁ ଭକ୍ତଙ୍କୁ ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ସ୍ବଚକ୍ଷୁରେ ଦେଖିବାର ସୁଯୋଗ ମିଳି ନ ଥିଲେ ମଧ୍ୟ ଅଧରପୋଛା ସହ ଅନ୍ୟାନ୍ୟ ନୀତି ପରେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରା ଗୁରୁବାର ଦିନ ସିଧାପ୍ରସାରଣ ଜରିଆରେ ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶୁଭ୍ର ରଙ୍ଗର ଗଜବେଶରେ ମହାପ୍ରଭୁ ଓ ହଳଦିଆ ରଙ୍ଗର ଗଜବେଶରେ ବଡ଼ଠାକୁର ଦର୍ଶନ ଦେଇଥିଲେ। ପରେ ଜ୍ବରରେ ପଡ଼ି ଅଣସର ଘରକୁ ବିଜେ କରିଛନ୍ତି ଶ୍ରୀଜିଉ।

ଚଳିତବର୍ଷ ସଅଳ ନୀତିକାନ୍ତିରେ ରେକର୍ଡ଼ ସୃଷ୍ଟି ହୋଇଛି। ସଅଳ ଗଜବେଶ ହୋଇ ମହାପ୍ରଭୁ ଅଧିକ ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ସଂକ୍ରମଣମୁକ୍ତ ପରିବେଶରେ ନୀତିକାନ୍ତି ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଆଜି ୧୪୪ ଧାରା ଜାରି କରାଯାଇଥିଲା। ସେ‌ପଟେ ଚଳିତବର୍ଷ ବି ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ସ୍ନାନବେଦିକୁ ଆସିନାହାନ୍ତି। ଗତବର୍ଷ ଭଳି ଚଳିତବର୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ବଦଳରେ ନୂଆ ମୁଦିରସ୍ତ ନାରାୟଣ ମୁଦିରସ୍ତ ଆଜି ଛେରା ପହଁରା କରିଛନ୍ତି।

ବୁଧବାର ରାତି ୧ଟା ୪୦ରେ ମଙ୍ଗଳାର୍ପଣ ନୀତି ପରେ ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ସ୍ନାନବେଦିକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଗୁରୁବାର ସକାଳ ୬ଟାରେ ଅବକାଶ ନୀତି ଶେଷ ହୋଇଥିଲା। ୬ଟା ୨୦ରେ ରୋଷହୋମ, ସାଢ଼େ ୬ଟାରେ ବେଶ ଶେଷ, ୭ଟାରେ ସୂର୍ଯ୍ୟପୂଜା ନୀତି ଅନୁଷ୍ଠିତ ହୋଇଥିଲା। ପରେ ଜଳଛେକ ବିଜେ ନୀତି ଆରମ୍ଭ ହୋଇଥିଲା। ସକାଳ ୮ଟା ୩୫ରେ ଜଳପୂଜା ସହ ମହାପ୍ରଭୁଙ୍କ ସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ସକାଳ ୯ଟା ୫୦ରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ନୀତି ଶେଷ ‌ହୋଇଥିଲା। ସ୍ୱତନ୍ତ୍ର ରୁପା ପିଙ୍ଗଣରେ ଶ୍ରୀଜୀଉମାନେ ସ୍ନାନ କରିଥିଲେ। ସ୍ନାନ ଶେଷପରେ ମହାପ୍ରଭୁଙ୍କ ମଇଲମ ଓ ମେକାପ ସର୍ବାଙ୍ଗ ନୀତି ହୋଇଥିଲା। ନୂଆଲୁଗା ପିନ୍ଧି ବେଶ ହୋଇଥିଲେ ମହାପ୍ରଭୁ। ପୂର୍ବାହ୍ଣ ୧୧ଟାରେ ନୂଆ ମୁଦିରସ୍ତ ସୁନା ଝାଡ଼ୁରେ ଛେରା ପହଁରା କରିବା ପରେ ଗଜବେଶ ଆରମ୍ଭ ହୋଇଥିଲା। ପୂର୍ବାହ୍ଣ ୧୧ଟା ୨୦ରୁ ଗଜବେଶ ଆରମ୍ଭ ହୋଇ ୧୨ଟା ୫ରେ ଶେଷ ହୋଇଥିଲା। ବେଶ ଶେଷ ପରେ ଚତୁର୍ଦ୍ଧାମୂର୍ତ୍ତି ଗଜବେଶରେ ସାରା ବିଶ୍ବର ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ପରେ ମହନ୍ତ ଶାଢ଼ୀବନ୍ଧା, ଘଣ୍ଟଛତା ସକାଳଧୂପ ନୀତି ସମ୍ପନ୍ନ ହୋଇଥିଲା। ଅପରାହ୍ଣ ୪ଟାରେ ବେଶ ଓଲାଗି ହୋଇଥିଲା। ବେଶ ଓଲାଗି ପରେ ଅପରାହ୍ଣ ୫ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଅଣସର ଘରକୁ ବିଜେ କରିଥିଲେ। ରାତି ୮ଟା ସୁଦ୍ଧା ବାହୁଡ଼ା ପହଣ୍ଡି ଶେଷ ପରେ ସୁନାଚିତା ଓ ରାହୁରେଖା ମଇଲମ ନୀତି ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର