ନୀଳାଦ୍ରି ବିଜେ: ରତ୍ନବେଦିରେ ଚତୁର୍ଦ୍ଧାମୂର୍ତ୍ତି, ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଂଜନ କଲେ ମହାବାହୁ

ପୁରୀ: ବିନା ଭକ୍ତରେ ନବଦିନର ଯାତ୍ରା ପରେ ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ସାରି ଆଜି ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରି ବିଜେ କରିବା ସହ ରତ୍ନବେଦିରେ ଅଧିଷ୍ଠିତ ହୋଇଛନ୍ତି। ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି ପହଣ୍ଡିରେ ଶ୍ରୀବିଗ୍ରହମାନେ ନୀଳକନ୍ଦରକୁ ବିଜେ କରିଛନ୍ତି। ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ସିଂହଦ୍ୱାର କମ୍ପି ଉଠିଛି। ଚଳିତ ବର୍ଷ ସଅଳ ପହଣ୍ଡି ଶେଷ ହୋଇଛି। ରାତି ୯ଟା ୩୦ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦିରେ ବିଜେ କରିଛନ୍ତି। ବିଜେ ନୀତି ସଂପନ୍ନ ପରେ ଚାରମାଳ ଫିଟା ସହ ଅନ୍ୟାନ୍ୟ କାର୍ଯ୍ୟ ଶ୍ରୀମନ୍ଦିର ଭିତରେ ସଂପନ୍ନ ହୋଇଛି।

ନୀଳାଦ୍ରି ବିଜେ ଆଜି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର କରିଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ଆଜି ଭୋର୍‌ ୪ଟାରେ ତିନି ରଥରେ ମଙ୍ଗଳ ଆଳତି ପରେ ସାଢ଼େ ୪ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୫ଟାରେ ଅବକାଶ ନୀତି ପରେ ସକାଳ ସାଢ଼େ ୫ଟାରେ ବେଶ ଶେଷ ହୋଇଥିଲା । ସାଢ଼େ ୬ଟାରେ ଗୋପାଳବଲ୍ଲଭ, ୭ଟାରୁ ୮ଟା ସକାଳଧୂପ, ସାଢ଼େ ୮ଟାରେ ମଇଲମ, ସାଢ଼େ ୯ଟାରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ପୂର୍ବାହ୍ଣ ୧୦ଟାରେ ବେଶ ଶେଷ, ସାଢ଼େ ୧୦ଟାରୁ ସାଢ଼େ ୧୧ଟା ମଧ୍ୟାହ୍ନ ଧୂପ, ପୂର୍ବାହ୍ଣ ୧୧ଟା ୪୫ରୁ ୧୨ଟା ଭିତରେ ମଇଲମ ଓ ବେଶ, ୧୨ଟା ୧୫ରେ ସନ୍ଧ୍ୟା ଆଳତି, ଅପରାହ୍ଣ ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ସନ୍ଧ୍ୟା ଧୂପ ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢ଼େ ୩ଟାରେ ସିଂହାସନ ମାଜଣା କରାଯାଇଥିଲା । ୩ଟା ୫୦ରେ ପୁଷ୍ପାଞ୍ଜଳି ପରେ ଅପରାହ୍ଣ ୪ଟାରେ ପହଣ୍ଡି ଆରମ୍ଭ କରାଯାଇଥିଲା ।

ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ଲକ୍ଷ୍ମୀ ଠାକୁରାଣୀ ବିମୁଖ ଥିଲେ। ଏହି କାରଣରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ବିଜେ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କ ରୋଷର ଶିକାର ହୋଇଥିଲେ। ଚାହାଣି ମଣ୍ଡପରୁ ମା’ ଲକ୍ଷ୍ମୀ ଠାକୁରାଣୀ ପ୍ରଭୁଙ୍କ ଆଗମନକୁ ଦେଖି ଅଭିମାନରେ ନୀଳଦ୍ରି‌ ବିଜେ ପୂର୍ବରୁ ସହଚରୀମାନଙ୍କ ଦ୍ବାରା ସିଂହଦ୍ୱାରକୁ ବନ୍ଦ କରି ଦେଇଥିଲେ। ଏହି ନୀତି ପାଳନ ଅବସରରେ କିଛି ସମୟ ପାଇଁ ସିଂହଦ୍ୱାର ବନ୍ଦ ରଖାଯାଇଥିଲା। ପରେ ମହାପ୍ରଭୁ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ କରି ସିଂହଦ୍ବାର ବାଇଶି ପାହାଚ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। କିନ୍ତୁ ଜଗମୋହନକୁ ପ୍ରବେଶ କରିବା ପରେ ପୁଣି ଥରେ ଜୟବିଜୟ ଦ୍ୱାରଠାରେ ବିରୋଧର ସମ୍ମୁଖୀନ ହୋଇଥିଲେ ମହାପ୍ରଭୁ। ଶ୍ରୀମନ୍ଦିର ଜୟବିଜୟ ଦ୍ୱାରକୁ ମା’ ଲକ୍ଷ୍ମୀଙ୍କ ସହଚରୀମାନେ କ୍ଷଣକ ପାଇଁ ବନ୍ଦ କରି ଦେଇଥିଲେ। ଏଠାରେ ମହାପ୍ରଭୁଙ୍କ ସହଚର ଓ ମା’ ଲକ୍ଷ୍ମୀଙ୍କ ସହଚରୀଙ୍କ ମଧ୍ୟରେ ପାରମ୍ପରିକ ବଚନିକା ପରେ ଜୟବିଜୟ ଦ୍ୱାର ଖୋଲିଥିଲା।

ନୀଳାଦ୍ରି ବିଜେର ଅନ୍ୟତମ ବିଶେଷତ୍ୱ ଥିଲା ରସଗୋଲା ଭୋଗ। ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ଜୟବିଜୟ ଦ୍ୱାର ନିକଟରେ ମାନଭଞ୍ଜନ କରିଥିଲେ। ପ୍ରତିବର୍ଷ ହଜାର ହଜାର ଭକ୍ତ ଏହି ସମୟରେ ମହାପ୍ରଭୁଙ୍କୁ ରସଗୋଲା ଲାଗି କରିଥାନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହେବା ପାଇଁ ରସଗୋଲା ଭୋଗ ଲାଗି କରିବା ବିଶ୍ୱାସ ଥିବାରୁ ବିଶେଷ କରି ନବବିବାହିତ ଦମ୍ପତିଙ୍କ ଭିଡ଼ ରହିଥାଏ। କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ଏହି ‌ସେବାରୁ ବଞ୍ଚିତ ହୋଇଛନ୍ତି ଭକ୍ତ।

ସମ୍ବନ୍ଧିତ ଖବର