ମୃତ୍ୟୁ ପ୍ରମାଣପତ୍ର ପାଇଁ ୫ହଜାର ଲାଞ୍ଚ, ଧରାପଡ଼ିଲେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କିରାଣୀ

ଖୋର୍ଦ୍ଧା: ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ଜଣେ ବ୍ୟକ୍ତି ଠାରୁ ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ତଥା ଭାରପ୍ରାପ୍ତ ଭାଇଟାଲ୍ ଷ୍ଟାଟିଷ୍ଟିକ୍ସ କିରାଣୀ ଅନୂପ କୁମାର ଶତପଥୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ସୂଚନାନୁସାରେ, ମଳିପଡ଼ା ଚମ୍ପାଝରର ସୁନୀଲ କୁମାର ତ୍ରିପାଠୀଙ୍କ ଜେଜେ ବାପା ଓ ଜେଜେ ମା’ଙ୍କ ମୃତ୍ୟୁ ପ୍ରମାଣପତ୍ର କରାଇବା ପାଇଁ ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବେଦନ କରିଥିଲେ । ଜେଜେ ବାପା ଓ ମା’ଙ୍କ ନାମରେ ଥିବା ଏକ ଜମି ବିକ୍ରି କରିବା ପାଇଁ ମୃତ୍ୟୁ ପ୍ରମାଣପତ୍ର ଆବଶ୍ୟକତା ପଡ଼ିଥିଲା । ତେବେ ଏହା ମିଳିବାରେ ବିଳମ୍ବ ହେବାରୁ ସେ ପ୍ରମାଣପତ୍ର ଦେବା ଦାୟିତ୍ୱରେ ଥିବା ଭାଇଟାଲ୍ ଷ୍ଟାଟିଷ୍ଟିକ୍ସ କିରାଣୀ ଅନୂପ କୁମାର ଶତପଥୀଙ୍କ ସହ ଯୋଗାଯୋଗ କରିଥିଲେ । ଏନେଇ ଅନୁପ ତାଙ୍କୁ ୫ହଜାର ଟଙ୍କା ଲାଂଚ ମାଗିଥିଲେ । ସୁନୀଲ ଏହି ସମ୍ପର୍କରେ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ ।

ଏନେଇ ଭିଜିଲାନ୍ସ ଗତକାଲି ୨୧/୨୦୨୨ରେ ଏକ ମାମଲା ରୁଜୁ କରିଥିଲା । ଆଜି ପୂର୍ବ ଯୋଜନାକ୍ରମେ ଭିଜିଲାନ୍ସ ବିଭାଗର ଏକ ଟିମ୍ ସୁନୀଲଙ୍କ ସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇଥିଲେ । ସେଠାରେ ସୁନୀଲଙ୍କ ଠାରୁ ଉକ୍ତ ଟଙ୍କା ଗ୍ରହଣ କରିବା ସମୟରେ ଭିଜିଲାନ୍ସ ଅନୂପଙ୍କୁ ଧରିଥିଲା । ଲାଂଚ ନେଇଥିବା ନୋଟ୍ର ରସାୟନ ରଙ୍ଗ ଆଦି ପରୀକ୍ଷା କରିବା ପରେ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି । ଏହାସହ ଆୟ ବହିର୍ଭୁତ ସମ୍ପତ୍ତି ଠୁଳର ଯାଂଚ କରିବାକୁ ଅନୂପଙ୍କ ଟାଙ୍ଗିଆପଡ଼ାସ୍ଥ ବାସଭବନ ଓ ତାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ଉ ଚାଲିଛି ।

ସମ୍ବନ୍ଧିତ ଖବର