ଭୁବନେଶ୍ବର: ରାଜ୍ୟରେ ଏବେ ବି ସକ୍ରିୟ ଚିଟଫଣ୍ଡ କମ୍ପାନି। କିନ୍ତୁ କାମ କରିବାର ତରିକା ବଦଳି ଯାଇଛି। ସଂସ୍ଥାର କାର୍ଯ୍ୟାଳୟ ରହୁଛି ବିଦେଶରେ। ଏଠାରେ ସଂସ୍ଥାର ସହଯୋଗୀ ରହୁଛନ୍ତି। ବୁଲି ବୁଲି ଜମାକାରୀଙ୍କୁ ଟଙ୍କା ନିବେଶ କରିବାକୁ ବୁଝାଉଛନ୍ତି। ଫିକ୍ସ ଜମା ଉପରେ ମାତ୍ର ୫ ବର୍ଷ ଦିଆଯାଉଛି ୧୦୦ଗୁଣ ଟଙ୍କା। ବିଦେଶ କମ୍ପାନି ଓ ଲୋଭରେ ପଡ଼ି ଜମାକାରୀମାନେ କୋଟି କୋଟି ଟଙ୍କା ଜମା କରୁଛନ୍ତି। କିନ୍ତୁ ଟଙ୍କା ଥରେ ହାତରୁ ଯିବା ପରେ ଆଉ ଫେରସ୍ତ ପାଉ ନାହାନ୍ତି। ଫଳରେ ଜମାକାରୀଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ୁଛି। ରାଜଧାନୀରେ ଦୀର୍ଘ ଦିନ ଧରି ସକ୍ରିୟ ଥିବା ଏଭଳି ଏକ ଚିଟଫଣ୍ଡ୍ କମ୍ପାନିର ପର୍ଦାଫସ କରିଛି କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ସଂସ୍ଥାର ନାମ ହେଲା, କ୍ୟୁ-ନେଟ ଲିମିଟେଡ୍‌। ଏହାର କାର୍ଯ୍ୟାଳୟରେ ହଂକଂରେ। ଏହାର ସହଯୋଗୀ ଭାବେ ରାଜଧାନୀରେ କାମ କରୁଛି ବିହାନ ଡାଇରେକ୍ଟ ସେଲିଂ ନାମକ ଏକ ଫ୍ରାଞ୍ଚାଇଜ ସଂସ୍ଥା। ଆଜି ସଂପୃକ୍ତ ସଂସ୍ଥାର ୩ ଜଣ ସହଯୋଗୀଙ୍କୁ ଇଓଡବ୍ଲୁ ଗିରଫ କରିଛି। ସେମାନେ ହେଲେ, ବଡ଼ଗଡ଼ ଥାନା ଅଧୀନ ବ୍ରହ୍ମେଶ୍ବର ପାଟଣାର ଶରତ କୁମାର ପରିଡ଼ା, ଚନ୍ଦ୍ରଶେଖରପୁର ଅଞ୍ଚଳର ଦେବବ୍ରତ ହରିଚନ୍ଦନ ଓ ଜଗନ୍ନାଥ ବିହାରର ଚନ୍ଦନ କୁମାର ମାହାଳିକ ପ୍ରମୁଖ। ଏମାନଙ୍କ ନିକଟରୁ କମ୍ପାନିର କିଛି ବ୍ରୋଚର୍‌, ରସିଦ, ପରିଚୟପତ୍ର, ଆଇଫୋନ, ଲାପଟପ ଆଦି ଜବତ କରାଯାଇଛି। ଆଜି ସମସ୍ତଙ୍କୁ କଟକଠାରେ ଥିବା ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟକୁ ଚାଲାଣ କରାଯାଇଛି।

ହଂକଂରୁ ଓଡ଼ିଶାକୁ ଲିମ୍ବିଛି ଚେର, ରିମାଣ୍ଡରେ ଆସିବେ ଅଭିଯୁକ୍ତ

Advertisment

କ୍ରାଇମ ବ୍ରାଞ୍ଚଠାରୁ ମିଳିଥିବା ସୂଚନା ମୁତାବକ, କ୍ୟୁ-ନେଟ ହେଉଛି ହଂକଂରେ ଥିବା ଏକ ଆର୍ଥିକ ସଂସ୍ଥା। ଏହି ସଂସ୍ଥା ଓଡ଼ିଶାରେ ତା’ର ନେଟୱର୍କ ଚଳାଇଥିଲା। ଏଠାରେ ତାର ସହଯୋଗୀମାନେ ବୁଲିବୁଲି ରାଜଧାନୀରେ ଥିବା ବିଭିନ୍ନ କଫି କାଫେ, ସାଇବର କାଫେ ଓ ରେସ୍ତୋରାଁକୁ ଜମାକାରୀମାନଙ୍କୁ ଡକାଉଥିଲେ। ସେଠାରେ ଲାପଟପ ମାଧ୍ୟମରେ ଜମାକାରୀଙ୍କୁ କାମ୍ପାନିର ବିଭିନ୍ନ କାରବାର ସମ୍ପର୍କରେ ସୂଚନା ଦେଉଥିଲେ। ଏହା ପରେ ଏହି କମ୍ପାନିରେ ଟଙ୍କା ନିବେଶ କରିବାକୁ ଜମାକାରୀଙ୍କୁ ପ୍ରବର୍ତାଉ ଥିଲେ। ଜମାକାରୀମାନଙ୍କୁ କୁହାଯାଉଥିଲା, ଏକ ଲକ୍ଷ ଟଙ୍କା ଜମା କଲେ ୫ ବର୍ଷରେ ୧୦ କୋଟି ଟଙ୍କା ମିଳବ ବୋଲି। ସେହିପରି ରାଜଧାନୀର ଜଣେ ଗ୍ରାହକଙ୍କଠାରୁ ୫ ଲକ୍ଷ ଟଙ୍କା ନେଇ ୫୦ କୋଟି ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସମୟ ଅବଧି ଶେଷ ହୋଇ ଯାଇଥିଲେ ମଧ୍ୟ ଜମାକାରୀଜଣକ ଟଙ୍କା ପାଇ ନ ଥିଲେ। ଶେଷରେ ସେ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ନିକଟରେ ଅଭିଯୋଗ କରିଥିଲେ। ଅର୍ଥନୈତିକ ଶାଖା ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ପରେ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ଏହି ପ୍ରକାର ଚିଟଫଣ୍ଡ ସଂସ୍ଥା ବିଦେଶରୁ ଥାଇ ଓଡ଼ିଶାରେ ଅପରେଟ୍‌ କରିବା ସଂପୂର୍ଣ୍ଣ ଭାବେ ନୂଆ। ଏହି ଚିଟଫଣ୍ଡ ସଂସ୍ଥା ଓଡ଼ିଶା କିମ୍ବା ଦେଶର ଅନ୍ୟ ରାଜ୍ୟରେ ଏଭଳି ଠକେଇ କରୁଥିଲା କି ନାହିଁ, ତା’ର ତଦନ୍ତ ହେବ। ଭୁବନେଶ୍ବର ଓ ଓଡ଼ିଶାରେ ଏହି ସହଯୋଗୀମାନେ କାହାକୁ କାହାକୁ ଏଭଳି ଠକିଛନ୍ତି, ସେ ନେଇ ମଧ୍ୟ ଛାନଭିନ କରାଯିବ। ଏଥିପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବାକୁ କ୍ରାଇମ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଯୋଜନା କରୁଛି। ଆସନ୍ତାକାଲି ଏ ନେଇ କଟକଠାରେ ଥିବା ଓପିଆଇଡି କୋର୍ଟରେ ରିମାଣ୍ଡ ପାଇଁ ଆବେଦନ କରାଯିବ ବୋଲି କ୍ରାଇମ ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।