ଚିଟ୍‌ଫଣ୍ଡ ତଦନ୍ତ ଟର୍ମସ୍ ଅଫ୍ ରେଫରେନ୍ସରେ ସଂଶୋଧନ ନେଇ ସରକାରଙ୍କ ବିଜ୍ଞପ୍ତି, କେବଳ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ହେବ ତଦନ୍ତ

କଟକ: ଚିଟ୍‌ଫଣ୍ଡ ଘଟଣାର ତଦନ୍ତ ପାଇଁ ଜଣିକିଆ ବିଚାରବିଭାଗୀୟ କମିସନଙ୍କୁ ପ୍ରଦାନ କରାଯାଇଥିବା ଟର୍ମସ୍ ଅଫ୍ ରେ‌ଫରେନ୍ସରେ ସରକାର ସଂଶୋଧନ କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ସଂଶୋଧିତ/ପରିବର୍ତ୍ତିତ ଟର୍ମସ୍ ଅଫ୍ ରେଫେରେନ୍ସରୁ ସ୍ପଷ୍ଟ ହୋଇଛି ଯେ ଏବେ କମିସନ୍ କେବଳ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ତଦନ୍ତ କରିବେ। ଚିଟ୍‌ଫଣ୍ତ୍‌ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ରେ ଜଣିକିଆ କମିସନ୍‌ ଗଠନ କରାଯାଇଥିଲା। ପ୍ରଥମରୁ ୫ଟି ପ୍ରସ˚ଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ବ ପ୍ରଦାନ କରାଯାଥିଲା। ଏହାପରେ ପୂର୍ବ ଟର୍ମସ୍ ଅଫ୍ ରେଫରେନ୍ସରେ ଆଉ ଏକ ପ୍ରସଂଗ ଯୋଡା ଯାଇଥିଲା। ୨୦୧୫, ଫେବ୍ରୁଆରି ୨୦ରେ ସରକାର ଆଉ ଏକ ଅତିରିକ୍ତ ଟର୍ମସ୍ ଅଫ୍ ରେଫରେନ୍ସ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। ବେଆଇନ ଅର୍ଥ କାରବାର ଓ ଠକ କମ୍ପାନି ଗୁଡିକ ଦ୍ବାରା ପ୍ରଭାବିତ ହୋଇଥିବା ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ପ୍ରସଂଗରେ ତଦନ୍ତ ଦାୟିତ୍ବ କମିସନଙ୍କୁ ପ୍ରଦାନ କରାଯାଇଥିଲା। ଏବେ ୨୦୧୫, ‌ଫେବ୍ରୁଆରି ୨୦ର ଟର୍ମସ୍ ଅଫ୍ ରେଫରେନ୍ସରେ ସଂଶୋଧନ କରାଯାଇଛି। ପୂର୍ବରୁ ଥିବା ପ୍ରସଂଗରେ କିଛିଟା ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପ୍ରକୃତ ଜମାକାରୀ (ଇନ୍‌ଭେଷ୍ଟର)ଙ୍କୁ ଚିହ୍ନଟ କରାଯିବ ବୋଲି ଟର୍ମସ୍ ଅଫ୍ ରେଫରେନ୍ସରେ ରହିଥିଲା। କିନ୍ତୁ ଏବେ ପ୍ରକାଶିତ ପରିବର୍ତ୍ତିତ ବା ସଂଶୋଧିତ ବିଜ୍ଞପ୍ତିରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ (ସ୍ମଲ୍ ଇନଭେଷ୍ଟର) ବୋଲି ଉଲ୍ଲେଖ କରାଯାଇଛି। ୨୦୧୫, ଫେବ୍ରୁଆରି ୨୦ର ଗୃହ ବିଭାଗ ବିଜ୍ଞପ୍ତିରେ ସଂଶୋଧନ କରି ସରକାର ୨୦୧୯, ଡିସେମ୍ବର ୧୧ରେ ସାନି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଭଳି ବିଜ୍ଞପ୍ତି ପରେ ଚିଟଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ୍ କେବଳ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିବେ ବୋଲି ସ୍ପଷ୍ଟ ହୋଇଛି। ଦୁଇ ମାସ ତଳେ କମିସନ ବୃହତ ଜମାକରୀଙ୍କ ପ୍ରସଂଗରେ ବିଭିନ୍ନ ଚିଟଫଣ୍ଡ ସଂସ୍ଥାକୁ ନୋଟିସ୍ ଜାରି କରିଥିବା ବେଳେ ନଭେମ୍ବର ଶେଷ ସପ୍ତାହରୁ ଏ ସଂପର୍କିତ ତଦନ୍ତ ମାମଲା ଗୁଡିକର ଶୁଣାଣି ଆରମ୍ଭ କରିଥିଲେ। କିନ୍ତୁ ଏବେ କମିସନ୍ ବୃହତ ଜମାକରୀଙ୍କ ପ୍ରସଂଗରେ ଆଉ ଶୁଣାଣି କରୁ ନାହାନ୍ତି ବୋଲି ସୂଚନା ମିଳିଛି। ଏପରି ବିଜ୍ଞପ୍ତି ପରେ ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ ତଦନ୍ତ କେବଳ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ସୀମିତ ରହିବ ବୋଲି ସ୍ପଷ୍ଟ ହୋଇଛି।

ଅନ୍ୟପକ୍ଷରେ ବୃହତ ଜମାକାରୀଙ୍କ ପ୍ରସଂଗରେ ତଦନ୍ତକୁ ନେଇ ଏଭଳି ପରିସ୍ଥିତିରେ ଅନିଶ୍ଚିତତା ଦେଖା ଦେଇଛି। ବୃହତ ଜମାକାରୀଙ୍କ ଚିହ୍ନଟ କରାଯିବ କି ନାହିଁ ଓ ଏଯାଏ ବୃହତ ଜମାକାରୀଙ୍କ ପ୍ରସଂଗରେ ହୋଇଥିବା ତଦନ୍ତକୁ ନେଇ କି ପଦକ୍ଷେପ ଗ୍ରହଣ କରାଯିବ ତାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର