ଭୁବନେଶ୍ବର : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ବହୁଚର୍ଚ୍ଚିତ ଚିଟ୍ଫଣ୍ଡ କେଳେଙ୍କାରୀର ତଦନ୍ତ ଭାର ସିବିଆଇ ହାତକୁ ନେଲା। ହାତଗଣତି କିଛି ଚଢ଼ଉ, ଗିରଫଦାରିରେ ସୀମିତ ରହିଗଲା ତଦନ୍ତ। ଏଯାଏ ସବୁ ଠକ ସଂସ୍ଥାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିପାରିଲା ନାହିଁ କେନ୍ଦ୍ରୀୟ ସଂସ୍ଥା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ତଦନ୍ତ ବି ଅଧପନ୍ତରିଆ।
ଜମାକାରୀଙ୍କୁ ଟଙ୍କା ଫେରାଇବା ଲାଗି ବିଚାର ବିଭାଗୀୟ ତଦନ୍ତ କମିସନ ଗଠନ ହେଲା। ୨୦୨୦, ଫେବ୍ରୁଆରି ୪ରୁ ଚିଟ୍ଫଣ୍ଡ ଘଟଣାର ବିଚାରବିଭାଗୀୟ ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ କାର୍ଯ୍ୟକାଳ େଶଷ ହେଲାଣି। ରାଜ୍ୟ ସରକାର କମିସନଙ୍କ କାର୍ଯ୍ୟାଳୟ ଆଉ ବୃଦ୍ଧି କଲେ ନାହିଁ; ଏହି ତଦନ୍ତ କମିସନ ଅଚଳ ପ୍ରାୟ ପଡ଼ି ରହିଛି। କମିସନ ପ୍ରାୟ ୪ ଲକ୍ଷ ୯୭ ହଜାର ୮ଶହ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ସାତଟି ରିପୋର୍ଟ ପ୍ରଦାନ କରି ସାରିଛନ୍ତି। ଅଷ୍ଟମ ରିପୋର୍ଟ ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ସରକାର କମିସନକୁ ଅଚଳ କରିଦେଲେ ଓ ଏହି ଫାଇଲ ଜରିଆରେ ଯେତିକି ଜମାକାରୀ ଟଙ୍କା ଫେରିପାଇବା ଲାଗି ସୁଯୋଗ ସୃଷ୍ଟି ହୋଇଥାନ୍ତା, ସେମାନଙ୍କ ଭାଗ୍ୟ ଏହି ଫାଇଲ ଭିତରେ ରୁନ୍ଧି ହୋଇଗଲା।
ଅଧାରେ ଅଟକିଛି ସିବିଆଇ, ଇଡି ତଦନ୍ତ
ତଦନ୍ତ କମିସନ ଅଚଳ, ଗଦା ହୋଇଛି ସତ୍ୟପାଠ
ଟଙ୍କା ପାଇଲେନି ଜମାକାରୀ, ପ୍ରତାରିତ ହେଲେ
କେବଳ ସେତିକି ନୁହେଁ, ଦ୍ବିତୀୟ ପର୍ଯ୍ୟାୟରେ କମିସନଙ୍କ ନିକଟରେ ପ୍ରାୟ ୭ ଲକ୍ଷ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ସତ୍ୟପାଠ ଦାଖଲ କରିଥିଲେ। ଏହି ସତ୍ୟପାଠଗୁଡିକ କମିସନଙ୍କ କାର୍ଯ୍ୟାଳୟରେ ତଦନ୍ତ ଅପେକ୍ଷାରେ ପଡ଼ି ରହିଛି। ଏହି ସତ୍ୟପାଠର ଭବିଷ୍ୟତ କ’ଣ ହେବ, ତାହା କହିବା ମୁସ୍କିଲ୍।
ଆହୁରି ସାଂଘାତିକ କଥା ହେଲା, ମାତ୍ର ପାଖାପାଖି ୨୧ଶହ କ୍ଷୁଦ୍ର ଜମାକାରୀ କମିସନଙ୍କ ଜରିଆରେ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଛନ୍ତି। ଅନ୍ୟମାନେ ଟଙ୍କା ପାଇବେ କି ନାହିଁ, କେବେ ପାଇବେ, କେତେ ଟଙ୍କା ପାଇବେ ସେସବୁ ରହସ୍ୟରେ ରହିଛି।
ହଜାର ହଜାର କୋଟି ଟଙ୍କାର ଚିଟ୍ଫଣ୍ଡ କେଳେଙ୍କାରୀକୁ ଏମିତି ଢ଼ଙ୍ଗରେ ଦଳି ମକଚି ଦେବାକୁ ଯୋଜନା ଚାଲିଛି। ଉଭୟ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ କୋର୍ଟ ସମସ୍ତେ ଏ ପ୍ରସଙ୍ଗରେ ନିରବ ଅଛନ୍ତି। ଲକ୍ଷ ଲକ୍ଷ ଜମାକାରୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କେହି କିଛି କରିବା ସ୍ଥିତିରେ ନାହାନ୍ତି। ମଜାଦାର କଥା ହେଲା, ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ୍ ୨୦୧୨-୧୩ ମସିହା ବେଳକୁ ଓଡ଼ିଶାରେ ଚିଟ୍ଫଣ୍ଡ କେଳେଙ୍କାରୀକୁ ନେଇ ହଇଚଇ ସୃଷ୍ଟି ହେଉଥିଲା। ଇତିମଧ୍ୟରେ ଗୋଟିଏ ଦଶନ୍ଧି ବିତିସାରିଲାଣି ଏବଂ ଦୁଇ ଦୁଇଟି ସାଧାରଣ ନିର୍ବାଚନ ଶେଷ ହୋଇଛି। ଏଯାଏ କିନ୍ତୁ ଓଡ଼ିଶାର ଲକ୍ଷ ଲକ୍ଷ ନିରୀହ ଜନସାଧାରଣଙ୍କୁ ନ୍ୟାୟ ଦିଆଯାଇପାରିଲା ନାହିଁ।
ଏ ନେଇ ଜମାକାରୀଙ୍କ ଭିତରେ ଥିବା ଅସନ୍ତୋଷ ଏବେ ପୁଣି ଭୀଷଣ ରୂପ ନେବାକୁ ଯାଉଛି। ରାଜ୍ୟ ସରକାରଙ୍କ ବିରୋଧରେ ଏକ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିଲାଣି। ଯେଉଁ ଯାଜପୁରରେ ଏକଦା ଚାଷୀ ଆନ୍ଦୋଳନ ଆରମ୍ଭ ହୋଇ ସାରା ରାଜ୍ୟକୁ ବ୍ୟାପିଥିଲା, ସେହି ଯାଜପୁରରୁ ପୁଣି ଥରେ ସରକାରଙ୍କ ବିରୋଧରେ ଚିଟ୍ଫଣ୍ଡ ଆନ୍ଦୋଳନ ମୁଣ୍ଡ ଟେକିଛି।
ଚିଟ୍ଫଣ୍ଡ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମଙ୍ଗଳବାର ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣସତ୍ୟାଗ୍ରହ କରାଯାଇଥିଲା। ଶହଶହ କ୍ଷତିଗ୍ରସ୍ତ ଜମାକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରଉ କରିବା ସହ ସତ୍ୟାଗ୍ରହ କରି ଜମା କରିଥିବା ଅର୍ଥର ପ୍ରମାଣପତ୍ର ନକଲ ଦାଖଲ କରିଥିଲେ। କ୍ଷତିଗ୍ରସ୍ତ ଜମାକାରୀମାନେ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରିଥିଲେ। କେବଳ ସେତିକି ନୁହେଁ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଉଚ୍ଚତମ ନ୍ୟାୟାଳୟ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉଚ୍ଚନ୍ୟାୟାଳୟ, ଅର୍ଥ ବିଭାଗର ପ୍ରମୁଖ ସଚିବଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚର ରାଜ୍ୟ ସଭାପତି ଜୟନ୍ତ ଦାସ, ସମ୍ପାଦକ ମଧୁସୂଦନ ବିଶ୍ୱାଳ, ଯୁଗ୍ମ ଆବାହିକା ଅନୁରାଧା ସୁବୁଦ୍ଧି, ଉମେଶ ଚନ୍ଦ୍ର ନାୟକ, ସାହାରା ଜମାକାରୀ ମଞ୍ଚର ରାଜ୍ୟ ସଭାପତି ବିଜୟ କୁମାର ପାଢ଼ୀ, ସମ୍ପାଦକ ସଞ୍ଜିବ କୁମାର ପଣ୍ଡା, ଜିଲ୍ଲା ଆବାହକ ଉମେଶ ଚନ୍ଦ୍ର ସାହୁ, ବିଷ୍ଣୁଚରଣ ଜେନା ପ୍ରମୁଖ ରୋକ୍ଠୋକ୍ କହିଛନ୍ତି ଯେ ରାଜ୍ୟ ସରକାର ଅବିଳମ୍ବେ ପ୍ରତ୍ୟେକ ତହସିଲ ମାଧ୍ୟମରେ ଛୋଟବଡ଼ ସମସ୍ତ ଜମାକାରୀଙ୍କୁ ଚିହ୍ନଟ କରନ୍ତୁ। ଜବତ କରାଯାଇଥିବା ଅସାଧୁ ଚିଟ୍ଫଣ୍ଡ ସଂସ୍ଥାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଖୋଲା ନିଲାମ କରି ସେହି ଅର୍ଥକୁ ଛୋଟବଡ଼ ସମସ୍ତ ଜମାକାରୀଙ୍କୁ ପରିପକ୍ୱ ରାଶି ସହିତ ସୁଧ ଫେରସ୍ତ କରାଯାଉ। ଯେଉଁସବୁ ସଂସ୍ଥା ବିରୋଧରେ ତଦନ୍ତ ପ୍ରକ୍ରିୟାରେ ନାମକୁ ମାତ୍ର ସମ୍ପତ୍ତି ଜବତ ହୋଇଛି, ତାର ଅନ୍ୟ ସମସ୍ତ ସମ୍ପତ୍ତି ଜବତ ହେଉ। କେବଳ ସେତିକି ନୁହେଁ, ଜବତ ସମସ୍ତ ସମ୍ପତ୍ତିର ତାଲିକା ପ୍ରତି ଦୁଇମାସରେ ଥରେ ପ୍ରକାଶ କରିବାକୁ ମଧ୍ୟ ମଞ୍ଚ ଦାବି ରଖିଛି। ଅନ୍ୟଥା ପୁଣି ଥରେ ରାଜ୍ୟସାରା ଭୀଷଣ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ମଞ୍ଚ ଚେତାବନୀ ଦେଇଛି। ମଞ୍ଚ ଆହୁରି କହିଛି ଯେ ଦୁଇମାସ ପରେ ରାଜ୍ୟସ୍ତରୀୟ ଜମାକାରୀ ଗଣ ସତ୍ୟାଗ୍ରହ ପାଇଁ ଏବେଠାରୁ ପ୍ରତି ଗ୍ରାମରେ ଆମ ଜମା ଟଙ୍କା ଫେରସ୍ତ ଦାବିରେ 'ଆମେ ବି ଯିବୁ ଭୁବନେଶ୍ବର' ପ୍ରଚାର ଅଭିଯାନ ଚାଲୁ ରହିବ।
ଏଠାରେ ଉଲ୍ଲେଖଥାଉକି, ଚିଟ୍ଫଣ୍ଡ କେଳେଙ୍କାରୀ ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ରେ ରାଜ୍ୟ ସରକାର ଜଣିକିଆ କମିସନ ଗଠନ କଲେ। ମଞ୍ଚର ଚାପର ଆଗରେ ମୁଣ୍ଡ ନୁଆଁଇ ‘ଟର୍ମସ୍ ଅଫ୍ ରେଫରେନ୍ସ’କୁ ବାରମ୍ବାର ପରିବର୍ତ୍ତନ କରି ଏକାଧିକ ପ୍ରସଙ୍ଗ ଯୋଡ଼ିଲେ। କମିସନ ପାଇଁ ୬ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ହେଲେ ଫଳ ଶୂନ। ସେହିଭଳି ସେହି ୨୦୧୩ ଜୁଲାଇ ମାସରେ ରାଜ୍ୟ ସରକାର ଚିଟ୍ଫଣ୍ଡ ଜମାକାରୀଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି ଲାଗି ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ କଲେ। ଲକ୍ଷ ଲକ୍ଷ ଜମାକାରୀ କିନ୍ତୁ ନିରାଶ ଅଛନ୍ତି। ଜମାକାରୀ ଅନୁଭବ କଲେଣି ଯେ ସେମାନଙ୍କୁ କେବଳ ଠକ ସଂସ୍ଥାମାନେ ଲୁଟିନାହାନ୍ତି, ରାଜ୍ୟ ସରକାର, କେନ୍ଦ୍ରୀୟ ତଦନ୍ତ ସଂସ୍ଥା ମଧ୍ୟ ନ୍ୟାୟ ଦେଇନାହାନ୍ତି ବରଂ ଠକି ଦେଇଛନ୍ତି।