ବଲାଙ୍ଗୀର: ବିଶୁଦ୍ଧ ପାନୀୟ ଜଳ ନାଁରେ ଠକେଇ! ବୋର୍‌ୱେଲ୍‌ ପାଣି ଜାର୍‌ ପିଛା ୪୦ ଟଙ୍କା!

ଲାଇସେନ୍ସ ନନେଇ ଚାଲିଛି କାରବାର,
ପାଣି ପରୀକ୍ଷଣ କରିନାହାନ୍ତି,
ଫୁଡ୍‌ ଇନ୍‌ସ୍ପେକ୍ଟର ଚୁପ୍‌ କାହିଁକି?

ବଲାଙ୍ଗୀର: ପିଇବା ପାଣିକୁ ନେଇ ସବୁଠି ସମସ୍ୟା। ଏହାର ଫାଇଦା ନେଇ ବେପାର ଜମାଇଛନ୍ତି କିଛି ଅସାଧୁ ବ୍ୟବସାୟୀ। ଖୋଲାଖୋଲି ବେଆଇନ ଭାବେ ପାଣି କାରବାର କରୁଛନ୍ତି। ଯେଉଁ ପାଣିକୁ ଲୋକେ କିଣି ପିଉଛନ୍ତି ତାହା ତାଙ୍କ ବ୍ୟବହାର ଉପଯୋଗୀ ନା ନାହିଁ ସେମାନେ ଜାଣି ପାରୁ ନାହାନ୍ତି। ବଲାଙ୍ଗୀର ସହରରେ ପିଇବା ପାଣି କାରବାରର ଏବେ ଗୁମର ଖୋଲିବାରେ ଲାଗିଛି। ଲାଇସେନ୍ସ ନନେଇ ଲକ୍ଷ ଲକ୍ଷ ଟଙ୍କାର ପିଇବା ପାଣିର କାରବାର ଚାଲିଛି। ବିଲ୍‌ ଭାଉଚର ମାଗିଲେ ବି ଲୋକଙ୍କୁ ଦିଆଯାଉନି। କିଏ ନାଳକଡ଼େ ପାଣି ପ୍ୟାକିଂ ମେସିନ ବସାଇଛନ୍ତି ତ ଆଉ କିଏ ବୋର୍‌ୱେଲରୁ ପାଣି ଉଠାଇ ପ୍ୟାକିଂ କରୁଛନ୍ତି। ସାଧାରଣ କିଛି ବିଶୋଧନ ସାମଗ୍ରୀ ପକାଇ ପାଣିକୁ ବଜାରରେ ବିକ୍ରି କରୁଛନ୍ତି। ଗୋଟିଏ ପଟେ ବେଆଇନ କାରବାର ଚଳାଇଛନ୍ତି ଓ ଅନ୍ୟପଟେ ଜିଏସ୍‌ଟି ବି ଫାଙ୍କୁଛନ୍ତି। ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ଏବେ ପିଇବା ପାଣି କାରବାର କରୁଥିବା ବ୍ୟବସାୟୀ ମହଲରେ ବି ଛନକା ପଶିଲାଣି।

Puthiyathalaimurai

ମାଳମାଳ ପାଣି ପ୍ୟାକିଂ ଫ୍ୟାକ୍ଟ୍ରି ସହରରେ ରହିଛି। ପାଣି ଜାର୍‌ ଭଳିକି ଭଳି ଡିଜାଇନର ବଜାରରେ ବିକ୍ରି ହେଉଛି। ବିଭିନ୍ନ କମ୍ପାନି ନାଁରେ ମାଲିକମାନେ ବିଶୁଦ୍ଧ ପିଇବା ପାଣି ନାଁରେ କାରବାର ଚଳାଇଛନ୍ତି। ସିଦ୍ଧି, ଡଲ୍‌ଫିନ, ଆମ୍ମା ଭଗବାନ, ପାରସ୍‌ କୋଲ୍ଡ ୱାଟର୍‌ ସହ ଆଉ କିଛି କମ୍ପାନି ବର୍ତ୍ତମାନ ସହରରେ ବେପାର ଜମାଇଛନ୍ତି। ପାଣି ବେପାର କରୁଥିବା ମାଲିକମାନେ ଏବେ ମାଲାମାଲ ହୋଇଗଲେଣି। କିଏ ଟେଣ୍ଟ୍‌ହାଉସ ଚଳାଉଥିବା ମାଲିକ ଏବେ ପାଣି ବେପାରରେ ତ ଆଉ କିଏ ପାଣି ବେପାରରୁ ଏବେ ଆଉ ଅନ୍ୟ ବେପାରକୁ ବି ଯାଇଛନ୍ତି। ସୋଡ଼ା, କୋଲ୍‌ଡ୍ରିଙ୍କ୍‌ସ, ପନିର, ଛତୁର ବି ବେପାର ଚାଲିଛି। କମ୍ପାନି ନାଁରେ ସାଧାରଣ ଲାଇସେନ୍ସ ହାତେଇ ପିଇବା ପାଣି କାରବାର ସବୁ କରୁଛନ୍ତି। ସାରା ରାଜ୍ୟରେ ନକଲି କାରବାର ଉପରେ ଲଗାତାର ଚଢ଼ଉ ହୋଇଥିଲା। କିନ୍ତୁ ବଲାଙ୍ଗୀରରେ ନକଲି ପାଣି ବେପାର ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ପାଟଣାଗଡ଼ ଘଟଣା ଦେଖିଲେ ସେଠାରେ ସେ ଲାଇସେନ୍ସ ନେଇ କାରବାର କରୁଥିଲେ। ତଥାପି ସେଠି ପୁରୁଣା ଏକ୍ସପାୟରି ପାଣିକୁ ଷ୍ଟିକର୍‌ ବଦଳାଇ ପୁଣି ରିପ୍ୟାକିଂ କରାଯାଇ ବଜାରକୁ ଛଡ଼ାଯାଉଥିବା ପ୍ରଶାସନର ଚଢ଼ଉ ପରେ ଜଣାପଡ଼ିଥିଲା। ଏଠି ବଲାଙ୍ଗୀର ସହରରେ ଦେଖିଲେ କୌଣସି ଅନୁମତି ନନେଇ ମନମାନୀ ପିଇବା ପାଣି ଜାରର କାରବାର ଚାଲିଛି। ଏବେ କଥା ସାମ୍ନାକୁ ଆସିବା ପରେ ନାନା ବାହାନା ଆରମ୍ଭ କଲେଣି ବେପାରୀ। କିନ୍ତୁ ପାଣି ଜାର୍‌ ବେପାର କରୁଥିବା ମାଲିକଙ୍କ ପାଖରେ ବିଏସ୍‌ଏସ୍‌ଆଇ ସାର୍ଟିଫିକେସନ, ପାଣି ପରୀକ୍ଷଣ ରିପୋର୍ଟ, ଏଫ୍‌ଏଏସ୍‌ଏସ୍‌ଆଇ ଲାଇସେନ୍ସ କିଛି ବି ନାହିଁ। ପିଇବା ପାଣି କାରବାର କରିବାକୁ ୟୁନିଟ ବସାଇଲେ ଯାହା ସବୁ ନୀତିନିୟମ ରହିଛି କେହି ବି ପାଳନ କରୁ ନାହାନ୍ତି।

Thomasnet

ଖବର ନେବାରୁ ଜଣାଯାଇଛି ଯେ ବଲାଙ୍ଗୀର ସହରରେ ପ୍ରଥମ କରି ଦୁଇତିନି ଜଣ ପାଣି ବ୍ୟବସାୟ ଆରମ୍ଭ କରିଥିଲେ। ସେମାନେ କୌଣସି ନୀତିନିୟମକୁ ବହୁ ବର୍ଷ ହେଲା ଅନୁପାଳନ କରୁ ନାହାନ୍ତି। ନିଜ ନିଜ ଅଂଚଳରେ ମେସିନ ବସାଇ ପାଣି କାରବାର କରୁଛନ୍ତି। ପାଣିର ମାନ କଣ ସେମାନେ ନିଜେ ବି କହିପାରିବେ ନାହିଁ। କାରଣ ପାଣି ପରୀକ୍ଷଣ ରାଜ୍ୟ ଲାବ୍‌ରେ କରି ନାହାନ୍ତି। ଏବେ ସବୁ କଥା ସାମ୍ନାକୁ ଆସିବା ପରେ ପାଣି ବ୍ୟବସାୟ କରୁଥିବା ମାଲିକମାନେ ଖସିବାକୁ ଉପାୟ ଖୋଜିବା ଆରମ୍ଭ କରିଛନ୍ତି। ଏପରିକି ନିଜ ନିଜ ଜରିଆରେ ପ୍ରଶାସନକୁ ହାତ କରି କେମିତି କମ୍ପାନି ଉପରେ ଚଢ଼ଉ ନହେବ ସେ ଉଦ୍ୟମ ଜାରି ରଖିଛନ୍ତି। ଏପଟେ ଫୁଡ୍‌ ଇନ୍‌ସ୍ପେକ୍ଟରଙ୍କୁ ବି ସବୁ ଜଣା। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଗୋଟିଏ ପାଣି କାରବାର କରୁଥିବା ଫ୍ୟାକ୍ଟ୍ରିକୁ ଚଢ଼ଉ ହେଉ ନାହିଁ। ପାଣି କାରବାର କରୁଥିବା ବ୍ୟବସାୟୀ ଓ ଫୁଡ୍‌ ଇନ୍‌ସ୍ପେକ୍ଟରଙ୍କ ଭିତିରି ସଲାସୁତୁରାରେ କାରବାର ହେଉଥିବା ଚର୍ଚ୍ଚା ହେଉଛି।

ଠକେଇର ଶିକାର ଗ୍ରାହକ
ବଲାଙ୍ଗୀରରେ ଦୁଇଟି କମ୍ପାନିକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅନୁମତି ଦେଇଛି। କିନ୍ତୁ ସେମାନେ କେମିତି କାରବାର କରୁଛନ୍ତି ତାହାକୁ ତଦାରଖ କରାଯାଉ ନାହିଁ। ପ୍ରଶାସନ ବି ପାଣି ଫ୍ୟାକ୍ଟ୍ରି ସବୁରେ କଣ କାରବାର ହେଉଛି ତାହାର କୌଣସି ଖୋଜଖବର ରଖୁ ନାହିଁ। ଫଳରେ ମନମାନୀ ଏଠି ଚାଲିଛି। ଖୁଜେନପାଲିରେ ଥିବା ପାଣି ବୋତଲ କମ୍ପାନି ବୋତଲ ପିଛା ୭ଟଙ୍କା ଦରରେ ବଜାରକୁ ଛାଡୁଛି। ସେହି ପାଣି ବୋତଲକୁ ଦୋକାନୀମାନେ ୨୦ ଟଙ୍କା ଦରରେ ବିକ୍ରି କରୁଛନ୍ତି। ପ୍ରିଣ୍ଟ ରେଟ ୨୦ ଟଙ୍କାକୁ ହୋଲ୍‌ସେଲ ଦର ୭ ଟଙ୍କା ବୋଲି ଜଣାଯାଇଛି। ଏସବୁ କାରବାରରେ କିନ୍ତୁ ଗ୍ରାହକମାନେ ଠକେଇର ଶିକାର ହେଉଛନ୍ତି।

ସମ୍ବନ୍ଧିତ ଖବର