ଭୁବନେଶ୍ବର: କାହାର କିଷାନ୍ କ୍ରେଡିଟ୍ କାର୍ଡରେ ତ କାହାର ଟର୍ମ ଲୋନ୍ ନାଁରେ। ପୁଣି କାହାର ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ(ପିଏମ୍ଇଜିପି) ଯୋଜନା ସବସିଡ଼୍ ମାଧ୍ୟମରେ। ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ୩ କୋଟି ୩୩ଲକ୍ଷ ୫୨ହଜାର ଟଙ୍କା ହଡ଼ପ କରିଥିବା ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଶାଖା ପ୍ରବନ୍ଧକ ଓ କୃଷି ଅଧିକାରୀଙ୍କୁ କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଗିରଫ କରିଛି। ସେମାନେ ହେଲେ ପୂର୍ବତନ ଶାଖା ପ୍ରବନ୍ଧକ ଡମ୍ବରୁଧର ନାୟକ ଓ ପୂର୍ବତନ କୃଷି ଅଧିକାରୀ ଦେବୀଦତ୍ତ ପାଣିଗ୍ରାହୀ। ଉଭୟଙ୍କୁ ଗିରଫ ପରେ କଟକ ସ୍ପତନ୍ତ୍ର(ଇଓଡବ୍ଲ୍ୟୁ) କୋର୍ଟରେ ହାଜର କରାଯାଇଛି।
ସୂଚନା ମୁତାବକ, ଗତ ୨୦୧୫ ମସିହାରେ ଉଭୟ ଡମ୍ବରୁଧର ଓ ଦେବୀଦତ୍ତ କଟକ ଭଦ୍ରେଶ୍ବର ବ୍ରାଞ୍ଚରେ କାର୍ଯ୍ୟକରୁଥିବା ସମୟରେ ବ୍ୟାଙ୍କରୁ ଲୁଟ୍ ପାଇଁ ଯୋଜନା କରିଥିଲେ। ଏଥିପାଇଁ ସେମାନେ ଜାଲ୍କାଗଜପତ୍ର ଦେଇ ୬୮ଜଣଙ୍କ ନାମରେ କିଷାନ୍ କେଡିଟ୍ କାର୍ଡ ପ୍ରସ୍ତୁତ କରିଥିଲେ। ଏହି କିଷାନ କ୍ରେଡିଟ୍ କାର୍ଡ ଆକାଉଣ୍ଟ ମାଧ୍ୟମରେ ସେମାନେ ବ୍ୟାଙ୍କରୁ ୮୫ଲକ୍ଷ ୪୯ହଜାର ୯୪୧ ଟଙ୍କା। ସେହିପରି ୨୪ଟି ଟର୍ମ ଲୋନ ମାଧ୍ୟମରେ ଏକ କୋଟି ୪୯ଲକ୍ଷ ୧୮ହଜାର ଟଙ୍କା, ପିଏମ୍ଇଜିପି ଯୋଜନାରେ ୮ଜଣଙ୍କ ନାଁରେ ୧୫ଲକ୍ଷ ୬୦ହଜାର ଓ ୧୧୪ଜଣଙ୍କ ନାଁରେ ୮୩ଲକ୍ଷ ୨୪ ହଜାର ଟଙ୍କା ହଡ଼ପ କରିଥିଲେ। ସେମାନେ ଏଭଳି ଚଞ୍ଚକତା କରିଥିଲେ ଯେ, ଯେଉଁମାନଙ୍କ ନାମରେ ଆକାଉଣ୍ଟ ଖୋଲାଯାଇଥିଲା ସେମାନେ ନା ଟଙ୍କା ଜମା ନା ଟଙ୍କା ଉଠାଣର ଟେର୍ ପାଉଥିଲେ। ଏମିତି କି ବ୍ୟାଙ୍କ କର୍ମଚାରୀ ବି ଦୁର୍ନୀତିର ଗନ୍ଧ ପାଇନଥିଲେ। ୨୦୧୫ରୁ ୨୦୧୮ ମଧ୍ୟରେ ଉଭୟ ଏଭଳି ଚଞ୍ଚକତା କରି ୩କୋଟି ୩୩ଲକ୍ଷ ନେଇଯାଇଥିଲେ। ଅଡିଟ୍ ବେଳେ ଘଟଣା ପଦାକୁ ଆସିବାରୁ ଏନେଇ ଅଞ୍ଚଳିକ ମୁଖ୍ୟ ଅନାଦି ବିଶ୍ବାସ ଇଓଡବ୍ଲୁରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ମାମଲାର ତଦନ୍ତବେଳେ ଘଟଣା ପଦାକୁ ଆସିଛି। ଉଭୟଙ୍କୁ ଜେରା ପରେ ଆଜି କଟକ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି। ଏଥିରେ ଅନ୍ୟମାନଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି। ଦରକାର ପଡ଼ିଲେ ଉଭୟଙ୍କୁ ରିମାଣ୍ଡରେ ଅଣାଯାଇପାରେ ବୋଲି ଜଣେ ଅଧିକାରୀ କହିଛନ୍ତି।