ବିବାହିତା ମହିଳାଙ୍କୁ ପ୍ରତାରଣା, ଯନ୍ତ୍ରୀ ଗିରଫ

ଆଳି : ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ବ୍ଲାକମେଲ୍ ଓ ପ୍ରତାରଣା କରିବା ଅଭିଯୋଗରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଆଳି ପୁଲିସ ଗିରଫ କରିଛି। ଗିରଫ କନିଷ୍ଠ ଯନ୍ତ୍ରୀ ଆଳି ଥାନା ପାଇକସାହି ଗ୍ରାମର ସମରେନ୍ଦ୍ର ଜଗଦ୍ଦେବ ଓ ସେ ଯାଜପୁରରେ କାର୍ଯ୍ୟରତ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ରାପଡ଼ା ଥାନା ଅଞ୍ଚଳର ଏହି ୩୫ ବର୍ଷୀୟା ବିବାହିତ ମହିଳା ଗତ ୩୦ ତାରିଖରେ ଆଳି ଥାନାରେ ଏ ସଂପର୍କରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା।

ଅଭିଯୋଗ ଅନୁଯାୟୀ ସମରେନ୍ଦ୍ରଙ୍କ ଭଉଣୀ ପୀଡ଼ିତାଙ୍କ ଶାଶୂଘର ନିକଟରେ ବିବାହ କରିଛନ୍ତି। ସମରେନ୍ଦ୍ର ଭଉଣୀ ଘରକୁ ଯିବାଆସିବା ମଧ୍ୟରେ ପ୍ରଥମେ ଉକ୍ତ ମହିଳାଙ୍କ ସହିତ ଓ ପରେ ତାଙ୍କ ସ୍ବାମୀଙ୍କ ସହିତ ବନ୍ଧୁତା ଜମାଇଥିଲେ। ଏହାପରେ ସମରେନ୍ଦ୍ର ତାଙ୍କ ସ୍ବାମୀଙ୍କ ସହିତ ପାର୍ଟନରସିପ୍‌ ବ୍ୟବସାୟ ଆରମ୍ଭ କରିଥିଲେ। ବ୍ୟବସାୟିକ କାର୍ଯ୍ୟ ଆଳରେ ବାରମ୍ବାର ତାଙ୍କ ଘରକୁ ଆସିଥିଲେ। ଦିନେ ସ୍ବାମୀଙ୍କ ଅନୁପସ୍ଥିତିରେ କୌଶଳ କ୍ରମେ ପାଣିରେ ନିଶା ମିଶାଇ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ବେଳର ଭିଡିଓ ରେକର୍ଡିଂ କରି ପୀଡ଼ିତାଙ୍କୁ ବ୍ଲାକମେଲ୍ ସହ ସମରେନ୍ଦ୍ର ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ।

ପରେ ସ୍ବାମୀ ରହୁଥିବା ସ୍ଥାନରୁ ପୀଡ଼ିତାଙ୍କୁ ନେଇଆସି ଭୁବନେଶ୍ୱରରେ ଏକ ଭଡ଼ାଘରେ ରଖିଥିଲେ। ପୀଡ଼ିତା ଗର୍ଭବତୀ ହେବା ପରେ ସମରେନ୍ଦ୍ର ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିଲେ। ମହିଳା ଜନ୍ମ ଦେଇଥିବା ଶିଶୁ ପୁତ୍ରକୁ ଏବେ ୮ ମାସ ହୋଇଥିବା ବେଳେ ପୁତ୍ର ସନ୍ତାନ ଜନ୍ମ ପରେ ସମରେନ୍ଦ୍ର ଆଉ ଧରାଛୁଆଁ ଦେଇନଥିଲେ। ଫଳରେ ସଂପୃକ୍ତ ମହିଳା ୮ ମାସର ଶିଶୁକୁ ଧରି ନ୍ୟାୟ ପାଇଁ ଆଳି ଥାନାର ଦ୍ବାରସ୍ଥ ହୋଇଥିଲେ।

ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଆଳି ଥାନା ଅଧିକାରୀ ସଲୀଳ କୁମାର ପ୍ରଧାନ ଗତକାଲି ପୁଲିସ ଟିମ୍ ସହ ଯାଇ ସମରେନ୍ଦ୍ରଙ୍କୁ ତାଙ୍କ ପାଇକସାହିସ୍ଥିତ ଘରୁ ଗିରଫ କରିଥିଲେ। ଅଭିଯୁକ୍ତ ଓ ଅଭିଯୋଗକାରିଣୀଙ୍କ ଡାକ୍ତରୀ ମାଇନା କରାଯାଇଛି। ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର