କେସିଙ୍ଗା: ଜଣେ ବିବାହିତା ମହିଳାଙ୍କୁ ପ୍ରତାରଣା କରିବା ଜଣେ ଯବାନଙ୍କ ପାଇଁ ମହଙ୍ଗା ପଡ଼ିଛି। ଲୁଚି କି ବୁଧବାର ଅନ୍ୟ ସ୍ଥାନରେ ବିବାହ ପାଇଁ ବରଯାତ୍ରୀ ଧରି ଯାଉଥିବା ବେଳେ ମହିଳାଙ୍କ ଅଭିଯୋଗ କ୍ରମେ ପୁଲିସ୍ କୋରାପୁଟ ୩ନଂ ବାଟାଲିୟନର ଯବାନ ଅରବିନ୍ଦ ପ୍ରଧାନଙ୍କୁ ଗିରଫ କରିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ପ୍ରକାଶ ଯେ, କେସିଙ୍ଗା ଥାନା ତୁଣ୍ଡୁଳା ଗ୍ରାମର ଅରବିନ୍ଦ ଜଣେ ମହିଳାଙ୍କୁ ପ୍ରେମ କରୁଥିଲେ। ମହିଳା ଜଣକ ଅନ୍ୟତ୍ର ବାହାହେବା ପରେ ବି ଉଭୟଙ୍କ ପ୍ରେମ ଚାଲିଥିଲା। ଏହି କଥା ଜଣାପଡ଼ିବା ପରେ ମହିଳାଙ୍କୁ ତାଙ୍କ ସ୍ବାମୀ ଛାଡ଼ି ଦେଇଥିଲେ। ଏମିତି କି ତାଙ୍କ ବିବାହ ବିଚ୍ଛେଦର ମୁଖ୍ୟ କାରଣ ଅରବିନ୍ଦ ବୋଲି ମଧ୍ୟ ମହିଳା ଜଣକ ଅଭିଯୋଗ କରିଛନ୍ତି। ମାତ୍ର ଅରବିନ୍ଦ ଏହି ମହିଳାଙ୍କୁ ପ୍ରତାରଣା କରି ଅନ୍ୟତ୍ର ବିବାହ ପାଇଁ ପ୍ରସ୍ତୁତି ଚଲାଇଥିଲେ। ଏହା ଜାଣିବା ପରେ ପୁଲିସ୍ ପାଖରେ ଅଭିଯୋଗ ହୋଇଥିଲା। ମାତ୍ର ପରେ ସେମାନ ମଧ୍ୟ‌ରେ ଆପୋସ ବୁଝାମଣା ହୋଇଥିଲା। ବୁଧବାର ଦିନ ଅରବିନ୍ଦ ବରବେଶରେ ସଜାଇ ହୋଇ ବରଯାତ୍ରୀ ଯାଉଥିଲେ। ପ୍ରତାରିତ ମହିଳା ଆପୋସବୁଝାମଣାରେ ଅସନ୍ତୋଷ ହୋଇ ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶରେ କେସିଙ୍ଗା ପୁଲିସ୍ ବରଯାତ୍ରୀ ଯାଉଥିବା ସମୟରେ ଅରବିନ୍ଦଙ୍କୁ ଉଠାଇ ଆଣି କୋର୍ଟଚାଲାଣ ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି।