ରସିକିଆ ଡାକ୍ତରଙ୍କ ରାସଲୀଳା! ଗର୍ଭପାତ କରାଇବା ପରେ ଯୁବତୀଙ୍କୁ ଧୋକା

ବାହାଘର ନୁହେଁ, ଲିଭ୍‌ ଇନ୍‌ରେ ରହିବାକୁ କହିଲେ

ସମ୍ବଲପୁର/ବୁର୍ଲା : ରାଜ୍ୟରେ ଏକ ପ୍ରତିଷ୍ଠିତ ମେଡ଼ିକାଲ୍‌ କଲେଜରେ ପାଠ ପଢ଼ୁଥିବା ଜଣେ ଛାତ୍ର, ମେଡିକାଲ୍‌କୁ ନିଜ ମା’ଙ୍କ ଚିକିତ୍ସା କରାଇବାକୁ ଆସିଥିବା ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ଜୀବନ ସହିତ ଖେଳିବା ଆରମ୍ଭ କରିଥିଲା। ସେବେର ଡାକ୍ତରୀ ଛାତ୍ର ଏବେ ଡାକ୍ତର ହୋଇସାରିଲେଣି। ଏକ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ସେ ଡାକ୍ତର ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ତେବେ ଡାକ୍ତର ହେବା ମଧ୍ୟରେ କିନ୍ତୁ ସେ ବାରମ୍ବାର ଯୁବତୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ଗର୍ଭପାତ କରାଇଦେଲେ। ତାପରେ ବିବାହ ପାଇଁ କହିବାରୁ ସେ ତାଙ୍କୁ ଚିହ୍ନି ନଥିବା କହିବା ସହିତ ଲିଭ୍‌ ଇନ୍‌ ରିଲେସନ୍‌ରେ ରହିବାକୁ କହିଥିଲେ। ଏହାପରେ ପ୍ରତାରଣାର ଶିକାର ହୋଇଥିବା ଯୁବତୀ ଜଣକ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ପୁଲିସ ଯୁବତୀଙ୍କର ଡାକ୍ତରୀ ପରୀକ୍ଷା କରିବା ପରେ ଗୁରୁବାର ୧୬୪ ବୟାନ୍‌ ରେକର୍ଡ କରିଛି।

ଯୁବତୀଙ୍କ କହିବା ଅନୁଯାୟୀ, ଡାକ୍ତରଖାନା ଭିତରେ ପ୍ରଥମ ଦେଖାରେ ଯୁବତୀଙ୍କ ପ୍ରେମରେ ପଡ଼ି ଯାଇଥିଲା ଡାକ୍ତରୀ ଛାତ୍ର। ପରେ ସେ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ହେଲେ ଯୁବତୀ ଜଣକ ଏଥିରେ ରାଜି ହୋଇ ନଥିଲେ। ବୈଦିକ ରୀତିନୀତି ଅନୁସାରେ ବିବାହ କରିବାକୁ ପ୍ରତିଶ୍ରୁତି ଦେବା ପରେ ଯୁବତୀ ଉକ୍ତ ଡାକ୍ତରୀ ଛାତ୍ରଙ୍କ ପ୍ରେମ ନିବେଦନକୁ ସ୍ବୀକାର କରିଥିଲେ। ପରେ ଉଭୟଙ୍କ ଭିତରେ ସମ୍ପର୍କ ନିବିଡ଼ ହୋଇଥିଲା। ଏପରିକି ଯୁବତୀଙ୍କୁ ପୁରୀ ନେଇ ଶଙ୍ଖା, ସିନ୍ଦୂର ଦେଇ ବାହା ମଧ୍ୟ ହୋଇଥିଲେ। ଏକ ହୋଟେଲ୍‌ରେ ଏକାଠି ରହିଥିଲେ। ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀ ଜଣକ ଗର୍ଭବତୀ ଥିବା ଜାଣିବା ପରେ ଏ କଥା ଡାକ୍ତରଙ୍କୁ ଜଣାଇଥିଲେ। ବୈଦିକ ରୀତିନୀତି ଅନୁଯାୟୀ ବାହା ହେବାକୁ ଜିଦ୍‌ ଧରିଥିଲେ। ମାତ୍ର ଏଥିରେ ଡାକ୍ତର ରାଜି ହୋଇ ନଥିଲେ। ଗର୍ଭପାତ କଲେ ବିବାହ କରିବେ ବୋଲି କହିଥିଲେ। ଯୁବତୀ ଜଣଙ୍କ ଏଥିରେ ରାଜି ହେବା ପରେ ଉଭୟ ରାୟପୁର ଯାଇଥିଲେ। ସେଠାରେ ଡାକ୍ତର ଯୁବତୀଙ୍କ ଗର୍ଭପାତ କରାଇଥିଲେ। ଏହା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ସମ୍ପର୍କ ଜାରି ରହିଥିଲା।

ମାତ୍ର ଡାକ୍ତର ଜଣକ ଧୀରେ ଧୀରେ ଯୁବତୀଙ୍କଠାରୁ ଦୂରେଇବା ଆରମ୍ଭ କରିଥିଲେ। ଧୀରେ ଧୀରେ ଫୋନ୍‌ କରିବା ବି ବନ୍ଦ କରିଦେଇଥିଲେ। ଶେଷରେ ତାଙ୍କ ନମ୍ବର ମଧ୍ୟ ଆଉ ଲାଗି ନଥିଲା। କିଛିଦିନ ପରେ ନମ୍ବର ଲାଗିଥିଲେ ମଧ୍ୟ ବାହା ହେବାକୁ ସିଧା ସିଧା ମନା କରି ଦେଇଥିଲେ ଡାକ୍ତର। ଏପରିକି ତାଙ୍କୁ ଚିହ୍ନି ନଥିବା କହିଥିଲେ। ତେବେ ଲିଭ୍‌ ଇନ୍‌ ରିଲେସନ୍‌ରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ସବୁଆଡୁ ନିରାଶ ହେବା ପରେ ଶେଷରେ ଆଇନ୍‌ର ଆଶ୍ରୟ ନେଇଥିଲେ ଯୁବତୀ। ଓକିଲ ମାଧ୍ୟମରେ ଡାକ୍ତରଙ୍କ ପାଖକୁ ଲିଗାଲ୍‌ ନୋଟିସ୍‌ ପଠାଇଲେ। ଡାକ୍ତର କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଦେଲେ। ଏହାପରେ ଯୁବତୀ ଜଣକ ଲିଖିତ ଅଭିଯୋଗ କରିବା ପରେ ବୁର୍ଲା ଥାନାରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର