ଚଣ୍ତିଖୋଲ: ଫେସବୁକ୍ରୁ ଆରମ୍ଭ ହୋଇଥିଲା ପରିଚୟ। ପରେ ପ୍ରେମ। ଶେଷରେ ଉଭୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ମାତ୍ର ୨୨ ଦିନର ବୈବାହିକ ସମ୍ପର୍କ ପରେ ପତ୍ନୀକୁ ପ୍ରତାରଣା କରି ପ୍ରେମିକ ସ୍ବାମୀ ଜେଲ ଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ସୂଚନା ମୁତାବକ ଏହି ଥାନା ମହିପୁର ଗ୍ରାମର ଜଣେ ଯୁବତୀ ସହିତ ତାମିଲନାଡୁରେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲା ଗାଙ୍ଗପୁର ଥାନା କୁଲାଙ୍ଗ ଗ୍ରାମର କାହ୍ନା ନାୟକ (୨୨)ଙ୍କର ଫେସବୁକରେ ପରିଚୟ ହୋଇଥିଲା।
ପ୍ରେମ ସମ୍ପର୍କ ଗଢ଼ିଉଠିବା ପରେ କାହ୍ନା ମହିପୁର ଗ୍ରାମକୁ ଆସିଥିଲେ। ସେଠାରେ ଉଭୟଙ୍କ ବିବାହ ହୋଇଥିଲା। ବିବାହର ୨୨ ଦିନ ପରେ ଗତ ନଭେମ୍ବର ୨୦ ତାରିଖ କାହ୍ନା ପତ୍ନୀଙ୍କୁ ସାଙ୍ଗରେ ଧରି ମହିପୁର ଗ୍ରାମରୁ ବାହାରି ନିଜ ଘର କୁଲାଙ୍ଗ ଅଭିମୁଖେ ବାହାରିଥିଲା। ମାତ୍ର ସେ କଟକ ବାଦାମବାଡ଼ିରେ ଯୁବତୀଙ୍କୁ ଛାଡ଼ି କୁଆଡେ ଉଭାନ ହୋଇଯାଇଥିଲା। ଏନେଇ କାହ୍ନାର ଶ୍ବଶୁର ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶକ୍ରମେ ଗତ ୧ ତାରିଖରେ ଏସଆଇ ମନୋରଞ୍ଜନ ସେଠୀ ସଦଳବଳେ କୁଲାଙ୍ଗ ଗ୍ରାମରେ ଚଢ଼ଉ କରି କାହ୍ନାଙ୍କୁ ଗିରଫ କରିଥିଲା। ଗୁରୁବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି।