ଧୋକା ଦେଉଛି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର: ସ୍ମାର୍ଟସିଟିରେ ୯ରୁ ୨ଟିର ନିଜସ୍ବ ଘର ନାହିଁ

ବିଶ୍ରାଡାହାର ରୋଡ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ୟସ୍ଥାନରେ

ରାଉରକେଲା: ସ୍ମାର୍ଟସିଟିବାସିନ୍ଦାଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ରହିଛି ୯ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ଆବଶ୍ୟକୀୟ ଆନୁଷଙ୍ଗିକ ବ୍ୟବସ୍ଥା, ଡାକ୍ତର ନଥିବାରୁ ଅଧିକାଂଶ ପ୍ରାଥମିକ ସ୍ବାସ୍ଥ୍ୟ ସ୍ଥାନୀୟ ଲୋକଙ୍କୁ ଧୋକା ଦେଉଛି। ବାସନ୍ତୀ କଲୋନି ଡିଏଭି ଛକସ୍ଥ ସ୍ବାସ୍ଥ୍ୟକେନ୍ଦ୍ର ଠିକ୍‌ ଚାଲିଛି। ଅନ୍ୟଗୁଡ଼ିକ ଲୋକଙ୍କୁ ଯେତିକି ସୁବିଧା ଯୋଗାଇ ଦେବା ସେତିକି ଦେଇପାରୁ ନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସହରରର ବାସନ୍ତୀ କଲୋନି ଡିଏଭି ଛକ, ଛେଣ୍ଡ କଲୋନୀ (ଧାମରା ସଂଘ ଅଫିସ୍‌ ନିକଟ), ଓରାମ ପଡା ( ପାୱାର ହାଉସ୍‌ ରୋଡ), କୋଏଲନଗର, ଫର୍ଟିଲାଇଜର, ସେକ୍ଟର-୬ (ତାରା ତାରିଣୀ ମନ୍ଦିର ନିକଟ), ବନ୍ଧମୁଣ୍ଡା, ତିଲକାନଗର, ବାଲୁଘାଟ (ପଞ୍ଜାବୀ ବସ୍ତି) ଏମିତି ୯ଟି ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି।

ଫର୍ଟିଲାଇଜର ଓ ବାଲୁଘାଟ ପଞ୍ଜାବ ବସ୍ତି ନିକଟରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ର ଭଡାରେ ଚାଲିଛି। ବର୍ଷ ବର୍ଷ ଧରି ଭଡାରେ ଚାଲୁଥିବା ଏହି ଦୁଇଟି ସ୍ବାସ୍ଥ୍ୟକେନ୍ଦ୍ରରେ କେବେ ନିଜସ୍ବ ବିଲ୍‌ଡିଂ ନିର୍ମାଣ ହେବ କାହାରି ପାଖରେ ଉତ୍ତର ନାହିଁ। କୋଏଲନଗର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୧୦ ଦିନ ହେବ ଡାକ୍ତର ନାହାନ୍ତି। ନିଯୁକ୍ତି ପାଇଥିବା ଡାକ୍ତର ଚାଲିଯିବା ପରେ ଏଠାରେ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି। କାରଣ କୋଏଲନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ କୋଏଲନଗର, ଶକ୍ତିନଗର ସମେତ ଇସ୍ପାତ ସହରାଞ୍ଚଳ ଆଖପାଖ ବସ୍ତିର ଲୋକ ନିର୍ଭରଶୀଳ। ଡାକ୍ତରନଥିବାରୁ ପ୍ରତ୍ୟେକ ଦିନ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀମାନେ ନିରାଶ ହୋଇ ଯିବାକୁ ବାଧ୍ୟ ହେଉଛନ୍ତି। ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି। କେବେ ଡାକ୍ତର ନିଯୁକ୍ତି ହେବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ସନ୍ତୋଷଜନକ ଉତ୍ତର ଦେଇପାରୁ ନାହାନ୍ତି।

ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଜଣେ ଡାକ୍ତର, ଜଣେ ଷ୍ଟାଫ୍‌ ନର୍ସ, ଜଣେ ଫାର୍ମାସିଷ୍ଟ, ଜଣେ ଲାବ ଟେକ୍ନିସିଆନ୍‌ ରହିବା ଆବଶ୍ୟକ। ହସ୍ପିଟାଲ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଓ ଡାକ୍ତର ଥିବା କହୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଓଲଟା। ସେମିତି ସ୍ବାସ୍ଥ୍ୟ କେନ୍ଦ୍ର ପୂର୍ବାହ୍ନ ୮ଟାରୁ ୧୧ ଟା ଓ ସଂଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ହେବାର ନିୟମ ରହିଛି। ଏହି ନିୟମ କିଛି ସ୍ବାସ୍ଥ୍ୟ କେନ୍ଦ୍ରରେ ଠିକ୍‌ ଭାବେ ପାଳନ ହେଉ ନାହିଁ। ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ବନ୍ଦ କରି ଦିଆଯାଉଛି।

ଅନେକ ସମୟରେ ସଂଧ୍ୟାରେ ଖୋଲୁ ନଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ସବୁଠୁ ବେଶି ଦ୍ବନ୍ଦ ଉପୁଜିଛି ବିଶ୍ରା ଡାହାର ସ୍ବାସ୍ଥ୍ୟ କେନ୍ଦ୍ରରେ। କାରଣ ସ୍ବାସ୍ଥ୍ୟକେନ୍ଦ୍ର ବିଶ୍ରା ଡାହାର ରୋଡ ଇଣ୍ଡୋ ଇଂରାଜୀ ମାଧ୍ୟମ ସ୍କୁଲ ନିକଟରେ ରହିଛି। କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ର ବୋର୍ଡରେ ମହତାବ ରୋଡ ଲେଖାଯାଇଛି। ମହତାବରୋଡ ପରିବର୍ତ୍ତେ ବିଶ୍ରା ଡାହାର ରୋଡ ଲେଖିବାକୁ ସ୍ଥାନୀୟ ଲୋକ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି। ଅଦ୍ୟାବଧି ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସ୍ବାସ୍ଥ୍ୟକେନ୍ଦ୍ରର ଅସଲି ଠିକଣାକୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି। ଏହା ବ୍ୟତିରେକ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଅନେକ ସମସ୍ୟା ରହିଛି। ତେବେ ସ୍ମାର୍ଟସିଟିରେ ସ୍ଥାନୀୟ ଲୋକଙ୍କୁ ସ୍ବାସ୍ଥ୍ୟସେବାରେ ଧୋକା ଦେଉଥିବା କିଛି କେନ୍ଦ୍ରର ରହିଥିବା ପ୍ରାଥମିକ ସମସ୍ୟା ଓ ଆନୁଷଙ୍ଗିକ ବ୍ୟବସ୍ଥାକୁ ତୁରନ୍ତ ସମାଧାନ କରିବାକୁ ଦାବି ହେଉଛି। ଏଥିସହ ଯେଉଁ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ ହୋଇଯାଉଛି, ସେଥିପ୍ରତି ମଧ୍ୟ ବିଭାଗୀୟ ଅଧିକାରୀ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର