ଯାଞ୍ଚ ହେବ +୩ କଲେଜ ଭିତ୍ତିଭୂମି, ମେ’ ପହିଲାରୁ ମିଳିତ ଚଢ଼ଉ

ଭୁବନେଶ୍ବର: ଯାଞ୍ଚ ହେବ ଯୁକ୍ତ୩ କଲେଜର ଭିତ୍ତିଭୂମି। ସରକାରୀ ସମେତ ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ଉପ‌ରେ ଚଢ଼ଉ କରାଯାଇ ଭିତ୍ତିଭୂମି ଠିକ୍‌ ଅଛି କି ନାହିଁ, ତଦାରଖ କରାଯିବ। ୨୦୧୯-୨୦ ଶିକ୍ଷା ବର୍ଷରେ ନୂଆ କଲେଜ ଓ ପାଠ୍ୟକ୍ରମ ଖୋଲିବା ପୂର୍ବରୁ ବି ବିଶ୍ବବିଦ୍ୟାଳୟ ଓ ଆଞ୍ଚଳିକ ଶିକ୍ଷା ଅଧିକାରୀଙ୍କ ଦ୍ବାରା ମିଳିତ ଯାଞ୍ଚ ହେବ। ଯଦି ଉପଯୁକ୍ତ ଭିତ୍ତିଭୂମି ନ ଥିବ, ତେବେ କଲେଜ ଚାଲିବାକୁ ଅନୁମତି ଦିଆଯିବ ନାହିଁ। ମେ’ ପହିଲାରୁ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉତ୍କଳ ସମେତ ବ୍ରହ୍ମପୁର, ସମ୍ବଲପୁର, ଫକୀର‌ ମୋହନ, ଉତ୍ତର ଓଡ଼ିଶା, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କୁ କୁହାଯାଇଛି।

ଆହୁରି କୁହାଯାଇଛି ଯେ ଯୁକ୍ତ୩ କଲେଜରେ ଶ୍ରେଣୀ-ସେକ୍ସନରେ ଛାତ୍ର ଓ ଅଧ୍ୟାପକଙ୍କ ଅନୁପାତ ଠିକ୍‌ ରହିବା ଆବଶ୍ୟକ। ଅନୁପାତ ଠିକ୍‌ ନ ଥିଲେ ସେଠାରେ ପ୍ରଥମ ବର୍ଷ ନାମଲେଖା ବନ୍ଦ କରାଯିବ। ନୂଆ କଲେଜ ଓ ବିଭାଗ ଖୋଲିବା, ସିଟ୍‌ ସଂଖ୍ୟା‌ ବୃଦ୍ଧି, ସ୍ଥାୟୀ ଅନୁମତି ପ୍ରଦାନ ନିୟମକୁ ମେ’ ପହିଲାରୁ କଡ଼ାକଡ଼ି ଲାଗୁ କରିବାକୁ ବି କୁହାଯାଇଛି। ଯେଉଁ କଲେଜଗୁଡ଼ିକର ଭିତ୍ତିଭୂମି ଯାଞ୍ଚ ପ୍ରକ୍ରିୟା ବାକି ରହିଛି, ତାହାକୁ ଏପ୍ରିଲ ୩୦ ପରେ ଆରମ୍ଭ କରିବାକୁ ନିର୍ଦେଶ ଦିଆଯାଇଛି। ବିଶ୍ବବିଦ୍ୟାଳୟ କୁଳପତି ସମେତ ଉଚ୍ଚଶିକ୍ଷା ନିର୍ଦେଶକ ଏ ଦିଗରେ ପଦକ୍ଷେପ ନେବେ। କେବେ କେଉଁ ଦିନ ଚଢ଼ଉ କରିବେ, ତାହା ସ୍ଥିର କରିବେ। କଲେଜସ୍ତରରେ ଅଧ୍ୟାପକଙ୍କ ସଂଖ୍ୟା ସମୀକ୍ଷା କରାଯିବ। ଯଦି ୨୦୧୮ ଶିକ୍ଷାବର୍ଷରେ କୌଣସି କଲେଜ ଅଧ୍ୟାପକ ପଦବି ପୂରଣ କରିନଥିବେ, ତେବେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହେବ। କାହିଁକି କଲେଜ ବନ୍ଦ କରାଯିବ ନାହିଁ ବୋଲି ପ୍ରଶ୍ନ କରାଯିବ। ଯୁକ୍ତ ୩ କଲେଜ ଉପରେ ଚଢ଼ଉ ପୂର୍ବରୁ ଆଞ୍ଚଳିକ ଶିକ୍ଷା ଅଧିକାରୀମାନେ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଗୋଟିଏ ସପ୍ତାହ ପୂର୍ବରୁ ଜଣାଇବେ। ଫଳରେ ଉଭୟ ମିଳିତ ଭାବେ ଚଢ଼ଉ କରି ଯାଞ୍ଚ କରିପାରିବେ। ଏଥିସହ ନୂଆ କଲେଜ ଓ ବିଭାଗ ଖୋଲିବା ପାଇଁ ଶ୍ରେଣୀ‌ରେ ଅତି କମ୍‌ରେ ୩୨ଟି ସିଟ୍‌ ରହିବା ନିତାନ୍ତ ଆବଶ୍ୟକ ବୋଲି ଉଚ୍ଚଶିକ୍ଷା ବିଭାଗର ଉଚ୍ଚ କ୍ଷମତା ସଂପନ୍ନ କମିଟି(ଏଚ୍‌ପିସି) ବୈଠକରେ ସ୍ଥିର ହୋଇଛି।

ଏହାବ୍ୟତୀତ କଲେଜରେ ସିଟ୍‌ ବୃଦ୍ଧି ଲାଗି ଅନୁମତି, ନୂଆ ଅନର୍ସ ବିଷୟ ଖୋଲିବା, ନୂଆ ବିଷୟ ଖୋଲିବା, ସ୍ଥାୟୀ ଅନୁମତି, ନୂଆ ପ୍ରଫେସନାଲ କଲେଜ ଖୋଲିବା ଓ ଅନୁମତି ପ୍ରଦାନ, ରାଜ୍ୟରେ ଥିବା କଲେଜରେ ପ୍ରଫେସନାଲ ପାଠ୍ୟକ୍ରମ ଖୋଲିବା, ନୂଆ ଆଇନ ଓ ସଂସ୍କୃତ କଲେଜ ଖୋଲିବା‌ ପରି ବିଷୟଗୁଡ଼ିକ ଉପରେ ଆସନ୍ତା ଶିକ୍ଷାବର୍ଷରୁ ଗୁରୁତ୍ବ ଦେବାକୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର