ଚେକ୍‌ ବାଉନସ ମାମଲା : ପୂର୍ବତନ ପୌରାଧ୍ୟକ୍ଷାଙ୍କ ବିରୋଧରେ ଗିରଫ ପରୱାନା

ଯାଜପୁର : ଏକ ଚେକ ବାଉନ୍‌ସ ମାମଲାରେ ବ୍ୟାସନଗର ପୌର ପରିଷଦର ପୂର୍ବତନ ପୌରାଧ୍ୟକ୍ଷା ସରୋଜିନୀ ବଳଙ୍କ ନାମରେ ଯାଜପୁର ରୋଡ଼ ଜେଏମ୍‌ଏଫ୍‌ସି ଗିରଫ ପରୱାନା ଜାରି କରିଛନ୍ତି। ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ପାଇଁ ଯାଜପୁରରୋଡ ପୁଲିସକୁ ନିର୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଉମାପଦା ଗ୍ରାମର ସ୍ବର୍ଗତ ମାର୍କଣ୍ଡ ନାୟକଙ୍କ ପୁଅ ଶିଶିରଙ୍କ ଠାରୁ ସ୍ବାମୀ ଗୋବିନ୍ଦ ଜେନାଙ୍କ ବ୍ୟବସାୟ ପାଇଁ ୨୦୧୮ ମସିହା ଜାନୁଆରି ମାସରେ ଶ୍ରୀମତୀ ବଳ ୧୩ ଲକ୍ଷ ଟଙ୍କା ଧାର ସୂତ୍ରରେ ନେଇଥିଲେ। ଏହି ଟଙ୍କା ୧୫ଦିନ ଭିତରେ ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର, ପରବର୍ତ୍ତୀ ସମୟରେ ଶ୍ରୀମତୀ ବଳ ଆଉ ଟଙ୍କା ଫେରାଇ ନଥିଲେ। ବାରମ୍ବାର ଟଙ୍କା ମାଗିବା ପରେ ୨୦୧୮ ଫେବ୍ରୁଆରି ୨୦ ତାରିଖରେ ଶ୍ରୀମତୀ ବଳ ୧୩ ଲକ୍ଷ ଟଙ୍କାର ଆହ୍ଲାବାଦ ବ୍ୟାଙ୍କର ଏକ ଚେକ(ନଂ- ୮୩୬୧୪୮) ତାଙ୍କୁ ଦେଇଥିଲେ। ଶିଶିର ଚେକ୍‌ ପାଇବା ପରେ ବ୍ୟାଙ୍କ ଅଫ ବରୋଦାରେ ଥିବା ତାଙ୍କ ଆକାଉଣ୍ଟ୍‌ରେ ଲଗାଇଥିଲେ। ଶ୍ରୀମତୀ ବଳଙ୍କ ଆକାଉଣ୍ଟରେ ଟଙ୍କା ନଥିବାରୁ ଚେକ୍‌ଟି ବାଉନ୍‌ସ ହୋଇଯାଇଥିଲା। ଏହା ଜାଣିବା ପରେ ଶିଶିର ଓକିଲଙ୍କ ଜରିଆରେ ଶ୍ରୀମତୀ ବଳଙ୍କୁ ନୋଟିସ୍‌ କରି ୧୫ଦିନ ଭିତରେ ଫେରାଇବାକୁ ଜଣାଇଥିଲେ। କିନ୍ତୁ ସେ ଟଙ୍କା ନିର୍ଦ୍ଦିଷ୍ଟ ଦିନ ମଧ୍ୟରେ ଫେରାଇ ପାରି ନଥିଲେ। ପରେ ଶ୍ରୀ ନାୟକ ଯାଜପୁରରୋଡ଼ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ।

ମାମଲା ନଂ ୱାନ ସିସି-୯୮ର ବିଚାର ପ୍ରକ୍ରିୟାରେ କୋର୍ଟ ଶ୍ରୀମତୀ ବଳଙ୍କୁ ପକ୍ଷ ରଖିବାକୁ ନୋଟିସ୍‌ କରିଥିଲେ ହେଁ ସେ ହାଜର ହୋଇ ନଥିଲେ। ଫଳରେ କୋର୍ଟ ଶ୍ରୀମତୀ ବଳଙ୍କ ନାମରେ ଗିରଫ ପରୱାନା ଜାରି କରିବା ସହିତ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ପାଇଁ ଯାଜପୁର ରୋଡ଼ ପୁଲିସକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର