ଦେବଗଡ଼: ଚାଷଜମିକୁ ଜଳସେଚନ କରିବା ପାଇଁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରୁଛନ୍ତି ଚେକ୍ ଡ୍ୟାମ୍। କିନ୍ତୁ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ନିର୍ମିତ ହୋଇଥିବା ଚେକ୍ ଡ୍ୟାମ୍ ନିମ୍ନମାନର କାମର ସଙ୍ଗିନ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ନିର୍ମାଣର କିଛିମାସ ପରେ ଉକ୍ତ ଚେକ୍ ଡ୍ୟାମ୍ ଭୁଶୁଡ଼ି ପଡ଼ିଛି। ଏଭଳି ଅଭିଯୋଗ ଆସିଛି ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକର ବଣିଆଁକିଲିଣ୍ଡା ପଞ୍ଚାୟତରୁ। ପ୍ରାପ୍ତ ସୂଚନା ଅନୁଯାୟୀ, ତିଲେଇବଣି ବ୍ଲକ ବଣିଆଁକିଲିଣ୍ଡା ପଞ୍ଚାୟତ ଅନ୍ତର୍ଗତ ସୁନାମୁଣ୍ଡା ବନ୍ଧବାରିଆ ଗ୍ରାମରେ ଚାଷଜମିକୁ ଜଳସେଚନ କରିବା ପାଇଁ ସରକାର ୨୦୨୦ -୨୧ ମସିହାରେ ନିର୍ମାଣ କରିଥିଲେ ଏହି ଚେକ୍ ଡ୍ୟାମ। ଅନ୍ୟପଟେ ତିଳେଇବଣି ବ୍ଲକରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିର୍ମାଣ ହୋଇଥିବା ଏହି ଚେକ୍ଡ୍ୟାମରେ ବ୍ୟୟ ହୋଇଥିଲା ୧୦ ଲକ୍ଷ ଟଙ୍କା।
ଏହି କାର୍ଯ୍ୟ ଲାଗି ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ୱାର୍କ ଅର୍ଡର ଥିବା ବେଳେ ନିର୍ମାଣ କରିଥିଲେ ଏହି ଅଞ୍ଚଳର ଜଣେ ରାଜନେତା ତଥା ଠିକାଦାର। ଅପରପକ୍ଷେ ସମ୍ପୃକ୍ତ ଠିକାଦାର ଜଣକ ଅନୁଦାନ ଅର୍ଥ ଆତ୍ମସାତ ଲକ୍ଷ୍ୟରେ ଏଷ୍ଟିମେଟ୍ ଅନୁଯାୟୀ ଏହାର ନିର୍ମାଣ କାର୍ଯ୍ୟ କରି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ମଧ୍ୟ ଏହାର ଉପଯୁକ୍ତ ତଦାରଖ ମଧ୍ୟ କରି ନଥିଲେ। ଫଳରେ ଏହି ଚେକ୍ ଡ୍ୟାମଟି ନିର୍ମାଣ ହେବାର ମାତ୍ର କିଛିମାସ ମଧ୍ୟରେ ଭୁଶୁଡ଼ି ପଡ଼ିଥିଲା। ଏ ନେଇ ଗ୍ରାମବାସୀ ଜିଲ୍ଲାପାଳ ଏବଂ ତିଲେଇବଣି ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଲିଗାଲ ରାଇଟସ କାଉନ୍ସିଲର୍ ରାଜ୍ୟ ସଭାନେତ୍ରୀ ରାଣୀ ଅରୁନ୍ଧତୀ କୁମାରୀ ଦେବୀ ଉକ୍ତ ଘଟଣାର ଭିଜିଲାନ୍ସ ତଦନ୍ତ କରିବା ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/କ65f4h6f564f65h4f65h4fh65f4sh65hf.jpg)