ନୂଆଗାଁ : ଚାଷୀଙ୍କ ପେଟକୁ ଲାତ ମାରୁଛି କ୍ଷୁଦ୍ର ଜଳେସଚନ ବିଭାଗ। ଚେକ୍ଡ୍ୟାମ୍ ନିର୍ମାଣ ନାଁ’ରେ ଲୁଟ୍ ହେଉଛି ଲକ୍ଷ ଲକ୍ଷ ଟଙ୍କା। ଅଧାରୁ ଅଧିକ ଚେକ୍ଡ୍ୟାମ୍ ଭାଙ୍ଗିରୁଜି ଯାଇଥିବା ବେଳେ ସବୁ ଚାଷ ଜମି ଏବେ ଖାଁ ଖାଁ। ନୂଆଗାଁ ବ୍ଲକ୍ରେ ନିର୍ମାଣ ହୋଇଥିବା ବିଭିନ୍ନ ଚେକ୍ଡ୍ୟାମ୍ରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି।
ଖବରରୁ ପ୍ରକାଶ, ରାଜ୍ୟ ସରକାର କୃଷି କ୍ଷେତ୍ରରେ କୃଷକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଜଳସେଚନଠାରୁ ଆରମ୍ଭ କରି ବିହନ, ସାର ଏବଂ ସମସ୍ତ ଯନ୍ତ୍ରପାତି ଉପକରଣ ପାଇଁ ସବ୍ସିଡିର ସୁବିଧା କରିଛନ୍ତି। ଏଥିପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ସରକାରୀ କର୍ମଚାରୀଙ୍କ ବେପରୁଆ ମନୋଭାବ ଯୋଗୁ ସବୁ ଯୋଜନା ବାଟବଣା ହେବାରେ ଲାଗିଛି। ନୂଆଗାଁ ବ୍ଲକ୍ରେ ନିର୍ମାଣ ହୋଇଥିବା ଚେକ୍ଡ୍ୟାମ୍ କାମରେ ଆସୁନଥିବା ବେଳେ ଠିକାଦାର-ଯନ୍ତ୍ରୀ ଏହାର ବେଶ୍ ଫାଇଦା ଉଠାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ନୂଆଗାଁ ବ୍ଲକ୍ ମାଳିସାହି ପଞ୍ଚାୟତର ରାଜନପଲ୍ଲୀ, ଢିପାମାଳ, ମାଇଛେଳି ପଞ୍ଚାୟତର ସଂପଡ଼ା, ପାରାଢ଼ିପି ପଞ୍ଚାୟତର ଅଭୟପୁର, ବାହାଡ଼ାଝୋଲାର କାଳିଆମ୍ବା ଓ ସିଙ୍ଗାରପଲ୍ଲୀଠାରେ ଲକ୍ଷାଧିକ ବ୍ୟୟରେ ନିର୍ମାଣ ହୋଇଥିବା ଚେକ୍ଡ୍ୟାମ୍ ଏହାର ଜ୍ବଳନ୍ତ ଉଦାହରଣ।
ଏସବୁ ପଛରେ ଠିକାଦାର ଓ ରାଜନେତାଙ୍କ ପ୍ରାଦୁର୍ଭାବ ଥିବା ବେଳେ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ କେବେ କାର୍ଯ୍ୟର ତଦାରଖ କରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନଙ୍କ ସ୍ବାର୍ଥକୁ ଦେଖି ଯେଉଁ ସ୍ଥାନରେ ଚେକ୍ଡ୍ୟାମ୍ ନିର୍ମାଣ କରିବା କଥା ସେହି ସ୍ଥାନରେ କରାଯାଉନାହିଁ। ଯାହା ଫଳରେ ଶହଶହ ଏକର ଚାଷ ଜମି ପଡ଼ିଆ ପଡ଼ୁଥିବା ବେଳେ ଚାଷୀମାନେ ମୁଣ୍ତରେ ହାତ ଦେଇ ବସିଛନ୍ତି। ଏପଟେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଚେକ୍ଡ୍ୟାମ୍ ନିର୍ମାଣ ହେଉଥିବା ସ୍ଥାନରେ ଅଧିକାଂଶ ଜମି ପଡ଼ିଆ ପଡ଼ୁଥିବାର ଦୃଷ୍ଟାନ୍ତ ରହିଛି। ଗୋଟିଏ ହେଲେ ଚେକ୍ଡ୍ୟାମ୍ରୁ ପାଣି ଚାଷ ଜମିକୁ ମାଡ଼ୁନଥିବା ବେଳେ ସବୁ ଚେକ୍ଡ୍ୟାମ୍ଗୁଡ଼ିକ ଭଗ୍ନ ଅବସ୍ଥାରେ ରହିଛି। ବର୍ତ୍ତମାନ ନୂଆଗାଁର ଝାଲକାଟି ନାଳ ଚେକ୍ଡ୍ୟାମ୍ ପାଇଁ ୨୮ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ସଂପଡ଼ା ପତାକା ନାଳ ପାଇଁ ୩୮ ଲକ୍ଷ ଓ ପାରାଢ଼ିପି ପଞ୍ଚାୟତର ଅଭୟପୁର ଚେକ୍ଡ୍ୟାମ୍ ପାଇଁ ୧୧ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ଜଣାପଡ଼ିଛି। କରୋନା ମହାମାରୀ ସମୟରେ ଲକ୍ଡାଉନ୍ ଚାଲିଥିବାରୁ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଠିକାଦାର ବେଶ୍ ଫାଇଦା ନେଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏହିସବୁ ଚେକ୍ଡ୍ୟାମ୍ କାହା ସ୍ବାର୍ଥରେ ନିର୍ମାଣ ହେଉଛି ଏବଂ ଏଥିପାଇଁ କିଏ ଦାୟୀ ବୋଲି ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।