ଭଦ୍ରକ: ରାଜ୍ୟର କେତେକ ସ୍ଥାନରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)କୁ ଘରୋଇ ନର୍ସିଂହୋମଗୁଡିକ ବେଖାତିର କରୁଥିବା ନଜରକୁ ଆସିଛି। ଭଦ୍ରକ ଜିଲ୍ଲାରେ ଏନେଇ ଅଭିଯୋଗ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ଯାଞ୍ଚ କରାଯାଇଛି। ଯଦି ଏହି ଯୋଜନାକୁ କେହି ବେଖାତିର କଲେ ପସ୍ତେଇବେ ବୋଲି ସ୍ପଷ୍ଟ କରି ଦିଆଯାଇଛି। ଲାଇସେନ୍ସ ରଦ୍ଦ କଲାଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ କରାଯାଇଛି।
ଭଦ୍ରକ ଜିଲ୍ଲାର ବିଭିନ୍ନ ନର୍ସିଂ ହୋମରେ ମଙ୍ଗଳବାର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି। ରାଜ୍ୟ ସରକାର ଗରିବ ଲୋକଙ୍କୁ ପ୍ରଦାନ କରିଥିବା ବିଜୁ ସ୍ବାସ୍ଥ୍ୟ କାର୍ଡରେ ଘରୋଇ ନର୍ସିଂ ହୋମଗୁଡିକରେ ଉପଯୁକ୍ତ ସେବା ମିଳି ପାରୁନଥିବାରୁ କିଛି ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଏ ନେଇ କ୍ଷେତ୍ରୀୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଭଦ୍ରକ ଜିଲ୍ଲାର ବିଭିନ୍ନ ନର୍ସିଂ ହୋମରେ ଯାଞ୍ଚ କରାଯାଇଥିଲା। ରୋଗୀମାନଙ୍କଠାରୁ ସ୍ବାସ୍ଥ୍ୟ କାର୍ଡ ନେବା ପରେ ବି ବିଭିନ୍ନ ରୋଗର ଟେଷ୍ଟ ଆଳରେ ଅଧିକ ଟଙ୍କା ନିଆ ଯାଉଥିବା ଅଭିଯୋଗ ହୋଇଥିଲା।
ଗରିବ ରୋଗୀ ବିଜୁ ସ୍ବାସ୍ଥ୍ୟ କାର୍ଡକୁ ଭରସା କରି ଚିକିତ୍ସା ପାଇଁ ଘରୋଇ ନର୍ସିଂ ହୋମକୁ ଆସୁଥିବା ବେଳେ କିଛି ଘରୋଇ ନର୍ସିଂ ହୋମ ମାଲିକ ଓଲଟା ଟେଷ୍ଟ ଆଳରେ ରୋଗୀଙ୍କଠାରୁ ଟଙ୍କା ଶୋଷଣ କରିବା ଘଟଣା ଚର୍ଚ୍ଚାକୁ ଆସିଥିଲା। ପରେ ଏହାର ସତ୍ୟାସତ୍ୟ ଯାଞ୍ଚ କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗରିବ ରୋଗୀଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡରୁ ଯାହା ସହାୟତା ମିଳିବା କଥା ତାହା ସେମାନଙ୍କୁ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। ସେଥିରୁ ଟଙ୍କା ଟିଏ ଅଧିକ ରୋଗୀଙ୍କ ଠାରୁ ଶୋଷଣ କଲେ ସଂପୃକ୍ତ ଘରୋଇ ନର୍ସିଂ ହୋମ୍ ଉପରେ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ଯାଞ୍ଚ ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଗିଦ୍ କରାଯାଇଛି।
ଏଇ ଯାଞ୍ଚ ପରେ କିଛି ନର୍ସିଂ ହୋମ୍ ମାଲିକଙ୍କ ଭିତରେ ଛନକା ପଶିଛି। ଭଦ୍ରକରେ କିଛି ନର୍ସିଂ ହୋମ୍ ମାଲିକ ରୋଗୀଙ୍କୁ ଏଭଳି ଶୋଷଣ କରୁଥିବା ପ୍ରଶାସନ ନଜରକୁ ଆସିଛି। ଏଭଳି ପ୍ରକ୍ରିୟା ଜାରି ରହିଲେ ଆଗାମୀ ଦିନରେ ସେହି ସବୁ ନର୍ସିଂ ହୋମର ଲାଇସେନ୍ସ ରଦ୍ଦ କରାଯିବ ବୋଲି ତାଗିଦ୍ କରାଯାଇଛି।