ଭୁବନେଶ୍ୱର: ରେଳ ଦୁର୍ଘଟଣାରେ ହାତୀମାନଙ୍କ ମୃତ୍ୟୁ ରୋକିବା ପାଇଁ ଏକ ଅଭିନବ ଉପାୟ ବାହାର କରାଯାଇଛି। ଏଣିକି ରେଳ ଧାରଣା କଡ଼ରେ ଏକ ମେସିନ୍ ଲଗାଯିବ। ସେହି ମେସିନ୍ରୁ ମହୁମାଛି ଶବ୍ଦ ବାହାରିବ, ଯାହା ଫଳରେ ହାତୀମାନେ ଆଉ ରେଳ ଧାରଣା ନିକଟକୁ ଯିବେ ନାହିଁ। ଏହି ଶବ୍ଦ କେବଳ ରେଳ ଆସିବା ସମୟରେ ହିଁ ବାହାରିବ ବୋଲି ଜାଣିବାକୁ ମିଳିଛି। ଢେଙ୍କାନାଳ ଜିଲ୍ଳାର ସଦାଶିବପୁର ଷ୍ଟେସନ୍ରେ ଏହି ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହେବାକୁ ଯାଉଛି। ଝାରସୁଗୁଡ଼ା, କେନ୍ଦୁଝର, ଢେଙ୍କାନାଳ ଡିଏଫଓଙ୍କୁ ଏ ନେଇ ସ୍ଥାନ ଚିହ୍ନଟ ପାଇଁ ନିର୍ଦ୍ଦେଶ ହୋଇଛି। ରେଳ ବିଭାଗ, ଶକ୍ତି ବିଭାଗ ଓ ବନ୍ୟ ବିଭାଗର ମିଳିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକ ପରେ ଅତିରିକ୍ତ ପିସିସିଏଫ୍ ସୁଦର୍ଶନ ପଣ୍ଡା ଏ ନେଇ ସୂଚନା ପ୍ରଦାନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଓ୍ଵାଇଲ୍ଡ ଲାଇଫ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆ ଅନୁସାରେ ୧୯୮୭ ମସିହାରୁ ୨୦୧୭ ମସିହା ଭିତରେ କେବଳ ରେଳ ଦୁର୍ଘଟଣାରେ ୨୬୬ ହାତୀଙ୍କ ଜୀବନ ଯାଇଛି। ଗତ ଏପ୍ରିଲ୍ରେ ଝାରସୁଗୁଡ଼ା ଜିଲ୍ଲାର ତେଲିଧି ଗ୍ରାମ ନିକଟସ୍ଥ ରେଳ ଧାରଣା ପାର୍ ହେଉଥିବା ବେଳେ ହ୍ଵାଓଡା-ମୁମ୍ବାଇ ଏକ୍ସପ୍ରେସ୍ ଦ୍ୱାରା ପିଟି ହୋଇ ୪ ହାତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏଣୁ ରେଳବାଇ ପକ୍ଷରୁ ରେଳ ଧାରଣା କଡ଼ରେ ଯେଉଁ ଡିଭାଇସ୍ ଲଗାଇବାର ଯୋଜନା କରାଯାଇଛି ରେଳ ଆସିବା ସମୟରେ ସେଥିରୁ ୬୦୦ ମିଟର ପର୍ଯ୍ୟନ୍ତ ମହୁମାଛିର ଶବ୍ଦ ଶୁଣାଯିବ। ମହୁମାଛିର ଶବ୍ଦକୁ ହାତୀମାନେ ଭୟ କରୁଥିବା ହେତୁ ସେମାନେ ଆଉ ରେଳ ଆସିବା ସମୟରେ ସେଠାକୁ ଆସିବେ ନାହିଁ। ଫଳରେ ରେଳ ଦୁର୍ଘଟଣାଜନୀତ ହାତୀ ମୃତ୍ୟୁକୁ ରୋକାଯାଇ ପାରିବ।