ବାରିପଦା: ଗତଥର ଏତେବେଳକୁ ମୟୂରଭଞ୍ଜ ପାଇଁ ସର୍ବାଧିକ ବିପଦର କାରଣ ପାଲଟିଥିବା ପଡ଼ୋଶୀ ପଶ୍ଚିମବଙ୍ଗ ଚଳିତ ବର୍ଷ ଠିକ୍ ଏହି ସମୟରେ ପୁନର୍ବାର ଆହ୍ବାନ ଛିଡ଼ା କରିଛି। ପଶ୍ଚିମବଙ୍ଗରେ ଦେଖାଯାଇଥିବା କରୋନାର ନୂତନ ମ୍ୟୁଟାଣ୍ଟ୍ ସମଗ୍ର ଦେଶ ପାଇଁ ଭୟର ବାତାବରଣ ସୃଷ୍ଟି କରିଛି। ଏନେଇ ଜିଲ୍ଲାରେ ଭୟ ବଢ଼ିଛି। ଫଳରେ ଗତକାଲି ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗ ସହିତ ଲାଗିଥିବା ମୟୂରଭଞ୍ଜ ସୀମା ସିଲ୍ କରିବା ସହିତ ଆଜିଠାରୁ ଆରମ୍ଭ ହୋଇଛି କଡ଼ା ଚେକିଂ।
ତେବେ ଆଜି ସକାଳୁ ବିଳମ୍ବରେ ପୁଲିସ ଚେକିଂ ଆରମ୍ଭ କରିଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଥିଲା। ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚାନ୍ଦୁଆ, ଝାରପୋଖରିଆ ଥାନାର ପରିସୀମା ଏହି ପଡ଼ୋଶୀ ରାଜ୍ୟକୁ ଲାଗି ରହିଛି। ତେବେ ଚଳିତ ବର୍ଷ କେବଳ ଚକଶୁଳିଆପଦା ଓ ହାତିବାରୀରେ ହିଁ ଦୁଇଟି ଚେକ୍ପୋଷ୍ଟ କରାଯାଇଛି। ଗତଥର ଏହି ସମୟ ବେଳକୁ ଜିଲ୍ଲାରେ ୨୨ଟି ଚେକ୍ପୋଷ୍ଟ କାର୍ଯ୍ୟକ୍ଷମ ଥିଲା। ମାତ୍ର ଚଳିତ ଥର ଏହାକୁ ଦୁଇରେ ସିମୀତ ରଖାଯାଇଛି। ଅନ୍ୟାନ୍ୟ ଛୋଟ ଛୋଟ ରାସ୍ତାକୁ ଏହି ଦୁଇ ମୁଖ୍ୟ ଚେକ୍ପୋଷ୍ଟକୁ ଡାଇଭର୍ଟ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ସ୍ମିତ୍ ପି ପରମାର ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2021/04/IMG-20210423-WA0009-1024x552.jpg)
ଏବେ କେବଳ ଜିଲ୍ଲାରେ ଥିବା ପୁଲିସ କର୍ମଚାରୀ ହିଁ ଏହି ଦୁଇ ଚେକ୍ପୋଷ୍ଟରେ ନିୟୋଜିତ ଅଛନ୍ତି। ମାତ୍ର ଆବଶ୍ୟକ ପଡ଼ିଲେ ଚେକ୍ପୋଷ୍ଟ ସହିତ ପୁଲିସ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯିବବୋଲି ଏସ୍ପି ଶ୍ରୀ ପରମାର୍ ସୂଚନା ଦେଇଛନ୍ତି। ଏହି ଦୁଇ ଚେକ୍ପୋଷ୍ଟରେ ଆଜିଠାରୁ ଚେକିଂ ଆରମ୍ଭ ହୋଇଥିଲେ ମଧ୍ୟ ମୋରଡ଼ା, ରାସଗୋବିନ୍ଦପୁର, ଶୁଳିଆପଦା ବ୍ଲକ୍ର ବିଭିନ୍ନ ଗଳାବାଟ ଓ ଗ୍ରାମାଞ୍ଚଳ ରାସ୍ତାଦେଇ ଜିଲ୍ଲାକୁ ଶହ ଶହ ସଂଖ୍ୟାରେ ଅନୁପ୍ରବେଶ ହେଉଛି। ଏହି ତିନି ବ୍ଲକ୍ ଅଧିନରେ ଆସୁଥିବା ସମସ୍ତ ମୁଖ୍ୟ ରାସ୍ତା ସମେତ ଗ୍ରାମାଞ୍ଚଳ ରାସ୍ତାରେ ଏଯାବତ ୨୪ ଘଣ୍ଟିଆ ପୁଲିସ ବନ୍ଦୋବସ୍ତ ହୋଇପାରିନାହିଁ। ଉଭୟ ପଟୁ ଏବେ ମଧ୍ୟ ଗାଡ଼ି ଚଳାଚଳ ସହିତ ଲୋକଙ୍କ ଗମନାଗମନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିନଥିବା ଦୃଷ୍ଟିଗୋଚର ହୋଇଛି।
ଆଜି ମଧ୍ୟ ଏହି ସବୁ ସୀମା ରାସ୍ତାରେ ଲୁଚାଛପାରେ ଚାଲିଛି ଅନୁପ୍ରବେଶ। ମୋରଡ଼ା ବ୍ଲକ୍ ଟୁକପଳାଶିଆ, ଧିରେଇଡିହି, ମାରୁଡିହି ଆଦି ସ୍ଥାନରେ ପଶ୍ଚିମବଙ୍ଗ ପଟୁ ଶ୍ରମିକ ଶ୍ରେଣୀର ଲୋକ ଏବେବି ଜିଲ୍ଲାକୁ ପଶୁଛନ୍ତି। ବାରିପଦା ଆଦି ସ୍ଥାନମାନଙ୍କରେ ମୁର୍ଶିଦାବାଦ ଶ୍ରମିକଙ୍କ ଉପସ୍ଥିତି ଏବେ ସ୍ପଷ୍ଟ ଅଛି।
/sambad/media/post_attachments/wp-content/uploads/2021/04/IMG-20210423-WA0006-1024x560.jpg)
ସେହିପରି ରାସଗୋବିନ୍ଦପୁର ବ୍ଲକ୍ କେସିପୁର, ଶୁଳିଆପଦା ବ୍ଲକ୍ର କାଠସିର୍ସା, ଭଦୁଆଶୋଳ ଭଳି ସୀମାନ୍ତବର୍ତ୍ତୀ ସ୍ଥାନଗୁଡ଼ିକରେ ଅତି ସନ୍ତର୍ପଣରେ ପଶ୍ଚିମବଙ୍ଗ ପଟୁ ଲୋକ ଜିଲ୍ଲା ଭିତରକୁ ପଶୁଛନ୍ତି। ଚକଶୁଳିଆପଦାରୁ ବାଘଡ଼ା ମଧ୍ୟରେ ପ୍ରାୟ ୩୦ରୁ ଊର୍ଧ୍ବ ଗଳାବାଟ ରହିଛି। ଏହି ଗ୍ରାମାଞ୍ଚଳ ରାସ୍ତା ଦେଇ ପଶ୍ଚିମବଙ୍ଗକୁ ସହଜରେ ଯାତାୟତ କରିହେଉଛି। ସେହିପରି କାଠସିର୍ସି ଓ ବିଶୁଶୋଳ ନିକଟରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାକୁ ଗୋଟିଏ ରାସ୍ତା ହିଁ ଦୁଇଭାଗ କରୁଛି। ତେଣୁ ସତର୍କ ଦୃଷ୍ଟି ନରଖିଲେ ଅବାଧ ପ୍ରବେଶ କରିବା ଆଦୌ କଷ୍ଟ ନୁହେଁବୋଲି ମତପ୍ରକାଶ ପାଇଛି।
ସୀମା ସୁରକ୍ଷା ଏବଂ ପଶ୍ଚିମବଙ୍ଗ ପଟୁ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇବାକୁ ଚାହିଁଲେ ସୀମାନ୍ତବର୍ତ୍ତୀ ସ୍ଥାନୀୟ ଜନପ୍ରତିନିଧିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। କାରଣ ନିତିଦିନିଆ ପ୍ରକ୍ରିୟାରେ ହିଁ ପଶ୍ଚିମବଙ୍ଗ ପଟୁ ଲୋକମାନେ ମୟୂରଭଞ୍ଜକୁ ଆସିଥାଆନ୍ତି। ଏହି ପ୍ରକ୍ରିୟାକୁ କେବଳ ସ୍ଥାନୀୟ ଜନପ୍ରତିନିଧିମାନେ ହିଁ ଅଟକାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ। ତେଣୁ ବିଳମ୍ବ ନକରି ପ୍ରଶାସନ ସ୍ଥାନୀୟ ଜନପ୍ରତିନିଧି ଏବଂ ସଂଗଠନକୁ ଏଥିନିମନ୍ତେ ନିୟୋଜିତ କରିବାକୁ ଦାବି ହୋଇଛି। ତେଣୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜନପ୍ରତିନିଧିଙ୍କ ସହିତ ଉତ୍ତମ ସମନ୍ବୟ ରକ୍ଷା ପୂର୍ବକ ବେଆଇନ ପ୍ରବେଶକାରୀଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବା ସମୟର ଆହ୍ବାନ ବୋଲି ମତପ୍ରକାଶ ପାଇଛି।
/sambad/media/post_attachments/wp-content/uploads/2021/04/IMG-20210423-WA0001-1024x576.jpg)
ସେହିପରି ଉକ୍ତ ଅଞ୍ଚଳରେ ଆଶା, ଅଙ୍ଗନବାଡ଼ି ଦିଦି, ଏଏନ୍ଏମ ଆଦି ସ୍ବାସ୍ଥ୍ୟକର୍ମୀଙ୍କ ସହାୟତାରେ ଘରକୁ ଘର ବୁଲି ସର୍ଭେ କରାଯାଉ ବୋଲି ମତପ୍ରକାଶ ପାଇଛି। ଯାହାଫଳରେ ପଶ୍ଚିମବଙ୍ଗରୁ ଆସିଥିବା କିମ୍ବା ଯାଇଥିବା ଲୋକଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଇପାରିବ। ଏହି ପ୍ରକ୍ରିୟା ପୂର୍ବ ବର୍ଷ ଅନୁସରଣ କରାଯାଇଥିଲା। ଆଜିସୁଦ୍ଧା ସ୍ଥାନୀୟ ଜନପ୍ରତିନିଧି କିମ୍ବା ସ୍ବାସ୍ଥ୍ୟକର୍ମୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇନାହିଁ। ଯାହାକି ଆଗକୁ ଅସୁବିଧାଜନକ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟଯେ ଆଜି ସୁଦ୍ଧା ଜିଲ୍ଲାରେ ୧୫, ୬୧୩ ଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି। ସରକାରୀ ଭାବେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୯୩ ହୋଇଥିଲେ ମଧ୍ୟ ଏହି ସଂଖ୍ୟା ଶତାଧିକ ହୋଇସାରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Mayurbhanja-border-23_Thumb.jpg)