ବ୍ରହ୍ମପୁର : ବ୍ରହ୍ମପୁର ଏମ୍ଏସିଟି କୋର୍ଟରୁ ଚେକ୍ ଗାଏବ୍ କରିବା ଘଟଣାରେ କ୍ରାଇମ୍ବ୍ରାଞ୍ଚ୍ ଜଣେ ଆଇନଜୀବୀଙ୍କୁ ଗିରଫ କରିଛି। ଗିରଫ ଆଇନଜୀବୀ ଜଣକ ହେଉଛନ୍ତି ଗାନ୍ଧୀନଗର ସ୍ପେକ୍ଟ୍ରମ୍ କଲୋନିର ଶ୍ୟାମସୁନ୍ଦର ସାହୁ। କ୍ରାଇମ୍ବ୍ରାଞ୍ଚ୍ ଟିମ୍ ଟାଉନ୍ ଥାନା ପୁଲିସ ସହାୟତାରେ ତାଙ୍କୁ ଗିରଫ କରି ସଂଧ୍ୟାରେ କୋର୍ଟ ଚାଲାଣ କରିଛି।
ସୂଚନା ଅନୁସାରେ, ଗତ ୨୦୧୬ରେ ମୋଟର୍ ଯାନ ଦୁର୍ଘଟଣା ଜନିତ ମାମଲାର ଶୁଣାଣି କରି ୩ଜଣଙ୍କୁ ୫ଲକ୍ଷ ୫୫ହଜାର ଟଙ୍କାରେ ଚେକ୍ ପ୍ରଦାନ କରିବାକୁ ବ୍ରହ୍ମପୁର ଏମ୍ଏସିଟି କୋର୍ଟ ରାୟ ଦେଇଥିଲେ। ଏହି ରାୟ କ୍ରମେ ମୃତକଙ୍କ ଆବେଦନକରୀଙ୍କ ନାମରେ ଚେକ୍ ଆସିଥିଲା। କିନ୍ତୁ ଗତ ୨୦୨୧ରେ କୋର୍ଟ ପରିସରରୁ ଆବେଦନକାରୀଙ୍କ ପାଇଁ ଆସିଥିବା ସେହି ୫ଲକ୍ଷ ୫୫ହଜାର ଟଙ୍କାର ୫ଟି ଚେକ୍ ଗାଏବ ହୋଇ ଯାଇଥିଲା। ଏ ନେଇ ଏମ୍ଏସିଟି କୋର୍ଟ ଜଜ୍ ଜିଲ୍ଲାଜଜ୍ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାଜଜ୍ଙ୍କ ନିର୍ଦ୍ଦେଶ କ୍ରମେ ଏକ ଫ୍ୟାକ୍ଟ୍ ଫାଇଣ୍ଡିଂ ଟିମ୍ ଗଠିତ ହୋଇଥିଲା। ଘଟଣାର ତଦନ୍ତ ପରେ ସେହି ଟିମ୍ ତାଙ୍କର ରିପୋର୍ଟ ଦେଇଥିଲେ। ଉକ୍ତ ରିପୋର୍ଟକୁ ଆଧାର କରି ଜିଲ୍ଲାଜଜ୍ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମ୍ବ୍ରାଞ୍ଚ୍ରେ ଗତ ୨୦୨୧ରେ କେସ୍ ନମ୍ବର ୧୬/୨୧ରେ ମାମଲା ରୁଜୁ ହୋଇଥିଲା। କ୍ରାଇମ୍ବ୍ରାଞ୍ଚ୍ ଟିମ୍ ଘଟଣାର ତଦନ୍ତ କରିଥିଲା। ବ୍ରହ୍ମପୁର ଆସି ଛାନ୍ଭିନ୍ କରିଥିଲା। ତଦନ୍ତରେ ଜଣା ପଡ଼ିଥିଲା ଯେ ଆଇନଜୀବୀ ଶ୍ୟାମସୁନ୍ଦର ସେହି ଚେକ୍ ଗାଏବ କରି ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ୍ରେ ଜମା କରିଛନ୍ତି। ଅନ୍ୟପଟେ ୩ଜଣଙ୍କ ମଧ୍ୟରୁ ଜଣେ ଆବେଦନକାରୀ ୨୦୨୦ରେ ମୃତ୍ୟୁବରଣ କରି ସାରିଥିଲେ। ତାଙ୍କର ଚେକ୍ ମଧ୍ୟ ବ୍ୟାଙ୍କ ଆକାଉଣ୍ଟ୍ରେ ଜମା କରାଯାଇଥିବା ଜଣାପଡ଼ିଥିଲା। ଏପରିକି ଆଇନଜୀବୀ ଶ୍ୟାମ ସୁନ୍ଦର ତାଙ୍କର ଆକାଉଣ୍ଟ୍କୁ ଟଙ୍କା ଟ୍ରାନ୍ସଫର୍ କରିଥିବା ମଧ୍ୟ ଜଣାପଡ଼ିଥିଲା। କୋର୍ଟଙ୍କ ବିନା ଅନୁମତିରେ ଚେକ୍ ନେଇଥିବାରୁ ଶେଷରେ କ୍ରାଇମ୍ବ୍ରାଞ୍ଚ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।