ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କ୍ରମଶଃ କାୟା ମେଲାଉଛି । ଅନ୍ୟପକ୍ଷରେ ଦେଶର ମହାରାଷ୍ଟ୍ର ଭଳି କିଛି ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ମଧ୍ୟ ଆରମ୍ଭ ହେଲାଣି । ତେଣୁ ସଂକ୍ରମଣ ରୋକିବାକୁ ଆଗକୁ  ଚେକିଂ ଏବଂ ଚଢ଼ାଉ ଜୋରଦାର ହେବ ବୋଲି କହିଛନ୍ତି ଏସଆରସି ପ୍ରଦୀପ୍ତ ଜେନା । ରାଜ୍ୟରେ ଏବେ ହୋଲି ଓ ଦୋଳ ପାଇଁ କଟକଣା ଜାରି ହୋଇଛି । ଏହାସହ ଚେକିଂ ଜୋରଦାର କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ପୁଣି ଆସିଲାଣି, ତେଣୁ ସମ୍ବେଦନଶୀଳ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ବିମାନ ବନ୍ଦରରେ ମଧ୍ୟ ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି । ଏହାସହ ସରପଞ୍ଚଙ୍କୁ କୁହାଯାଇଛି ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖି ତଥ୍ୟ ଦେବା ପାଇଁ । ଓଡ଼ିଶାରେ ନାଇଟ କର୍ଫ୍ୟୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏସଆରସି ପ୍ରଦୀପ୍ତ ଜେନା ।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୯ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୭୧୯ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୫ ହଜାର ୯୯୪ ସଂକ୍ରମିତ ଓ ଏବେ ବି ସକ୍ରିୟ ଅଛନ୍ତି ୭୫୪ ଜଣ ଆକ୍ରାନ୍ତ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୪ ଜଣ, ବରଗଡ଼ରୁ ଜଣେ, ଭଦ୍ରକରୁ ୩ ଜଣ, ବଲାଙ୍ଗୀରରୁ ୨ ଜଣ, କଟକରୁ ୨୬ ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୪ ଜଣ, ଜଗତ୍‌ସିଂହପୁରରୁ ଜଣେ, ଯାଜପୁରରୁ ୪ ଜଣ, ଝାରସୁଗୁଡ଼ାରୁ ୩ ଜଣ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ୨ ଜଣ, କେନ୍ଦୁଝରରୁ ଜଣେ, ‌ଖୋର୍ଦ୍ଧାରୁ ୧୪ ଜଣେ, ମୟୂରଭଞ୍ଜରୁ ୧୫ ଜଣ, ନବରଙ୍ଗପୁରରୁ ଜଣେ, ନୂଆପଡ଼ାରୁ ଜଣେ, ପୁରୀରୁ ୩ ଜଣ, ରାୟଗଡ଼ାରୁ ୩ ଜଣ, ସମ୍ବଲପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୧୬ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।