କଟକ: ଆଜି ଠାରୁ ସାରା ରାଜ୍ୟରେ ୧୫ ଦିନିଆ ଲକଡାଉନ ଆରମ୍ଭ ହୋଇଥିବାବେଳେ କଟକରେ ଆରମ୍ଭ ହୋଇଛି କମିସନରେଟ ପୁଲିସର ଜୋରଦାର ଚେକିଂ। ସହରରେ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବା ପାଇଁ ସକାଳ ୬ ଟାରୁ ଦିନ ୧୨ ପର୍ଯ୍ୟନ୍ତ ଅନୁମତି ରହିଛି। ଏହାସହ ପରିବା ମାର୍କେଟରେ ଭିଡ ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସିଏମସି ପକ୍ଷରୁ ଅସ୍ଥାୟୀ ପରିବା ମାର୍କେଟ ଆରମ୍ଭ କରାଯାଇଛି।

Advertisment

ଛତ୍ରବଜାରର ପରିବା ବିକାଳିଙ୍କୁ ଚାଉଳିଆଗଞ୍ଜ ଖେଳ ପଡିଆ ଓ ବାଦାମବାଡ଼ି-ଲିଂକରୋଡ ରାସ୍ତା ଅନୁମତି ଦିଆଯାଇଛି ପରିବା ବିକ୍ରି କରିବା ପାଇଁ। ଅତ୍ୟନ୍ତ ଜରୁରୀ ପରିସ୍ଥିତି ନଥିଲେ କେହି ଘରୁ ବାହାରିବେ ନାହିଁ ବୋଲି କମିସନରେଟ ପୁଲିସ ପକ୍ଷରୁ ସୂଚନା ରହିଥିବାବେଳେ ଆଜି ଅମାନିଆଙ୍କ ଠାରୁ ଫାଇନ ଆଦାୟ କରୁଥିବା ମଧ୍ୟ ନଜରକୁ ଆସିଛି। ତେବେ ସହରରେ ଗତକାଲି ରାତି ଠାରୁ ସହରର ସମସ୍ତ ଛକ ବଜାର ସିଲ ମଧ୍ୟ କରାଯାଇଛି।

ସହରର ପ୍ରମୁଖ ଅଂଚଳରେ ୩୩ଟି ଚେକ ପୋଷ୍ଟରେ ପୁଲିସ ମୁତୟନ କରାଯାଇଛି। ୫୦ଟି ଚାରି ଚକିଆ ଗାଡି ଓ ୪୦ଟି ବାଇକରେ ପୁଲିସ ସହର ସାରା ପଇଁତରା ମଧ୍ୟ ମାରୁଛନ୍ତି। ପ୍ରତ୍ୟେକଟି ଚେକ ପୋଷ୍ଟରେ ଜଣେ ଏସ୍ଆ‌ଇ ଦାୟିତ୍ୱରେ ରହିବା ସହିତ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପୁରା ସହରର ସୁରକ୍ଷାରେ ୭ ଜଣ ଏସପି, ୨୨ଜଣ ଇନସ୍ପେକ୍ଟର, ୮୬ ଜଣ ଏସ୍ଆ‌ଇ ଓ ଏଏସ୍ଆ‌ଇ, ୧୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିଛନ୍ତି। ଥାନା ଗାଡ଼ି ଓ ପିସିଆର ଭ୍ୟାନକୁ ମିଶାଇ ୪୧ଟି, ବାଇକ ପିସିଆର ୪୦ ବାଦ ଅତିରିକ୍ତ ୧୦ଟି ଘରୋଇ ଚାରି ଚକିଆ ଗାଡିକୁ ପୁଲିସ ପାଟ୍ରୋଲିଂରେ ନିୟୋଜିତ କରାଯାଇଛି। ସକାଳ ୫ଟା ରୁ ଦିନ ୨ଟା ଏବଂ ୨ଟା ରୁ ରାତି ୧୧ଟା ଏଭଳି ଦୁଇଟି ପର୍ଯ୍ୟାୟରେ ପୁଲିସ ଅଫିସର ଓ କର୍ମଚାରୀ ଡ୍ୟୁଟି କରିବେ।