ନୂଆପଡ଼ା : ନୂଆପଡ଼ା ଜିଲ୍ଲାକୁ ଲାଗିଥିବା ଓଡ଼ିଶା- ଛତିଶଗଡ଼ ସୀମାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ ଓ କଟକଣାର ‌‌ଜୋରଦାର କରାଯାଇଛି। ରାଜ୍ୟ ସରକାର ୧୦ ତାରିଖରୁ ଓଡ଼ିଶାରୁ ଛତିଶଗଡ଼କୁ ସମସ୍ତ ପ୍ରକାର ଗମନାଗମନ ବ୍ୟବସ୍ଥାକୁ ବନ୍ଦ କରିଛନ୍ତି। ଶନିବାର ନୂଆପଡ଼ା ସୀମାନ୍ତ ଖରିଆର ରୋଡ଼ରେ ଓଡ଼ିଶା ଛତିଶଗଡ଼ ସୀମାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚେକ୍‌ପୋଷ୍ଟ କରି ଜୋରଦାର ଯାଞ୍ଚ କରାଯାଇଛି। ସେହିପରି ଛତିଶଗଡ଼ ଲୋକଙ୍କୁ ସଂପୂର୍ଣ୍ଣ ଭାବେ ନୂଆପଡ଼ା ଯିବାଆସିବା ଉପରେ କଣାକଣା ଜାରି କରାଯାଇଛି।

Advertisment

publive-image

ଶନିବାର ସକାଳେ ନୂଆପଡ଼ା ଏଏସ୍‌ପି ସୁନୀଲ ଅଚାର୍ଯ୍ୟ, ନୂଆପଡ଼ା ଏସ୍‌ଡିପଓ ପ୍ରଶାନ୍ତ ପଟ୍ଟନାୟକ, ନୂଆପଡ଼ା ତହସିଲଦାର ଦେବେନ୍ଦ୍ର ରାଉତ, ଖରିଆର ରୋଡ଼ ଏନ୍‌ଏସି ନିର୍ବାହୀ ଅଧିକାରୀ କର୍ଣ୍ଣ ସୁନା, ନୂଆପଡ଼ା ଏନ୍‌ଏସି ଇଓ ରାମଚନ୍ଦ୍ର ମାଝୀ, ଖରିଆର ରୋଡ଼ ଜୋଙ୍କ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଛତିଶଗଡ଼ ସୀମାନ୍ତରେ ଚେକ୍‌ପୋଷ୍ଟ କରି ଛତିଶଗଡ଼ରୁ ଆସୁଥିବା ଲୋକଙ୍କୁ ପ୍ରବେଶ ବାରଣ କରିବା ସହ ଜରୁରୀ କାମ ହେଲେ କରୋନା ପରୀକ୍ଷା ରିପୋର୍ଟ ଦେଖାଇ ଅନୁମତି ଦେଉଛନ୍ତି। ଚେକ୍‌ପୋଷ୍ଟରେ ଦିନରାତି ଲୋକଙ୍କ ଯାତାୟାତ ଉପରେ ନଜର ରଖିଛନ୍ତି। ନୂଆପଡ଼ା ତହସିଲଦାରଙ୍କ ସୂଚନା ଅନୁସାରେ, କୌଣସି ବସ୍‌କୁ ଛଡ଼ାଯିବ ନାହିଁ। ଯଦି କୌଣସି ବ୍ୟକ୍ତି ନିଜଗାଡ଼ିରେ ଓଡ଼ିଶା ସୀମାକୁ ପ୍ରବେଶ କରିବା ପାଇଁ ଚାହିବ ତାଙ୍କୁ ୭୨ ଘଣ୍ଟା ଭିତରେ କରାଯାଇଥିବା କୋଭିଡ-୧୯ ରିପୋର୍ଟ ନେଗେଟିଭ୍‌ ଦେଖାଇବା ଆବଶ୍ୟକ। ଉକ୍ତ ରିପୋର୍ଟ ନଥିଲେ ତାଙ୍କୁ ୭ଦିନ ସଂଗରୋଧରେ ରହିବା ପାଇଁ ଏକ ଲିଖିତ ଭାବେ ପ୍ରଶାସନକୁ ଜଣେଇବାକୁ ପଡ଼ିବ ବୋଲି ସୂଚନା ଦେଇଛନ୍ତି। ଛତିଶଗଡ଼ ସୀମାକୁ ପ୍ରବେଶ ପାଇଁ ଯେତେ ରାସ୍ତା ରହିଛି ସେ ସବୁ ଅଞ୍ଚଳର ସବୁ ସରପଂଚ, ସମିତିସଭ୍ୟ, ଅଙ୍ଗନୱାଡ଼ି କର୍ମୀ ଓ ୱାର୍ଡସଭ୍ୟଙ୍କୁ ପ୍ରଶାସନ ତରଫରୁ ନିର୍ଦେଶ ଦିଆଯାଇଛି। ଛତିଶଗଡ଼ରୁ ଓଡ଼ିଶା ଆସୁଥିବା ଲୋକଙ୍କ ସବିଶେଷ ତଥ୍ୟ ରଖିବାକୁ ପଞ୍ଚାୟତଗୁଡ଼ିକୁ ନିର୍ଦେଶ ଦିଆଯାଇଛି। କିନ୍ତୁ ଖାଦ୍ୟ ସାମଗ୍ରୀ ଧରି ଆସୁଥିବା ସମସ୍ତ ଯାନବାହନକୁ ଓଡ଼ିଶାରେ ପ୍ରବେଶ ପାଇଁ କୌଣସି କଟକଣା ନାହିଁ ବୋଲି ତହସିଲଦାର ସୂଚନା ଦେଇଛନ୍ତି।