ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଭାରତରେ ଦୌଡ଼ିବେ ଚିତା

ଭୁବନେଶ୍ବର : ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଭାରତରେ ପୁଣି ଦୌଡ଼ିବେ ଚିତା ବାଘ। ଘଣ୍ଟା ପ୍ରତି ୧୧୨କିମି ବେଗରେ ଦୌଡ଼ୁଥିବା ଏହି ବନ୍ୟପ୍ରାଣୀଙ୍କୁ ପୁଣିଥରେ ଭାରତୀୟ ଜଙ୍ଗଲରେ ଛାଡ଼ିବାକୁ କେନ୍ଦ୍ର ସରକାର ରୂପରେଖ ପ୍ରସ୍ତୁତ କରି ସାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ତଥା ସେପ୍ଟେମ୍ବର ୧୭ରେ ମଧ୍ୟପ୍ରଦେଶର କୁନୋ ପାଲପୁର ଜାତୀୟ ଉଦ୍ୟାନରେ ଚିତାଙ୍କୁ ଛଡ଼ାଯିବ। ଏଥିପାଇଁ ଉଦ୍ୟାନ ପରିସରରେ ୮୦୦ କିମିର ସ୍ବତନ୍ତ୍ର ଏନ୍‌କ୍ଲୋଜର୍‌ ପ୍ରସ୍ତୁତ ହୋଇଛି। ନାମ୍ବିଆର ପ୍ରତିନିଧିମାନେ ଏକାଧିକ ଥର ଆସି ଏନ୍‌କ୍ଲୋଜର ଦେଖି ଯାଇଛନ୍ତି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି ବୋଲି ଚିଡ଼ିଆଖାନା ନିର୍ଦେଶକଙ୍କ ଜାତୀୟସ୍ତରୀୟ ସମ୍ମିଳନୀକୁ ଉଦ୍‌ଘାଟନ କରି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି।

୮୦୦ କିମିର ଏନ୍‌କ୍ଲୋଜର୍‌ ପ୍ରସ୍ତୁତ
ଆଜି ସମୀକ୍ଷା କରିବାକୁ ଯିବେ କେନ୍ଦ୍ରମନ୍ତ୍ରୀ
ଚିଡ଼ିଆଖାନାର ଭିତ୍ତିଭୂମି ସୁଦୃଢ଼ କରିବାକୁ ହେବ ରୢାଙ୍କିଙ୍ଗ୍‌

ହୋଟେଲ ମେ’ ଫେୟାରଠାରେ ଅନୁଷ୍ଠିତ ଏହି ଦୁଇ ଦିନିଆ ସମ୍ମିଳନୀରେ ଯୋଗଦେଇ ସେ ଆହୁରି କହିଲେ କେନ୍ଦ୍ର ସରକାର ପ୍ରଥମଥର ପାଇଁ ଅନ୍ତଃଦେଶୀୟ ବାଘ ସ୍ଥାନାନ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଏକ ଦଶନ୍ଧିରୁ ଅଧିକ ସମୟ ହେଲା ଏହି ଯୋଜନା କାର୍ଯ୍ୟକାରୀ କରିବା ଲାଗି ଚିନ୍ତନ ଚାଲିଥିଲେ ହେଁ ସଫଳତା ମିଳିପାରି ନଥିଲା। ୧୯୫୨ରେ ଭାରତରେ ବିଲୁପ୍ତ ବୋଲି ଘୋଷଣା ହୋଇଥିବା ଚିତା ନିଜର ଶିକାର ଧରିବାକୁ ଘଣ୍ଟା ପ୍ରତି ୭୦ରୁ ୧୧୨ କିମି ବେଗରେ ଦୌଡ଼ିପାରେ। ଖୁବ୍‌ କମ୍‌ ସମୟ ମଧ୍ୟରେ ନିଜର ସ୍ଥାନ ପରିବର୍ତନ କରିବାର କ୍ଷମତା ଏହି ବିରଳ ପ୍ରାଣୀର ରହିଛି। ବିଶ୍ବରେ ଏବେ ମାତ୍ର ୭୧୦୦ ଚିତା ରହିଛନ୍ତି। ଦ. ଆଫ୍ରିକା, ନାମ୍ବିଆ, ବୋ‌ତୋସ୍ବାନା ପରି ଦେଶରେ ଏମାନେ ମୁଖ୍ୟତଃ ସ୍ଥିତି ଜାହିର କରିଛନ୍ତି। ଆଉ କିଛି ଦେଶରେ କାଁ ଭାଁ ଦେଖିବାକୁ ମିଳୁଛନ୍ତି। ଏବେ ଭାରତର ଦୁଇଟି ଚିଡ଼ିଆଖାନାରେ ୪ଟି ଚିତା ରହିଛନ୍ତି। ଏହି ଯୋଜନା ମାଧ୍ୟମରେ ଭାରତରେ ପୁଣି ଚିତା ବଂଶ ବୃଦ୍ଧି ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଶ୍ରୀ ଯାଦବ କହିଲେ କେରଳ ସମେତ ଦେଶର କିଛି ଅଞ୍ଚଳରେ ଥିବା ଚିଡ଼ିଆଖାନାର ଭିତ୍ତିଭୂମି ଦୁର୍ବଳ ରହିଛି। ଆଉ କିଛି ଚିଡ଼ିଆଖାନାକୁ ବିଶ୍ବସ୍ତରୀୟ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ତେଣୁ ଭିତ୍ତିଭୂମି ଦୁର୍ବଳ ଥିବା ଚିଡ଼ିଆଖାନାଗୁଡ଼ିକର ବିକାଶ ଲାଗି କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷ(ସିଜେଡ୍‌ଏ)କୁ ଆକ୍ସନ ପ୍ଲାନ କରିବାକୁ ହେବ। ପ୍ରତିବର୍ଷ ଚିଡ଼ିଆଖାନାଗୁଡ଼ିକର ରୢାଙ୍କିଙ୍ଗ୍‌ କରିବା ଦିଗରେ ପଦକ୍ଷେପ ନିଆଯାଉ। ଯେଉଁ ଚିଡ଼ିଆଖାନା ଦୁର୍ବଳ ରହିଛନ୍ତି ସେମାନଙ୍କୁ ମେଣ୍ଟରିଂ ସିଷ୍ଟମରେ ବିକାଶ କରିବାକୁ ସିଜେଡ୍‌ଏ ଆଗେଇ ଆସିବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଚିଡ଼ିଆଖାନାଗୁଡ଼ିକର ବିକାଶ ଲାଗି କେନ୍ଦ୍ର ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମତପ୍ରକାଶ କରିଥିଲେ। ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନନ୍ଦନକାନନକୁ ବିଶ୍ବସ୍ତରୀୟ କରିବାକୁ ନିଆଯାଉଥିବା ପଦକ୍ଷେପ ‌ସମ୍ପର୍କରେ ସବିଶେଷ ତଥ୍ୟ ରଖିଥିଲେ। ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ ସିଜେଡ୍‌ଏ ପକ୍ଷରୁ ଦେଶର ୧୫ଟି ଚିଡ଼ିଆଖାନାକୁ ବିଶ୍ବସ୍ତରୀୟ କରିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି। ଯେଉଁଥିରେ ନନ୍ଦନକାନନ ରହିଛି। ରାଜ୍ୟ ସରକାର ମଧ୍ୟ ଏହି ପ୍ରାଣୀ ଉଦ୍ୟାନର ବିକାଶ ଲାଗି ୫-ଟି କାର୍ଯ୍ୟକ୍ରମ ମାଧ୍ୟମରେ ଏକାଧିକ ପଦକ୍ଷେପ ହାତକୁ ନେବା ସହ ସ୍ବତନ୍ତ୍ର ବଜେଟ୍‌ ପ୍ରସ୍ତୁତ କରିଥିବା ସେ କହିଥିଲେ। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସିଜେଡ୍‌ଏର ସଦସ୍ୟ ସଚିବ ସଞ୍ଜୟ ଶୁକ୍ଳା ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର