ବ୍ରଜରାଜନଗର : କେବଳ କଂଗ୍ରେସ ହିଁ ପୂର୍ବ ଗୌରବ ଫେରାଇ ଆଣିବ। ବ୍ରଜରାଜନଗର ଉପନିର୍ବାନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଚାରରେ ସାମିଲ୍ ହୋଇ ଏହା କହିଛନ୍ତି ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଚେଲା କୁମାର।
ଦଳୀୟ ପ୍ରାର୍ଥୀ କିଶୋର ପଟେଲଙ୍କ ସପକ୍ଷରେ ପ୍ରଚାର କରିବାପାଇଁ ଆଜି କଂଗ୍ରେସ ନେତା ଚେଲା କୁମାର ଏଠାରେ ପହଞ୍ଚିଥିଲେ। ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ରଖି କହିଥିଲେ, ବ୍ରଜରାଜନଗର ବିଧାନସଭା କ୍ଷେତ୍ର ବିଜେଡି ସରକାର ଦ୍ୱାରା ଉପେକ୍ଷିତ ହୋଇଆସିଛି। କେବଳ କଂଗ୍ରେସ ହିଁ ଏହାର ଗୌରବ ଫେରାଇ ଆଣିପାରିବ। ବ୍ରଜରାଜନଗରରେ ପ୍ରତିଷ୍ଠିତ ଓରିଏଣ୍ଟ କାଗଜକଳ ଯୋଗୁ ହଜାର ହଜାର ଲୋକ ନିଯୁକ୍ତି ପାଇଥିଲେ। ୨୨ ବର୍ଷ ହେବ ଏହା ବନ୍ଦ ପଡ଼ିଛି। ହେଲେ, ରାଜ୍ୟ ସରକାର ଏହାକୁ ଚାଲୁ କରିବା ନେଇ ଆନ୍ତରିକତା ଦେଖାଉ ନାହାନ୍ତି। ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲଙ୍କୁ ବିଜୟୀ କରିବାକୁ ଚେଲା କୁମାର ନିବେଦନ କରିଥିଲେ। ସେଠାରେ ଉପସ୍ଥିତ ଥିବା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, କଂଗ୍ରେସର ଉତ୍ଥାନର ନୁହେଁ, ଏହା ଓଡ଼ିଶାର ବିକାଶର ପ୍ରଶ୍ନ। ୨୨ ବର୍ଷ ଧରି ଗୋଟିଏ ସରକାର ଶାସନ କଲାଣି, ରାଜ୍ୟର ପ୍ରଗତି ପାଇଁ କ’ଣ ହୋଇଛି ବୋଲି ସେ ପ୍ରଶ୍ନ କରିଥିଲେ। କେବଳ ନିର୍ବାଚନ ଆଗରୁ କିଛି ଯୋଜନା କରି ଲୋକଙ୍କୁ ଟଙ୍କା ଦେଇ ନିର୍ବାଚନ ଜିତୁଛନ୍ତି। ଯେତେଦିନ ପର୍ଯ୍ୟନ୍ତ ଓଡ଼ିଶାର ଜନସାଧାରଣ ସ୍ୱାଭିମାନୀ ହୋଇନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ରାଜ୍ୟରୁ ଗରିବୀ ହଟିବ ନାହିଁ ଓ ସୁଶାସନ ମିଳିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ନବନିଯୁକ୍ତି ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ, କଂଗ୍ରେସ ସପକ୍ଷରେ ଏହି ନିର୍ବାଚନ ଫଳାଫଳ ଯିବ। ୨୨ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ଅଞ୍ଚଳବାସୀଙ୍କୁ ମୌଳିକ ସୁବିଧା ଦେବାରେ ବିଫଳ ହୋଇଛନ୍ତି। ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଚାଷୀ ସମସ୍ୟା ପେଟ୍ରୋଲ ଦାମ ବୃଦ୍ଧି ଆଜି ମୁଖ୍ୟ ସମସ୍ୟା ହୋଇଛି। ସେହିପରି ବିଧାୟକ ନରସିଂହ ମିଶ୍ର କହିଥିଲେ, ଶାସକ ଦଳ ଯଦି ୫୦ ହଜାର ଭୋଟ୍ ବ୍ୟବଧାନରେ ଜିତିବେ ବୋଲି ଭାବୁଛନ୍ତି, ତେବେ ସେମାନେ (ମନ୍ତ୍ରୀ ମାନେ) ଟିକେ ପ୍ରତିଜ୍ଞା କରି ଯାଆନ୍ତୁ। ଯଦି ୫୦ ହଜାର ଅଧିକ ଭୋଟରେ ଜିତିବେ ନାହିଁ ତେବେ ଲଣ୍ଡା ହେବେ କି ବୋଲି ପ୍ରଶ୍ନ କରିଥିଲେ।
ଆଜି ନେହରୁଙ୍କର ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦଳୀୟ କାର୍ଯ୍ୟାଳୟରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବିଧାୟକ ପ୍ରାର୍ଥୀ କିଶୋର ପଟେଲ, ଯଜ୍ଞେଶ୍ବର ବାବୁ , ବିଧାୟକ ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ, ବିଧାୟକ ରାଜନ ଇକ୍କା, ବିଧାୟକ ସୁର ରାଉତରାୟ, ବିଜୟଲଷ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/chela-kumar.jpg)