ବିତର୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଲେ ଚେଲ୍ଲାକୁମାର : ଯାହା କରିଛି କଂଗ୍ରେସ, ତୁମେ କ’ଣ କରିଛ?
ମାସକ ଭିତରେ ଛାମୁଆ ସଂଗଠନର ପୁନର୍ଗଠନ
ଭୁବନେଶ୍ୱର : ବିକାଶ ନାଁରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବୋକା ବନାଇଛନ୍ତି। ବିଜେପି ସହିତ ହାତ ମିଳାଇ ବିଜେଡି ସରକାର ଦୋହରା ଖେଳ ଖେଳୁଛନ୍ତି। ରାଜ୍ୟରେ ଯାହା ବି ବିକାଶ ହୋଇଛି କେବଳ କଂଗ୍ରେସ ସରକାର ସମୟରେ ହୋଇଥିଲା। କିନ୍ତୁ ବିଜେଡି ଓ ବିଜେପି ପରି କଂଗ୍ରେସ ସେସବୁର ପ୍ରଚାର କରିପାରିନି। ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ତଥା ସାଂସଦ ଏ.ଚେଲ୍ଲାକୁମାର ଆଜି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗର ଲମ୍ବା ତାଲିକା ଦେଇଛନ୍ତି। ରାଜ୍ୟରେ କଂଗ୍ରେସ ସରକାର ସମୟରେ କଣ ବିକାଶ ହୋଇଥିଲା ତାକୁ ନେଇ ସେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ଖୋଲା ବିତର୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି। ସେହିପରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କେବଳ ପ୍ରଚାର, ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି।
ଶ୍ରୀ ଚେଲ୍ଲାକୁମାାର କହିଛନ୍ତି, ଯେଉଁ ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀମାନେ ଚାହିଁଲେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରନ୍ତି ନାହିଁ, ସେ ରାଜ୍ୟର ବିକାଶ କଣ ତାହା ସମସ୍ତଙ୍କୁ ଜଳ ଜଳ ଦିଶୁଛି। ଓଡ଼ିଶାରେ ଯାହା ବି ବିକାଶ ହୋଇଛି ତାହା କେବଳ କଂଗ୍ରେସ ସରକାର ସମୟର ହୋଇଥିଲା। ଶିଳ୍ପାୟନଠାରୁ ଆରମ୍ଭ କରି ପର୍ଯ୍ୟଟନ ସବୁକ୍ଷେତ୍ରରେ ରୋଜଗାର ସୁଯୋଗ ସୃଷ୍ଟି କରିବାରେ ତାଙ୍କ ଦଳ ସଫଳ ହୋଇଥିଲା। କିନ୍ତୁ ଦୀର୍ଘ ୨୧ ବର୍ଷ ବିଜେଡି ଶାସନ ସମୟରେ ବିକାଶ ନାଁରେ ଖାଲି ପ୍ରଚାର ଚାଲିଛି। ହିସାବ ଦେଇ ସେ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳରେ ପର୍ଯ୍ୟଟନକୁ ଶିଳ୍ପର ମାନ୍ୟତା ଦିଆଯାଇଥିଲା। ରାଉରକେଲା ଇସ୍ପାତ କାରଖାନାଠୁ ଆରମ୍ଭ କରି ପାରାଦୀପ ଠାରେ ଆଇଓସିଏଲ ପ୍ରକଳ୍ପ ଓ ଭୁବନେଶ୍ବର ଏମ୍ସ ମେଡିକାଲ କଂଗ୍ରେସ ସରକାର ପାଇଁ ସମ୍ଭବ ହୋଇପାରିଛି। ୭ରୁ ୮ଟି ବୃହତ ଜଳସେଚନ ପ୍ରକଳ୍ପ ସହ ସ୍ଥାନୀୟ ଆଖୁଚାଷୀଙ୍କ ଅର୍ଥନୈତିକ ବିକାଶ ପାଇଁ ପ୍ରତିଷ୍ଠା ହୋଇଥିବା ୮ଟି ଚିନିକଳ ଏବେ ମାତ୍ର ୨ଟିରେ ସୀମିତ ରହିଛି। ଏବେ ସେ ୨ଟି ଚିନିକଳର ଅବସ୍ଥା କଣ ତାହା ସମସ୍ତଙ୍କୁ ଜଣା। ଶିଳ୍ପଠାରୁ ଜଳସେଚନ ସବୁକିଛି କଂଗ୍ରେସ ସରକାର ସମୟରେ ସମ୍ଭବ ହୋଇଥିଲା। ଏବର ଭୁବନେଶ୍ବର ଆନ୍ତର୍ଜାତିକ ବିମାନବନ୍ଦର କଂଗ୍ରେସ ସରକାରଙ୍କ ଅବଦାନ। ଦୀର୍ଘ ୨୧ ବର୍ଷ ଭିତରେ ଆଉ ଗୋଟିଏ ବି ଏଭଳି ବିମାନବନ୍ଦର ସରକାର କରିପାରିନାହାନ୍ତି। ଅଥଚ ରାଜ୍ୟର ସରକାର ଏବର କେନ୍ଦ୍ର ସରକାରଙ୍କ ସ୍ବରରେ ଖାଲି ହଁ ମିଳାଇ ଚାଲିଛନ୍ତି।
ସେ ଆହୁରି କହିଛନ୍ତି, କୋଭିଡ ମହାମାରୀରେ ରାଜ୍ୟରେ ୮ ଲକ୍ଷ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଲେ। ରାଜ୍ୟକୁ ଫେରିଲେ ଶ୍ରମିକମାନଙ୍କୁ ରୋଜଗାର ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କାମଧନ୍ଦା ନ ମିଳିବାରୁ ସେମାନଙ୍କ ଭିତରୁ ୫୦% ପୁଣି ବାହାର ରାଜ୍ୟକୁ ଫେରିଲେଣି। ଅଥଚ ଏଠି ମୁଖ୍ୟମନ୍ତ୍ରୀ କୁହନ୍ତି ‘ଆପଣମାନେ ଖୁସି ତ?’ ବାସ୍ତବରେ ରାଜ୍ୟବାସୀ ଏହିଭଳି ସରକାରରେ କିଭଳି ଖୁସି ରହିଥିବେ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ମହିଳା ନିର୍ଯାତନାରେ ରାଜ୍ୟ ଦୁଇ ନମ୍ବରରେ ଅଛି। ଅତୀତରେ କଂଗ୍ରେସ ସରକାର ସମୟରେ ଏପରି କିଛି ଭଉଣୀମାନଙ୍କ ଉପରେ ଅତ୍ୟାଚାର ଯୋଗୁଁ ଦଳକୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି। ରାଜ୍ୟ କଂଗ୍ରେସର ସାଂଗଠନିକ ସ୍ଥିତିକୁ ନେଇ ପ୍ରଶ୍ନ ହେବାରୁ ସେ କହିଥିଲେ, ଦେଶ ଓ ରାଜ୍ୟର ବିକାଶ ପାଇଁ ଦଳ ଯାହା ବି କରିଛି ତାହା ଭଲଭାବେ ଲୋକଙ୍କ ପାଖରେ ପହଞ୍ଚିପାରିନି। ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ କିଛିଟା ତ୍ରୁଟି ରହିଥିଲା ବୋଲି ସେ ସ୍ବୀକାର କରିଥିଲେ। କିନ୍ତୁ ଆଗାମୀ ଦିନରେ ଦଳ ନୂଆ ରୂପରେ ଆସିବ। ବିଶେଷକରି ଆସନ୍ତା ୩ ମାସ ଭିତରେ ଦଳରେ ବହୁସଂଖ୍ୟକ ଯୁବକର୍ମୀ ଯୋଗଦେବେ ବୋଲି ଶ୍ରୀ ଚେଲ୍ଲାକୁମାର ଦୃଢୋକ୍ତି ପ୍ରକାଶ କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ଜଳସେଚନ ସୁବିଧା କଂଗ୍ରେସ ସରକାର ସମୟରେ ଯେତିକି ହୋଇଛି ସେତିକିରେ ରହିଯାଇଛି। ନିର୍ବାଚନ ସମୟରେ ଚାଷୀଙ୍କୁ କାଳିଆ ସହାୟତା ବାଣ୍ଟିଲେ। ନିର୍ବାଚନ ସରିବା ପରେ ଭୁଲିଗଲେ। ୨୦୧୧ରେ ସେ ପ୍ରଥମ କରି ପିସିସି ସଭାପତି ଭାବେ ଦାୟିତ୍ବ ନେବା ପରେ ରାଜ୍ୟର ୩ଟି ପୌର ନିର୍ବାଚନରେ କଂଗ୍ରେସ ବିଜୟ ହାସଲ କରିଥିଲା। କଂଗ୍ରେସରେ କିଛିଟା ଭୁଲ ଓ ତ୍ରୁଟି ଥାଇପାରେ କିନ୍ତୁ ସେସବୁକୁ ସଜାଡ଼ି ପୁଣି ଥରେ ଲୋକଙ୍କୁ ବିଶ୍ବାସ ଜିତିବାକୁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଭୁବନେଶ୍ବର ସହରର ଛାତି ଉପରେ ଘଟିଥିବା ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ପାଇଁ ଆଇଓସିଏଲ୍ ଦାୟୀ। କାହିଁକି ତୈଳ କମ୍ପାନିର ଅଧିକାରୀ ଏଥିରେ ଗିରଫ ହେବେନାହିଁ। ଦୁର୍ଘଟଣାରେ କେତେ ଲୋକ ମରିଛନ୍ତି ତାର ହିସାବ ନାହିଁ। ତୈଳ କମ୍ପାନି ଆଇଓସିଏଲର ଭୁଲ ପାଇଁ ଅକାଳରେ ଏତେ ଜୀବନ ଯାଇଛି। କିନ୍ତୁ ଏତେବଡ଼ ଘଟଣା ପରେ ବି ଓଡ଼ିଶାର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପଦୁଟିଏ ନିନ୍ଦା ବି କରୁନାହାନ୍ତି। ଏହା ଦୁର୍ଭାଗ୍ୟଜନକ। କାରଣ ଏହା କେନ୍ଦ୍ର ସରକାରଙ୍କ ସଂସ୍ଥା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଖୋଲାଖୋଲି ମୁହଁ ଖୋଲିବା ଦରକାର। ଏହି ତୈଳ କମ୍ପାନିର ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା କରିବାକୁ କଂଗ୍ରେସ ଦାବି କରୁଛି। ଯେହେତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହାତ ମିଳାଇଛନ୍ତି ସେଥିପାଇଁ ନିନ୍ଦା କରିବାକୁ ସାହସ କରୁନାହାନ୍ତି। ଉଭୟଙ୍କ ଭିତରେ ସଲାକୁସ୍ତି ଚାଲିଛି। ଉଭୟ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ବ ଭଳି କାମ କରୁଛନ୍ତି। ତେଣୁ ଠିକ୍ ସମୟରେ ସେ କିଛି କହିବେନି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଭାରତ ସରକାରଙ୍କ ଏନ୍ସିଆର୍ବି ଦେଇଥିବା ରିପୋର୍ଟକୁ ନେଇ ଶ୍ରୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଗର୍ଜିଥିଲେ। ଏଠି ଆଇନର ଶାସନ ନାହିଁ। ଜଙ୍ଗଲ ଶାସନ ଚାଲିଛି। ପୁଲିସ ପ୍ରଶାସନ ବୋଧୁହୁଏ ନରମ ହୋଇଗଲାଣି କିମ୍ବା କରୋନାରେ ହାଲିଆ ହୋଇଗଲାଣି। ଆମେ ଯଦି ଘର ସଜାଡ଼ିପାରିବୁ ନାହିଁ କି ଲୋକଙ୍କ ପାଖରେ ପହଞ୍ଚିପାରିବୁ ନାହିଁ, ତାହେଲେ ଇତିହାସ ଆମକୁ ଦାୟୀ କରିବ।
ଶ୍ରୀ ମିଶ୍ର ଆହୁରି କହିଛନ୍ତି, ଉତ୍ତରପ୍ରଦେଶରେ ଦଳିତ ଯୁବତୀ ଉପରେ ଅତ୍ୟାଚାର ଘଟଣାରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ରାସ୍ତାକୁ ବାହାରିପଡ଼ିଲେ। ଭାରତବର୍ଷରେ ରାଜନୈତିକ ଦୃଶ୍ୟପଟ୍ଟ ବଦଳିଗଲାଣି। ଯେପରି ଇନ୍ଦିରା ଗାନ୍ଧୀ ସମୟରେ ହୋଇଥିଲା। ରାଜନୀତିକ ଚିତ୍ର ଗୋଟିଏ ଦିନ କଣ ଗୋଟିଏ ରାତିରେ ବି ବଦଳିଯିବା ଅସମ୍ଭବ ନୁହଁ। କୃଷକର ସମସ୍ୟା ନେଇ ସେ କହିଛନ୍ତି, ଓଡ଼ିଶା ସରକାର କୃଷକଙ୍କ ଉପରେ ୨ଟି ଅଧ୍ୟାଦେଶ କରିଦେଲେ। ବିଧାନସଭା ସରିଲା ବିଲ୍ ଆସିଲା ନାହିଁ। ଯଦି ଚାଷୀଙ୍କ ପ୍ରତି ଦରଦ ଅଛି ତାହେଲେ ପୂର୍ବରୁ ଜାରି କରିଥିବା ୨ଟି ଅଧ୍ୟାଦେଶ ପାଇଁ ବିଲ୍ ଆସିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଘୋଷଣା କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, କୋରାପୁଟ ସାଂସଦ ସପ୍ତଗିରି ଉଲାକା ଓ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଉପସ୍ଥିତ ଥିଲେ।