ଗୃହ ବିଭାଗ ଫେଲ୍ ମାରିଛି, ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ନରସିଂହ
ପରୀ ପ୍ରସଙ୍ଗକୁ ନେଇ ବିଜେପି ରାଜନୀତି କରୁଛି: ନିରଞ୍ଜନ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ନାବାଳିକା ଅମ୍ରିତାସ୍ନେହା ସାହୁ ଓରଫ୍ ପରୀ ହତ୍ୟାକାଣ୍ଡ ତାତି ଥମିବାର ନାମ ନେଉନାହିଁ। ଗୋଟିଏ ପଟେ ଏସ୍ଆଇଟି ତଦନ୍ତ ଜାରି ରହିଥିବା ବେଳେ, ଅନ୍ୟପଟେ ଯଦୁପୁର ଗ୍ରାମକୁ ବିରୋଧୀଙ୍କ ଘନ ଘନ ଗସ୍ତ ନିଆଁରେ ଘିଅ ଢାଳିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ କଂଗ୍ରେସର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ନୟାଗଡ଼ ଗସ୍ତରେ ଆସି ପରୀର ବାପା-ମା’ଙ୍କୁ ଭେଟିଛନ୍ତି। ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ଟିମ୍ ଆସିଥିଲା। ସହ ପ୍ରଭାରୀ ଜି. ରୁଦ୍ର ରାଜୁ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ପରୀ ପରିବାରକୁ ଭେଟି ଘଟଣା ବାବଦରେ ଅବଗତ ହୋଇଥିଲେ।
ପରୀ ହତ୍ୟା ତଦନ୍ତ ନେଇ ପୁଲିସର ନିଷ୍କ୍ରିୟତା ବାବଦରେ ପରୀ ବାପା ଅଶୋକ ସାହୁ, ମା’ ସୌଦାମିନୀ କଂଗ୍ରେସ ଟିମ୍କୁ ଜଣାଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପରୀ ବାପା-ମା’ଙ୍କଠାରୁ ପରୀ ନିଖୋଜଠୁ ଆରମ୍ଭ କରି ପୁଲିସ ତଦନ୍ତ, ସେମାନଙ୍କୁ ନିର୍ଯାତନା, ରାଜନୈତିକ ଚାପ, ବାବୁଲି ନାୟକ ଲିଙ୍କ୍ ଆଦି ବାବଦରେ ଗୋଟି ଗୋଟି ତଥ୍ୟ ପଚାରି ବୁଝିଥିଲେ। ଯଦୁପୁର ଗାଁ’ ଦାଣ୍ଡରେ କଂଗ୍ରେସ ପରୀ ପରିବାରଠାରୁ ଘଟଣା ବିଷୟରେ ପୁଙ୍ଖାନୁପୁଙ୍ଖ ପଚାରି ବୁଝଥିଲା। ସେଠାରେ ଉପସ୍ଥିତ ଥିବା ନୟାଗଡ଼ ଏସ୍ଡିପିଓ ନିରଞ୍ଜନ ପାଢ଼ୀଙ୍କୁ ମଧ୍ୟ ନାନା ପ୍ରଶ୍ନ ଶ୍ରୀ ମିଶ୍ର ପଚାରିଥିଲେ।
ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର କହିଛନ୍ତି, ପରୀ ମାମଲାକୁ ନେଇ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାର ବିଚାର କରି ମାନ୍ୟବର ହାଇକୋର୍ଟ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନୟାଗଡ଼ ପୁଲିସ ତଦନ୍ତରେ ଅବହେଳା ନେଇ ଏସ୍ପିଙ୍କୁ ତାଗିଦ୍ କରିଛନ୍ତି, ଏ ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରୀ ମାମଲାର ତଦନ୍ତରେ ନୟାଗଡ଼ ପୁଲିସ ଅର୍ଥାତ୍ ଗୃହ ବିଭାଗ ଫେଲ୍ ମାରିଛି। ତେଣୁ ଗୃହ ବିଭାଗର ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପାରଗତା ପାଇଁ ଇସ୍ତଫା ଦାବି କରିଛନ୍ତି। ନିରଞ୍ଜନ ଆହୁରି କହିଛନ୍ତି, ପରୀ ପ୍ରସଙ୍ଗରେ ବିଜେପି ଅଯଥା ରାଜନୀତି କରୁଛି। ବିଜେଡି-ବିଜେପି ଭାଇଭାଇ, ବାଲେଶ୍ବର ସିଟ୍ ବିଜେପି ହାତରୁ ଖସିଯିବା ପରେ ବିଜେପି ମୁଣ୍ଡ ଚକ୍କର୍ କାଟୁଛି। ସଂସଦରେ ଯେତେ ଆଇନ ପାସ୍ ହୋଇଛି, ଆବଶ୍ୟକ ସଂଖ୍ୟା ନଥାଇ, ବିଜେପି ପ୍ରାର୍ଥୀ ବିଜେଡି ସମର୍ଥନରେ ରାଜ୍ୟସଭା ଯାଇଛନ୍ତି। ସବୁଥିରେ ବିଜେପିକୁ ବିଜେଡି ସମର୍ଥନ କରିଛି। ତେଣୁ ବିଜେଡି- ବିଜେପି ଭାଇ ଭାଇ ବୋଲି ଲୋକ ବୁଝି ସାରିଛନ୍ତି। ଏଣୁ ବିଜେପି ନିଜର ଭାବମୂର୍ତ୍ତି ସୁଧାରିବା ପାଇଁ ପରୀ ପ୍ରସଙ୍ଗରେ ରାଜନୀତି କରୁଛି। ଆମେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବା ବେଳେ, ବିଜେପି ନିରବ କାହିଁକି? ବିଜେପି ସିବିଆଇ ତଦନ୍ତ ଦାବି କରୁଛି। ପୂର୍ବରୁ ଓଡ଼ିଶାର ଯେତେ ମାମଲାର ସିବିଆଇ ତଦନ୍ତ କରିଛି, ତା’ର ଫଳାଫଳ ରାଜ୍ୟବାସୀ ଜାଣିଛନ୍ତି। ନୟାଗଡ଼ ଜିଲ୍ଲା କଂଗ୍ରେସ ପରୀ ମାମଲା ନେଇ ଏସ୍ପି ଅଫିସ୍ ଘେରାଉଠାରୁ ଆରମ୍ଭ କରି, ରାଜ୍ୟ ମାନବାଧିକାର କମିସନ୍ଙ୍କୁ ଭେଟିଛି। ପରୀ ପରିବାର ପାଇଁ ନ୍ୟାୟ ଦାବି କରିଛି। ସେତେବେଳେ ବିଜେପି କେଉଁଠି ଥିଲା ବୋଲି ପିସିସି ସଭାପତି କହିଛନ୍ତି। ବର୍ତ୍ତମାନ ବିଜେପି ଅଯଥା ରାଜନୀତି ନକରୁ ବୋଲି ପିସିସି ସଭାପତି କହିଛନ୍ତି।
କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର, ଘଟଣା ଦିନ ଏହି ଅଞ୍ଚଳରେ କିଏ କିଏ ଥିଲେ, ସ୍ୟାଟେଲାଇଟ୍ ଚିତ୍ର ସଂଗ୍ରହ କରି, ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। କଂଗ୍ରେସ ପ୍ରତିନିଧି ଦଳ ପରୀ ବାପା, ମା’ ସହିତ ଆଲୋଚନା ପରେ, ପରୀର ଶବ ଉଦ୍ଧାର ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ରାଜ୍ୟ କଂଗ୍ରେସ ଟିମ୍ ସହିତ, ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ରଣଜିତ ଦାଶ, ଜିଲ୍ଲା ପର୍ଯ୍ୟବେକ୍ଷକ ନିଶିକାନ୍ତ ମିଶ୍ର, କାର୍ଯ୍ୟକାରୀ ସଭାପତି ହୁସେନ ଖାଁ, ମନୋଜ ସାହୁ ଓ କମଳ ସାହୁଙ୍କ ସମେତ ମହିଳା ଓ ଛାତ୍ର କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ।