ରାଜ୍ୟରେ ରାସାୟନିକ ଦୁର୍ଘଟଣା ମୃତ୍ୟୁ ସଂଖ୍ୟାରେ ହ୍ରାସ

ଚଳିତବର୍ଷ ପ୍ରାଣ ହରାଇଛନ୍ତି ୩୧ଜଣ
କାରଖାନା ଓ ବାଷ୍ପିତ ନିର୍ଦେଶକଙ୍କୁ ବର୍ଷକୁ ୨ଥର ଦୁର୍ଘଟଣାପ୍ରବଣ କାରଖାନାକୁ ପରିଦର୍ଶନ ନିର୍ଦେଶ
ଅଗ୍ନିସେବା ନିର୍ଦେଶାଳୟରେ ଗଠିତ ହେବ ରେସପନ୍ସ କେନ୍ଦ୍ର

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ରାସାୟନିକ କାରଖାନାଗୁଡ଼ିକରେ ହେଉଥିବା ଦୁର୍ଘଟଣାର ମାତ୍ରା କମିଛି। ଚଳିତବର୍ଷ ୩୧ଜଣ ବ୍ୟକ୍ତି ବିଭିନ୍ନ ରାସାୟନିକ କାରଖାନାରେ କାମ କରୁଥିବା ବେଳେ ପ୍ରାଣ ହରାଇଛନ୍ତି। ଯାହାକି ଗତ ୧୦ବର୍ଷ ଭିତରେ ସବୁଠାରୁ କମ୍। ତେବେ ଏହି ସଂଖ୍ୟା କିଭଳି ଆହୁରି କମିବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ବ ଦିଆଯାଇଛି।

ଆଜି ଲୋକସେବା ଭବନରେ ରାଜ୍ୟ ସଂକଟ ସମାଧାନ ବୈଠକ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଥିବା ପ୍ରମୁଖ ଦୁର୍ଘଟଣାପ୍ରବଣ ଘାତକ କାରଖାନାଗୁଡ଼ିକ କାରଖାନା ଓ ବାଷ୍ପିତ ନିର୍ଦେଶାଳୟର ନିର୍ଦେଶକ୍ରମେ ନିଜ ନିଜର ଧାର୍ଯ୍ୟ ପରିଚାଳନା ପ୍ରକ୍ରିୟା ବା ଏସ୍‌ଓପିକୁ ଅପଡେଟ୍‌ କରିବା ପାଇଁ ନିର୍ଦେଶ ଦିଆଯାଇଛି। ରାଜ୍ୟର ୧୩ଟି ଜିଲ୍ଲାରେ ୪୪୯୦ କାରଖାନା ଓ ୨୪୯୭ ବାଷ୍ପିତ କାରଖାନା ରହିଛି। ତହିଁରୁ ୩୫ଟି କାରଖାନା ମାତ୍ରାଧିକ ଦୁର୍ଘଟଣା ପ୍ରବଣ। ଏହାସହ ୫୪୫ଟି କାରଖାନାରେ ଉତ୍ପାଦନ ସମୟରେ ମଧ୍ୟ ହାନିକାରକ ପଦ୍ଧତି ଅବଲମ୍ବନ କରାଯାଉଛି। ନିଆଁ, କାରଖାନାରେ ବିସ୍ଫୋରଣ କିମ୍ବା ବିଷାକ୍ତ ଗ୍ୟାସର ନିର୍ଗମନ ଯୋଗୁଁ ରାସାୟନିକ ଦୁର୍ଘଟଣା ଘଟିଥାଏ। ୨୦୧୦ ମସିହାରେ ରାଜ୍ୟରେ ୧୨୧ଟି ଘାତକ ଦୁର୍ଘଟଣା ହୋଇଥିବା ବେଳେ ୨୦୧୨ ମସିହାରେ ୭୮ଟି ଓ ପରବର୍ତୀ ବର୍ଷଗୁଡ଼ିକରେ ଏହାର ମାତ୍ରା କମିବାରେ ଲାଗିଥିବା ବୈଠକରେ କୁହାଯାଇଥିଲା। ଏହାସହ କାରଖାନା ଓ ବାଷ୍ପିତ ନିର୍ଦେଶାଳୟର ନିର୍ଦେଶକ ବର୍ଷକୁ ୨ଥର ଏସବୁ କାରଖାନା ପରିଦର୍ଶନ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଏହାସହ ସଚେତନା ପାଇଁ ଜିଲ୍ଲା ସଂକଟ ସମାଧାନ ଗ୍ରୁପ୍ (ଡିସିଜି) ଓ ସ୍ଥାନୀୟ ସଂକଟ ସମାଧାନ ଗ୍ରୁପ୍‌ (ଏଲ୍‌ସିଜି)କୁ ନେଇ ନିୟମିତ କାର୍ଯ୍ୟକ୍ରମ କରିବା ପାଇଁ କୁହାଯାଇଛି। ରାଜ୍ୟରେ ଏବେ ୨୯ ଡିସିଜି ଓ ୧୫ ଏଲ୍‌ସିଜି କାର୍ଯ୍ୟ କରୁଛନ୍ତି।

ସେହିପରି ଅଗ୍ନିସେବା ନିର୍ଦେଶାଳୟରେ ଏକ ଜରୁରୀକାଳୀନ ରେସପନ୍‌ସ କେନ୍ଦ୍ର ଗଠନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଆରଏସ୍‌ପି ଓ ଆଇଓସିଏଲ୍ ନିଜ ନିଜ ଅଞ୍ଚଳରେ ହାଜକେମ୍ ଗାଡ଼ି ବ୍ୟବହାର କରିବା ପାଇଁ କୁହାଯାଇଛି। ଅପରପକ୍ଷରେ ବାଲେଶ୍ବର ଓ ପାରାଦୀପ ବ୍ୟତୀତ ଖୋର୍ଧାରେ ଆଇଓସିଏଲ୍ ପକ୍ଷରୁ ଆଉ ଏକ ଜରୁରୀକାଳୀନ ରେସପନ୍ସ ଗାଡ଼ି ରଖିବା ପାଇଁ ନିଷ୍ପତ୍ତି ନେଇଥିବା ବୈଠକରେ କୁହାଯାଇଥିଲା। ଏହି ବୈଠକରେ ଶ୍ରମ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ଶ୍ରମ କମିସନର ତଥା ନିର୍ଦେଶକ ନିରଞ୍ଜନ ସାହୁ, ଶିଳ୍ପ ନିର୍ଦେଶକ ହେମନ୍ତ କୁମାର ଶର୍ମା, ଆଇଟି ସଚିବ ମନୋଜ ମିଶ୍ର, ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା, ପୁଲିସ ମହାନିର୍ଦେଶକ(ଅଗ୍ନିଶମ) ସୁନୀଲ ରୟ, ଶ୍ରମ ସଚିବ ଉମାକାନ୍ତ ନାୟକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର