ଇସ୍ପାତ ସହରରେ ଛେନାପୋଡ଼ ଦିବସ

ରାଉରକେଲା: ନିଜ ପରିଚୟର ସୁରକ୍ଷା ବାବଦରେ ଯୁବପିଢ଼ି ଓଡ଼ିଆମାନଙ୍କ ଭିତରେ କିଛି ବର୍ଷ ହେଲା ବେଶ୍ ଉତ୍ସାହ ଦେଖା ଯାଉଛି। ରସଗୋଲା ପ୍ରସଙ୍ଗରେ ଓଡ଼ିଆମାନେ ଏକାଠି ହୋଇ ଏହାକୁ ନିଜର ବୋଲି ଦାବି କରୁଥିବା ପଡ଼ୋଶୀ ରାଜ୍ୟର ଚକ୍ରାନ୍ତକୁ ଏକପ୍ରକାର ପରାଜିତ କରିଛନ୍ତି। ସେହିପରି କିଛିଦିନ ତଳେ ପାଳିତ ହୋଇଥିବା ବିଶ୍ବ ପଖାଳ ଦିବସ ମଧ୍ୟ ସେହି ଦିଗରେ ଏକ ପ୍ରୟାସ ବୋଲି କହା ଯାଇପାରେ। ଏହାଦ୍ବାରା ଏହା ଏକ ଓଡ଼ିଆ ଖାଦ୍ୟ ବୋଲି ସ୍ବୀକୃତି ପାଇବା ସହିତ ଖାଦ୍ୟଟିର ପ୍ରଚାର ମଧ୍ୟ ହେଉଛି। ସେହି ଧାରାରେ ଆଜି ପ୍ରଥମ ଥରପାଇଁ ଉତ୍ସାହୀ ଓଡ଼ିଆଙ୍କ ଦ୍ବାରା କେତୋଟି ସହରରେ ‘ବିଶ୍ବ ଛେନାପୋଡ଼ ଦିବସ’ ଉତ୍ସାହର ସହିତ ପାଳନ କରା ଯାଇଛି। ରାଉରକେଲାରେ ମଧ୍ୟ ଏହି ଦିବସ ପାଳନ କରିଛନ୍ତି ଅଳ୍ପ କିଛି ସଂଗଠନ।

ଉଲ୍ଲେଖନୀୟ ଯେ ବର୍ତ୍ତମାନ ଓଡ଼ିଶା ସମେତ ଦେଶର ଅନ୍ୟ ଅନେକ ରାଜ୍ୟରେ ଛେନାପୋଡ଼ ପରିଚିତ ଓ ଲୋକପ୍ରିୟ। ତେବେ ଏହାର ଜନ୍ମ ଅଧିକ ଦିନ ନୁହେଁ। କୁହାଯାଏ, ଏହି ଲୋକପ୍ରିୟ ମିଠାଟିର ଜନ୍ମ ‌ନୟାଗଡ଼ରେ। ଏହାର ଉଦ୍ଭାବକ ହେଉଛନ୍ତି ସେଠାକାର ଜଣେ ପ୍ରସିଦ୍ଧ ମିଠା ବ୍ୟବସାୟୀ ସ୍ବର୍ଗତଃ ସୁଦର୍ଶନ ସାହୁ। ‘ଭୁଲ୍‌ବଶତଃ’ ତାଙ୍କ ଦ୍ବାରା ଏହାର ଉଦ୍ଭାବନ ହୋଇଥିଲା। ଶ୍ରୀ ସାହୁଙ୍କର ମିଠା ଦୋକାନ ପ୍ରଥମେ ଦଶପଲ୍ଲାରେ ଥିଲା। ପରେ ସେ ତାହାକୁ ନୟାଗଡ଼ ବଜାରକୁ ସ୍ଥାନାନ୍ତରିତ କରିଥିଲେ। ଦିନେ ରାତିରେ ଦୋକାନ ବନ୍ଦ କରିବା ପୂର୍ବରୁ ରସଗୋଲା ଆଦି ତିଆରି ପରେ ବଳି ପଡ଼ିଥିବା କିଛି ଛେନାରେ ଗୁଡ଼ ଗୋଳାଇ ଶାଳପତ୍ରରେ ପୁଡ଼ିଆଟିଏ ଭଳି କରି ଚୂଲି ଉପରେ ଏକ ପାତ୍ରରେ ରଖି ଦେଇଥିଲେ।

ପାତ୍ରରେ ଢ଼ାଙ୍କୁଣି ଦେଇ ତା’ଉପରେ ମଧ୍ୟ ଚୂଲିରୁ କିଛି ଜଳନ୍ତା ଅଙ୍ଗାର କାଢ଼ି ରଖି ଦେଇଥିଲେ। ପରଦିନକୁ ଛେନା ନଷ୍ଟହୋଇ ଫିଙ୍ଗା ହେବା ବଦଳରେ ସେଥିରେ କିଛି ଗୋଟାଏ ତିଆରି କରିବାର ଯୋଜନା ବୋଧେ ତାଙ୍କ ମୁଣ୍ଡରେ ଥିଲା! ପରଦିନ ସକାଳୁ ଦୋକାନ ଖୋଲିବାବେଳକୁ ଚୂଲି ଉପରେ ଛେନାର ପୋଡ଼ପିଠା ଭଳି ଏକ ଜିନିଷ ତାଙ୍କୁ ଅପେକ୍ଷା କରିଥିଲା। ସେଥିରୁ ଖଣ୍ଡିଏ ପାଟିରେ ପକାଇ ତା’ ସ୍ବାଦରେ ସାହୁଏ ଚମତ୍କୃତ ହେଲେ। ଗରାଖମାନେ ମଧ୍ୟ ଚାଖି ଭାରି ପ୍ରଶଂସା କଲେ। ପରଦିନଠାରୁ ଅନ୍ୟସବୁ ମିଠା ତିଆରି ଛାଡ଼ି ସେ ସେଇଆ ତିଆରିରେ ମାତିଗଲେ। ନାନା ପରୀକ୍ଷାନିରୀକ୍ଷା କରି ଉକ୍ତ ମିଠାପିଠାରେ ଗୁଡ଼ ବଦଳରେ ଚିନି ଓ ଗୁଜରାତି ଆଦି ଅନ୍ୟ ଜିନିଷ ପକାଇଲେ। ସେ ନିଜ ଉଦ୍ଭାବନର ନାଁ ଦେଲେ ‘ଛେନାପୋଡ଼’। ସେହି ଛେନାପୋଡର ସ୍ବାଦ ଏବେ ସାରା ରାଜ୍ୟରେ, ଏପରିକି ଦେଶରେ। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ଏହାକୁ ଭାରି ଭଲ ପାଉଥିଲେ ବୋଲି କୁହାଯାଏ। ଖାଦ୍ୟପ୍ରେମୀ ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ନୟାଗଡ଼ ବାଟେ ଯିବାବେଳେ ପ୍ରତିଥର ବଜାରରେ ଅଟକି ଛେନାପୋଡ଼ ନିଶ୍ଚିତ ଖାଉଥିଲେ। ସୁଦର୍ଶନ ସାହୁଙ୍କର ଜନ୍ମ ୧୯୩୦ରେ, ଏପ୍ରିଲ ୧୧ ତାରିଖରେ। ସେହିଦିନଟିକୁ ଚଳିତ ବର୍ଷଠାରୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ଲୋକେ ପାଳନ କରିବା ଆରମ୍ଭ କରିଛନ୍ତି।

ରାଉରକେଲାରେ ଛେନାପୋଡ଼

ରାଉରକେଲାରେ ଛେନାପୋଡ଼ରେ ଯଥେଷ୍ଟ ଆଦର ରହିଛି। କିଛି ମିଠା ଦୋକାନର ଏ ବାବଦରେ ଭାରି ପ୍ରସିଦ୍ଧି ରହିଛି। ତେବେ ଏଠାରେ ବିକ୍ରି ହେଉଥିବା ଛେନାପୋଡ଼ର ଅଧିକାଂଶ ଭାଗ ନୟାଗଡ଼ ଓ କେନ୍ଦ୍ରାପଡ଼ା ଆଦିରୁ ପ୍ରତିଦିନ ବସ୍‌ରେ ଆସେ। ତାହାକୁ ସ୍ଥାନୀୟ ମିଠା ଦୋକାନୀ ନିଜ ଦୋକାନରେ ବିକ୍ରି କରନ୍ତି। କିନ୍ତୁ ଅଳ୍ପ ହେଲେ ହେଁ କିଛି ବ୍ୟବସାୟୀ ଏହାକୁ ନିଜେ ତିଆରି କରୁଛନ୍ତି। ତାଙ୍କ ଭିତରୁ ସେକ୍ଟର-୫ ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ସାହୁ ମିଷ୍ଟାନ୍ନ ଭଣ୍ଡାରର ଛେନାପୋଡ଼ର ପ୍ରଶଂସକ ଅନେକ।

ସମ୍ବନ୍ଧିତ ଖବର