ପତିତପାବନ ସାହୁ

Advertisment

ଅନୁଗୁଳ: ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ଏହା ବିଜେଡି କବ୍‌ଜାରେ ରହିଆସିଛି। ବିଜେଡିଠାରୁ ଏହି ଆସନ ଛଡ଼ାଇବା ପାଇଁ ଅଗସ୍ତି ବେହେରା ୨ ଥର କଂଗ୍ରେସ ଟିକେଟ୍‌ରେ ଓ ଥରେ ବିଜେପି ଟିକେଟ୍‌ରେ ଲଢ଼ି ପରାଜୟକୁ ସାମ୍‌ନା କରିଛନ୍ତି। ଲଗାତାର ୩ ଥର ହାରିବା ପରେ ମଧ୍ୟ ପୁଣି ଲଢ଼ିବା ପାଇଁ ପାଗ ଭିଡ଼ିଲେଣି। ଏପଟେ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ନେଇ କ୍ଷେତ୍ର ପ୍ରସ୍ତୁତ କଲାଣି। ଏଭଳି ସ୍ଥିତିରେ ଏଥର ଛେଣ୍ଡିପଦା ବିଧାନସଭା କ୍ଷେତ୍ର ବିଜେଡି ଓ ବିଜେପି ଭିତରେ ଏକ ପାରମ୍ପରିକ ଲଢ଼େଇ ଦେଖିବାକୁ ଯାଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ହେଲେ ଏହି ଲଢ଼େଇ ଆହୁରି ରୋଚକ ହେବା ନିଶ୍ଚିତ।

ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ୍‌ ଓ ବଅଁରପାଳ ବ୍ଲକ୍‌ର କିଛି ଅଂଶକୁ ନେଇ ଛେଣ୍ଡିପଦା ବିଧାନସଭା ମଣ୍ଡଳୀ ଗଠନ କରାଯାଇଛି। ଏହା ସମ୍ବଲପୁର ସଂସଦୀୟ କ୍ଷେତ୍ର ଭିତରେ ରହିଛି। ୨୦୧୯ ରେ ଏଠାରୁ ବିଜେଡିର ସୁଶାନ୍ତ କୁମାର ବେହେରା ୭୪,୯୧୧ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିଲେ। ବିଜେପିର ଅଗସ୍ତି ବେହେରା ୬୮, ୧୧୭ ଓ କଂଗ୍ରେସର ସସ୍ମିତା ବେହେରା ୧୬,୫୮୮ ଖଣ୍ଡ ଭୋଟ ପାଇଥିଲେ। ୨୦୦୯ରେ ଏହି ନିର୍ବାଚନମଣ୍ଡଳୀ ଗଠନ ହେବା ପରେ ନାଟକୀୟ ଢଙ୍ଗରେ ଏଠାରୁ ବିଜେଡି ଟିକେଟ ପାଇଥିଲେ ଖଗେଶ୍ବର ବେହେରା। ସେ ୭୦,୯୭୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲାବେଳେ କଂଗ୍ରେସର ଅଗସ୍ତି ବେହେରା ପାଇଥିଲେ ୪୯,୪୮୨ ଖଣ୍ଡ, ବିଏସ୍‌ପି ୬୯୧୬ ଓ ବିଜେପି ୬୯୦୪ ଖଣ୍ଡ ଭୋଟ ପାଇଥିଲେ। ୨୦୧୪ରେ ଖଗେଶ୍ବରଙ୍କୁ ଆଉ ଭରସା କରି ନଥିଲା ବିଜେଡି। ତାଙ୍କ ବଦଳରେ ସୁଶାନ୍ତ ବେହେରାଙ୍କୁ ଦଳ ଟିକେଟ ଦେଇଥିଲା। ସେ ୬୨,୦୩୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। କଂଗ୍ରେସର ଅଗସ୍ତି ବେହେରା ୫୨,୨୨୮ ଏବଂ ବିଜେପିର ସନ୍ତୋଷ ନାଏକ ୧୫,୭୯୧ ଖଣ୍ଡ ଭୋଟ ପାଇଥିଲେ।

ଏ ଯାଏ ଅପରାଜେୟ ବିଜେଡିର ଭୋଟ୍‌ ହାର କମି କମି ଚାଲିଛି
ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ପ୍ରାର୍ଥୀ ହେଲେ ଛେଣ୍ଡିପଦାରେ ‌ବିଜେଡି-ବିଜେପି ଲଢ଼େଇ ରୋଚକ ହେବ

ବିଜେଡି ଲଗାତାର ୩ ଥର ଏଠାରୁ ଜିତିଥିଲେ ମଧ୍ୟ ଦଳର ଭୋଟହାର କମିକମି ଚାଲିଛି। ୨୦୦୯ରେ ୨୦ ହଜାରରୁ ଅଧିକ ଭୋଟରେ ଦଳ ଜିତିଥିଲାବେଳେ ୨୦୧୪ରେ ବ୍ୟବଧାନ ୧୦ ହଜାରକୁ ଖସି ଆସିଥିଲା। ୨୦୧୯ରେ ବିଜୟ ବ୍ୟବଧାନ ଥିଲା ପ୍ରାୟ ୬ ହଜାର ଭୋଟ। ଇତିହାସକୁ ଦେଖିଲେ ଏଠା‌ରେ ବିଜେପି ନିଜ ଶକ୍ତିବୃଦ୍ଧି କରିଚାଲିଛି। ମାତ୍ର କଂଗ୍ରେସ ଲଢ଼େଇକୁ ଆସିପାରୁନି। ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା। ସାରା ଜିଲ୍ଲାରେ ବିଜେଡି ଜିତିଥିଲାବେଳେ ଛେଣ୍ଡିପଦାରୁ ଗୋଟିଏ ଜିଲ୍ଲା ପରିଷଦ ଆସନ ବିଜେପି ଖାତାକୁ ଯାଇଥିଲା। କଂଗ୍ରେସ ସତ୍ତା ହରାଇଥିଲା। ଏଥର ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିବାରୁ ବିଜେପିର ଭୋଟ୍‌ ହାର ବଢ଼ିବା ଆଶାରେ ଅଛନ୍ତି ଦଳୀୟ ନେତା। ଏହି ସବୁ ପରିସଂଖ୍ୟାନ ଦେଖିଲେ ଏଥର ପୁଣି ବିଜେଡି ଓ ବିଜେପି ଭିତରେ କଡ଼ା ମୁକାବିଲା ହେବା ନିଶ୍ଚିତ।

ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ଗଡ଼ ସଜାଡ଼ିବାରେ ଉଭୟ ବିଜେଡି ଓ ବିଜେପି ଲାଗିପଡ଼ିଛନ୍ତି। ଏହା ଭିତରେ ଧର୍ମେନ୍ଦ୍ର ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଘନଘନ ଗସ୍ତ କରୁଥିଲାବେଳେ ବିଜେଡି ବି ପଛରେ ନାହିଁ। ୫-ଟି ସଚିବ ଛେଣ୍ଡିପଦାରୁ ଫେରିଲା ପରେ ସହ ପର୍ଯ୍ୟବେକ୍ଷକ ଥିବା କୁନ ବିହାରୀ ଦାସ ଏଠାରେ ଡେରା ପକାଇଛନ୍ତି। ଏପଟେ ପ୍ରାର୍ଥୀ ଚୟନ ନେଇ ଉଭୟ ଦଳରେ ସେମିତି ବଡ଼ ଧରଣର ଦ୍ବନ୍ଦ୍ବ ନ ଥିବା କୁହାଯାଉଛି। ବିଜେଡି ପୁଣି ସୁଶାନ୍ତଙ୍କ ଉପରେ ଭରସା କରିପାରେ। ତାଙ୍କ ବ୍ୟତୀତ ବାଗେଡ଼ିଆର ଜଳଧର ସେଠୀଙ୍କ ନାମ ଚର୍ଚ୍ଚାରେ ଅଛି। ଏପଟେ ଅଗସ୍ତିଙ୍କ ଉପରେ ଧର୍ମେନ୍ଦ୍ରଙ୍କ ଆଶୀର୍ବାଦ ଥିବାରୁ ତାଙ୍କ ସମ୍ଭାବନା ଅଧିକ। ତଥାପି ସନ୍ତୋଷ ନାଏକ ଓ ଗୋବିନ୍ଦ ନାଏକଙ୍କ ନାମ ଆଶାୟୀ ତାଲିକାରେ ରହିଛି। କଂଗ୍ରେସର ସସ୍ମିତା ବେହେରା ଲୋକସଭା ପାଇଁ ଆଶାୟୀ ଥିବାରୁ ଦଳର ସ୍ଥିତି ସ୍ପ‌ଷ୍ଟ ହୋଇନି।