ଛେଣ୍ଡିପଦା ରାଜନୀତି: ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ବିଜେଡି

କଡ଼ା ଟକ୍କର୍‌ ଦେବ ବିଜେପି, ବଳ ଗୋଟାଉଛି କଂଗ୍ରେସ

ଅନୁଗୁଳ: ୨୦୦୯ରେ ନୂଆ ନିର୍ବାଚନମଣ୍ଡଲୀ ମାନ୍ୟତା ପାଇବା ପରଠାରୁ ଛେଣ୍ଡିପଦା ବିଧାନସଭା ଆସନରେ ଆଜିପର୍ଯ୍ୟନ୍ତ ଅପରାଜେୟ ରହିଛି ବିଜେଡି। ଗତ ଦୁଇ ପାଳିରେ ବିଜେଡିର ସୁଶାନ୍ତ ବେହେରା ଜିତିଛନ୍ତି ଓ ଏଥର ହାଟ୍ରିକ୍‌ ଲକ୍ଷ୍ୟରେ ରହିଛନ୍ତି। ହେଲେ ବିଜେପି ଏହି ଆସନରେ ଅଧିକ ଫୋକସ୍‌ କରୁଥିବାରୁ ବିଜେଡି ରାସ୍ତା ଏତେ ସହଜ ହେବନାହିଁ। ଏପଟେ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ତେଣୁ ଆଗାମୀ ନିର୍ବାଚନରେ ଛେଣ୍ଡିପଦା କଡ଼ା ମୁକାବିଲା ଦେଖିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ୨୦୦୯ରେ ବିଜେଡି ଟିକେଟ୍‌ରୁ ଲଢ଼ି ଖଗେଶ୍ବର ବେହେରା ବିଜୟୀ ହୋଇଥିଲେ। କିନ୍ତୁ ୨୦୧୪ରେ ବିଜେଡି ତାଙ୍କୁ ଆଉ ଭରସାକୁ ନେଇ ନଥିଲା। ସୁଶାନ୍ତ ବେହେରାଙ୍କୁ ବିଜେଡି ମଇଦାନକୁ ଓହ୍ଲାଇ ସଫଳ ହୋଇଥିଲା। ୨୦୧୯ରେ ତାଙ୍କୁ ଦଳ ଦୋହରାଇଥିବା ବେଳେ ଏଥର ପୁଣି ସୁଶାନ୍ତଙ୍କ ନେତୃତ୍ବରେ ଦଳ ନିର୍ବାଚନକୁ ଓହ୍ଲାଇବା ନେଇ ପ୍ରସ୍ତୁତି ଆରମ୍ଭ କରିଛି। ସୁଶାନ୍ତ ତାଙ୍କ ଅଭିଜ୍ଞତା ଓ ଜନସଂପର୍କକୁ ଆଧାର କରି ନିର୍ବାଚନମଣ୍ଡଳୀ ବୁଲୁଥିବାବେଳେ ବିଜେଡି ଟିକେଟ୍‌ ପାଇଁ ପୂର୍ବତନ ବିଧ‌ାୟକ ଖଗେଶ୍ବର ବେହେରା ଓ ଜଳଧର ସେଠୀ ବି ଲବି ଚଳାଇଛନ୍ତି।

ଏପଟେ ବିଜେପି ପୁଣି ଅଗସ୍ତିଙ୍କୁ ଭରସା କରିଛି। ଗତ ତିନି ନିର୍ବାଚନରେ ସେ ପରାସ୍ତ ହୋଇଥିଲେ ମଧ୍ୟ ନିଜ ଭୋଟ୍‌ ହାର ବଢ଼ାଇ ଚାଲିଛନ୍ତି। ୨୦୧୯ରେ ପ୍ରାୟ ୬ ହଜାର ଭୋଟ୍‌ ବ୍ୟବଧାନରେ ତାଙ୍କୁ ପରାଜୟର ସାମ୍‌ନା କରିବାକୁ ପଡ଼ିଥିଲା। ୨୦୦୯ ଓ ୨୦୧୪ରେ ସେ କଂଗ୍ରେସ ଟିକେଟ୍‌ରେ ଲଢ଼ିଥିଲାବେଳେ ବିଜେପି ଟିକେଟ୍‌ରେ ଲଢ଼ିବା ପରେ ଅଧିକ ସମର୍ଥନ ପାଇଛନ୍ତି। ତେଣୁ ବିଜେପି ତାଙ୍କ ଟିକେଟ୍‌ କାଟିବା ମୁଡ୍‌ରେ ନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏଥିନେଇ ପରୋକ୍ଷରେ ଇସାରା ଦେଇ ସାରିଛନ୍ତି। ତେବେ ଗତ ନିର୍ବାଚନ ପରି ଏଥର କଂଗ୍ରେସ ପ୍ରାର୍ଥୀ ବଦଳିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଅଗସ୍ତି କଂଗ୍ରେସ ଛାଡ଼ି ବିଜେପିରୁ ଯିବା ପରେ ୨୦୧୪ରେ ଏଠାରୁ ପ୍ରାର୍ଥୀ ହୋଇଥିଲେ ସସ୍ମିତା ବେହେରା। ତାଙ୍କୁ ପ୍ରାୟ ସାଢ଼େ ୧୬ ହଜାର ଭୋଟ୍‌ ମିଳିଥିଲା। ଏଥର ସସ୍ମିତା ପୁଣିଥରେ ଲଢ଼ିବାକୁ ଚାହୁଁ ନ ଥିବା ଜଣାପଡ଼ିଛି। ଲୋକସଭା ଆସନରୁ ଲଢ଼ିବାକୁ ନେଇ ସେ ଆଗ୍ରହୀ ଥିବାରୁ ଏଠାରେ ନରୋତ୍ତମ ନାଏକ ଓ ଗୋବିନ୍ଦ ନାଏକଙ୍କ ଭିତରୁ ଜଣଙ୍କୁ କଂଗ୍ରେସ ଆଗକୁ ଆଣିପାରେ। କିଛିଦିନ ତଳେ ଗୋବିନ୍ଦ ନିଜ ଦଳବଳ ସହ କଂଗ୍ରେସରେ ମିଶିଥିବାରୁ ସ୍ବାଭାବିକ ଭାବେ ଟିକେଟ୍‌ ଆଶାୟୀ ଅଛନ୍ତି। ସେହିପରି ରାଜ୍ୟସ୍ତରୀୟ ନେତାଙ୍କ ସହ ସଂପର୍କକୁ ଆଧାର କରି ନରୋତ୍ତମ ଟିକେଟ୍‌ ପାଇବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର