ଅନୁଗୁଳ : ବାହାଘର ହେବାର ଆଶା ଦେଇ ଗାଁରୁ ଝିଅକୁ ଉଠେଇ ନେଲା। ଅନୁଗୁଳଠୁ ଆରମ୍ଭ କରି ପାଳଲହଡା, ସମ୍ବଲପୁର ଆଦି ଅଞ୍ଚଳରେ ରଖି ଶାରୀରିକ ସମ୍ପର୍କ ରଖିଲା। ଦେହ ସୁଖରୁ ମନ ଭରିଗଲା ପରେ ମଧ୍ୟପ୍ରଦେଶରେ ନେଇ  ୮୦ହଜାର ଟଙ୍କାରେ ବିକ୍ରି କରିଦେଲା। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଯୁବତୀ (୩୬ ବର୍ଷ) ପ୍ରେମିକ ବିରୋଧରେ ଏମିତି ସାଙ୍ଘାତିକ  ଅଭିଯୋଗ ଆଣିଛନ୍ତି। ଏତଲା କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଏତଲା ମୁତାବକ, ଏହି ଦଗାଦିଆ ପ୍ରେମିକ ଜଣକ ହେଲେ ଆଠମଲ୍ଲିକ ବାମୁର ଅଞ୍ଚଳର ଟିକନ ନନ୍ଦ। ଟିକନଙ୍କ ସହ ଯୁବତୀଙ୍କର ପ୍ରେମ ସମ୍ପର୍କ ଥିଲା। ତେଣୁ, ଯୁବତୀଙ୍କୁ ବିବାହ କରିବା ଆଶା ଦେଖାଇ ଟିକନ ଗତ ଫେବ୍ରୁଆରି ମାସ ୨୩ ତାରିଖ ଦିନ ଯୁବତୀଙ୍କ ଗାଁ କୁ ଯାଇଥିଲେ। ଟିକନ ସହ ଆଉ ଜଣେ ତାଙ୍କର ସାଙ୍ଗ ବି ଥିଲେ। ଯୁବତୀଙ୍କୁ ଟିକନ ଗାଡ଼ିରେ ଅନୁଗୁଳ ଗୀତଗ୍ରାମକୁ ଆଣିଥିଲେ। ଏଠାରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ଏଠାରୁ ଯୁବତୀଙ୍କୁ ନେଇ ପାଳଲହାଡ଼ା ଯାଇଥିଲା। ସେଠାରେ ବି ଦୁଇ ଦିନ ରହିଥିଲା। ସେଠାରୁ ଉଭୟ ସମ୍ବଲପୁର ଯାଇଥିଲେ। ସେଠାରେ ରହିଲା ପରେ ଟିକନ ଯୁବତୀଙ୍କୁ ମଧ୍ୟପ୍ରଦେଶର ନରସିଂହପୁର ଅଞ୍ଚଳକୁ ନେଇଥିଲା। ସେଠାରେ ଟିକନର ସମ୍ପର୍କୀୟ ପାଖରେ ଉଭୟ ରହିବା ପରେ  ଯୁବତୀଙ୍କୁ ସେଠାରେ ଛାଡି ଦେଇ ଟିକନ ପଳାଇ ଆସିଛି। ଯୁବତୀଙ୍କଠାରୁ ନଗଦ ୬ ହଜାର ଟଙ୍କା ସହିତ ସୁନା କାନଫୁଲ, ସୁନା ଚେନ ନେଇ ପଳାଇଛି ବୋଲି ଯୁବତୀ ଜଣଙ୍କ ନିଜ ଏତଲାରେ ଦର୍ଶାଇଛନ୍ତି।

ମଧ୍ୟପ୍ରଦେଶରେ ଦୁଇ ଜଣ ଯୁବକ ତାଙ୍କୁ ଟାଣି ଟାଣି ରାସ୍ତାରେ ନେଇଥିଲେ। ତାଙ୍କୁ ୮୦ହଜାର ଟଙ୍କାରେ କିଣା ଯାଇଛି। ତେଣୁ, ତାଙ୍କ ସହ ଯିବାକୁ ବାଧ୍ୟ କରିବା ସହିତ ମାଡ଼ ବି ମାରିଥିଲେ। ଏ ସମ୍ପର୍କରେ ସ୍ଥାନୀୟ ପୁଲିସ ଖବର ପାଇ ତାଙ୍କୁ ଉଦ୍ଧାର କରି ସଖୀ ସେଣ୍ଟର୍‌ରେ ରଖିଥିଲା। ମଧ୍ୟପ୍ରଦେଶ ପୁଲିସ ଅନୁଗୁଳ ସଖୀ ସେଣ୍ଟର୍‌ ସହ ଯୋଗାଯୋଗ କରି ଯୁବତୀଙ୍କୁ ଅନୁଗୁଳରେ ଛାଡିଛି। ଯୁବତୀ ଜଣକ ଏବେ ଅନୁଗୁଳ ସ୍ବଧାର ଗୃହରେ ଅଛନ୍ତି। ଯୁବତୀଙ୍କ ଏତଲା କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।