ଚେନ୍ନାଇ: ପୁଣି ଥରେ ଗୋଟିଏ ମ୍ୟାଚ୍ରେ ଜବାବୀ ଶତକ ଦେଖିବାକୁ ମିଳିଛି। ଅଧିନାୟକ ଋତୁରାଜ ଗାଏକ୍ବାଡ୍ଙ୍କ ୧୦୮*କୁ ଫିକା ପକାଇ ଦେଇଛି ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍ ମାର୍କସ ଷ୍ଟୋଇନିସଙ୍କ ୧୨୪*। ମାତ୍ର ୫୬ ବଲ୍ରୁ ଶତକ ହାସଲ କରିଥିବା ଷ୍ଟୋଇନିସ୍ ଶେଷରେ ଚେନ୍ନାଇ ଦେଇଥିବା ୨୧୧ ରନ୍ ବିଜୟ ଲକ୍ଷ୍ୟକୁ ୩ ବଲ୍ ପୂର୍ବରୁ ହାସଲ କରି ନେଇଛନ୍ତି। ଚେନ୍ନାଇ ସୁପର୍ କିଙ୍ଗ୍ସକୁ ନିଜ ପଡ଼ିଆ ଚେପକ୍ରେ ଚିତ୍ପଟାଙ୍ଗ୍ କରି ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ଅଷ୍ଟମ ମ୍ୟାଚ୍ରୁ ପଞ୍ଚମ ବିଜୟ ସହ ଚତୁର୍ଥ ସ୍ଥାନକୁ ଉଠିଛି। ଚେନ୍ନାଇ ଅଷ୍ଟମ ମ୍ୟାଚ୍ରୁ ଚତୁର୍ଥ ପରାଜୟ ବରଣ କରି ପଞ୍ଚମକୁ ଖସିଯାଇଛି। ପଶ୍ଚାତ୍ଧାବନ ବେଳେ କ୍ବିଣ୍ଟନ୍ ଡି’କକ, କେଏଲ୍ ରାହୁଲ, ଦେବଦତ୍ତ ପଡ଼ିକଲ ବିଫଳ ହେବା ପରେ ଷ୍ଟୋଇନିସ୍ (୬୩ ବଲ୍ରୁ ୧୨୪* ରନ୍, ୧୩ ଚୌକା, ୬ ଛକା)ଙ୍କୁ କେବଳ ନିକୋଲାସ ପୂରନ (୧୫ ବଲ୍ରୁ ୩୪ ରନ୍, ୩ ଚୌକା, ୨ ଛକା) ଏବଂ ଦୀପକ ହୁଡ଼ା (୬ ବଲ୍ରୁ ୧୭* ରନ୍, ୨ ଚୌକା, ୧ ଛକା) ସାହା ହୋଇଥିଲେ। ମଙ୍ଗଳବାର ଶେଷ ଓଭରରୁ ୧୭ ରନ୍ ଆବଶ୍ୟକ ପଡ଼ିଥିବାବେଳେ ଷ୍ଟୋଇନିସ୍ (୬, ୪, ନୋ୫, ୪) ସହଜରେ ଶେଷ କରି ଦେଇଥିଲେ। ରାଜସ୍ଥାନ ରୟାଲ୍ସ (୨୨୪, ବନାମ କୋଲକାତା) ପରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ ଚଳିତ ସଂସ୍କରଣରେ ୨୦୦ରୁ ଊର୍ଧ୍ବ ସ୍କୋର୍କୁ ପଶ୍ଚାତ୍ଧାବନ କରି ଜିତିବାରେ ସକ୍ଷମ ହୋଇଛି।
ଚେନ୍ନାଇ ସୁପରକିଙ୍ଗ୍ସର ଦୁଇ ଯୁବ ତାରକା ଋତୁରାଜ ଗାଏକ୍ବାଡ୍ (୧୦୮* ରନ୍, ୬୦ ବଲ୍, ୧୨ ଚୌକା, ୩ ଛକା) ଓ ଶିବମ ଦୁବେ (୬୬ ରନ୍, ୨୭ ବଲ୍, ୩ ଚୌକା, ୭ ଛକା) ପୁଣି ଥରେ ଧମାଲ କରିଛନ୍ତି। ଉଭୟ ଧମାକାଦାର ବ୍ୟାଟିଂ କରି ମିଳିତ ଭାବେ ୮୭ ବଲ୍ରୁ ୧୭୪ ରନ୍ ଯୋଡ଼ିବା ପରେ ଚେନ୍ନାଇ ୪ ୱିକେଟ୍ ବିନିମୟରେ ୨୧୦ ରନ୍ କରିଥିଲା। ଗାଏକ୍ବାଡ୍ଙ୍କ ୫୬ ବଲ୍ ଶତକ ଚେନ୍ନାଇ ପାଳିର ମେରୁଦଣ୍ଡ ଥିଲା ବେଳେ ଦୁବେଙ୍କ ଦବ୍ଦବା ପ୍ରତିପକ୍ଷ ଲକ୍ଷ୍ନୌ ଶିବିରରେ ଭୟର ବାତାବରଣ ସୃଷ୍ଟି କରିଥିଲା। ୟଶ୍ ଠାକୁରଙ୍କୁ ଲଗାତାର ବଲ୍ରେ ଛକା, ଚୌକା, ଚୌକା ମାରି ଗାଏକ୍ବାଡ୍ ଶତକ ପୂରଣ କରିବା ଦର୍ଶକଙ୍କୁ ଉଲ୍ଲସିତ କରିଥିଲା। ଚଳିତ ଋତୁରେ ଏହା ତାଙ୍କର ପ୍ରଥମ ଏବଂ ଆଇପିଏଲ୍ କ୍ୟାରିୟର୍ରେ ଦ୍ବିତୀୟ ଶତକ ଥିଲା। ସେହିଭଳି ଏବର୍ଷ ମୋଟ ଉପରେ ଅଷ୍ଟମ ଥର ପାଇଁ କୌଣସି ଖେଳାଳି ତିନି ଅଙ୍କ ଛୁଇଁଥିଲେ। ଚେନ୍ନାଇର ଚମକଭରା ପାଳିର ଶେଷ ବଲ୍କୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଚୌକା ମାରିଲା ପରେ ସମର୍ଥକଙ୍କ ରଡ଼ିରେ ଚେପକ୍ର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ ପୂରା କମ୍ପି ଉଠିଥିଲା। ଯାହାର ମାତ୍ରା ଥିଲା ରେକର୍ଡ ୧୨୮ ଡେସିବେଲ୍। ଚେନ୍ନାଇର ଆରମ୍ଭ କିନ୍ତୁ ଅନ୍ତ ଭଳି ସୁଖଦ ନଥିଲା। ଅଜିଙ୍କ୍ୟ ରାହାଣେ ପୁଣି ଥରେ ବିଫଳ ହେବାରୁ ଦଳ କେବଳ ୪ ରନ୍ରେ ପ୍ରଥମ ୱିକେଟ୍ ହରାଇଥିଲା। ରାଚିନ ରବୀନ୍ଦ୍ରଙ୍କ ସ୍ଥାନ ନେଇଥିବା ଡାରିଲ ମିଚେଲ ୧୧ ରନ୍ ଆଗକୁ ବଢ଼ି ପାରି ନଥିଲେ। ରବୀନ୍ଦ୍ର ଜାଡ଼େଜା ମନ୍ଥର ବ୍ୟାଟିଂ କରି ୧୯ ବଲ୍ରୁ ୧୬ ରନ୍ରେ ଥିଲା ବେଳେ ପୁଣି ଥରେ ବେପରୁଆ ସଟ୍ ଖେଳି ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ତେବେ ଗାଏକ୍ବାଡ୍-ଦୁବେଙ୍କ ୧୦୪ ରନ୍ର ବିସ୍ଫୋରକ ଭାଗୀଦାରି ଏସବୁ କ୍ଷତିକୁ ସହଜରେ ଭରଣା କରି ନେଇଥିଲା।
ସଂକ୍ଷିପ୍ତ ସ୍କୋର୍: ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୨୧୦/୪ (ଋତୁରାଜ ଗାଏକ୍ବାଡ୍ ୧୦୮*, ଶିବମ୍ ଦୁବେ ୬୬*, ମ୍ୟାଟ୍ ହେନରି ୧/୨୮, ୟଶ୍ ଠାକୁର ୧/୪୭)। ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ୧୯.୩ ଓଭରରେ ୨୧୩/୪ (ମାର୍କସ ଷ୍ଟୋଇନିସ-୧୨୪*, ନିକୋଲାସ ପୂରନ-୩୪, ଦୀପକ ହୁଡ଼ା-୧୭*, ମଥିସା ପଥିରଣା-୨/୩୫, ଦୀପକ ଚହର-୧/୧୧, ମୁସ୍ତାଫିଜୁର ରହମାନ-୧/୫୧)।