ଚେରୁପାଲି ହାଇସ୍କୁଲ ଛାତ୍ରୀଙ୍କ ଆତ୍ମହତ୍ୟା, ନ୍ୟାୟ ଦାବିରେ ଶବ ରଖି ରାସ୍ତାରୋକ

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଚେରୁପାଲି ହାଇସ୍କୁଲ୍‌ର ଛାତ୍ରୀ ରିଙ୍କି ଛୁରାଙ୍କ ଆତ୍ମହତ୍ୟା ଘଟଣାରେ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦାୟୀ କରି ଜିଲ୍ଲା ଭୀମ ଆର୍ମି ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ କରିଥିବା ଜଣାଯାଇଛି। ଅଭିଯୋଗ ଅନୁସାରେ ଚେରୁପାଲି ନିକଟ ପହଣ୍ଡି ଗ୍ରାମର ଚନ୍ଦ୍ର ଛୁରା ଓ ନନ୍ଦିନୀ ଛୁରାଙ୍କ ଝିଅ ରିଙ୍କି (୧୩ ବର୍ଷ) ଚେରୁପାଲି ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ମଙ୍ଗଳବାର ସ୍କୁଲରେ ଶିକ୍ଷକ/ଶିକ୍ଷୟିତ୍ରୀ ରିଙ୍କିଙ୍କୁ କୌଣସି କାରଣରୁ ଆକ୍ଷେପ କରିଥିବା ଯୋଗୁଁ ସେ ଘରକୁ ଯାଇ ଓଢ଼ଣୀରେ ଫାଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ତାକୁ ପ୍ରଥମେ ଡୁଙ୍ଗୁରିପାଲି ଓ ପରେ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ମାତ୍ର ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ।

ରିଙ୍କି ଦଳିତ ଜାତିର ହୋଇଥିବା ଓ ଜାତିଗତ ଉତ୍ପୀଡ଼ନ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଖବର ପ୍ରଚାରିତ ହେବା ପରେ ଭୀମ୍‌ ଆର୍ମି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବୁଧବାର ଭୀମ ସେନା ସମସ୍ତ ଭାରତ ସଂଗଠନ ଓଡ଼ିଶା ପ୍ରଭାରୀ ରମାକାନ୍ତ ରାବଣ, ଓଡ଼ିଶା ସଂସ୍ଥାପକ ସୁବାସ ସୁନା, ପଶ୍ଚିମ ଓଡ଼ିଶା ପ୍ରଭାରୀ ନରେନ୍ଦ୍ର ରାବଣ, ପଶ୍ଚିମ ଓଡ଼ିଶା ସଭାନେତ୍ରୀ ମଞ୍ଜୁ କୁମ୍ଭାର, ସୁବର୍ଣ୍ଣପୁର ଜିଲ୍ଲା ପ୍ରଭାରୀ ସହଦେବ ମହାନନ୍ଦ, ଡୁଙ୍ଗୁରିପାଲି ବ୍ଲକ୍‌ ସଭାପତି ଚକ୍ରଧର ଦୀପ, ଶ୍ରୀମତୀ ତାଣ୍ଡି, ସରୋଜିନୀ କୁମ୍ଭାର, ରେବତୀ କୁମ୍ଭାର, ଗୌରୀ ତାଣ୍ଡି, ଯାଜ୍ଞସେନୀ ତାଣ୍ଡି, ଫରିକର ବିଭାର, ମନୋହର ନାଗ, ଶୁକମନ ନାଗ, ବଳରାମ ତାଣ୍ଡି, ରାଜୁ ତାଣ୍ଡି, ଭୁବନେଶ୍ବର ନାଗ, କାମଦେବ ସୁନା, ପ୍ରକାଶ କୁମ୍ଭାର, ସୁଦାମ ଦୀପ, ଜିତେନ୍ଦ୍ର ବାଗ, ଶିବ ବାଗ, ହେମନ୍ତ ଦୀପ, ରାଜୀବ ବାଗ, ସୁନୀଲ ସାଗର, ସର୍ଜନ ସାଗର, ସହଦେବ ତାଣ୍ଡି, କ୍ଷୀରବତୀ ବାଗ, ଆହ୍ଲାଦିନୀ ସାଗର ଓ ପରିବାର ଲୋକେ ରିଙ୍କିଙ୍କ ଶବ ରଖି ରାସ୍ତାରୋକ ଆନ୍ଦୋଳନ କରିଥିଲେ।

ଘଟଣା ସ୍ଥଳକୁ ରାମପୁର ତହସିଲଦାର ପୁରୁଷୋତ୍ତମ ମିର୍ଦ୍ଧା, ବିଡିଓ ତ୍ରିପୁର ମହାନନ୍ଦ, ଥାନା ଆଇଆଇସି ସତ୍ୟନାରାୟଣ ପଧାନ, ଏସ୍‌ଆଇ ଲକ୍ଷ୍ମୀଧର ପାତ୍ର ଓ ଟଙ୍କଧର ଛତ୍ରିଆ, ଏଏସଆଇ ଏକାମ୍ର ନାହକଙ୍କ ସହ ପୁଲିସ କର୍ମଚାରୀ ପହଞ୍ଚି ଆଲୋଚନା କରିବା ସହ ଆନ୍ଦୋଳନରୁ କ୍ଷାନ୍ତ ହେବାକୁ ଅନୁରୋଧ କରିଥିଲେ। ହାଇସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଥାନାରେ ଥିବା ଯୋଗୁଁ ଆନ୍ଦୋଳନକାରୀମାନେ ସେମାନଙ୍କୁ ଆନ୍ଦୋଳନ ସ୍ଥଳକୁ ଅଣାଯାଉ ବୋଲି ଯିଦ ଧରିଥିବା ପ୍ରକାଶ।

ସମ୍ବନ୍ଧିତ ଖବର