ଡମ୍ବରୁଧର ନାୟକ
ସୁନ୍ଦରଗଡ଼: ଚିରାଫଟା ଶାଢ଼ି ଘେରା କଣ୍ଟାଝାଟିର ବାଡ଼। ତା’ ମଝିରେ ବାଉଁଶ ପାତିଆର ଦରଆଉଜା କବାଟ। ଝାଟିମାଟିର କୁଡ଼ିଆ ପିଣ୍ଡାରେ ବସିଥିଲେ ଜଣେ ବୁଢ଼ୀ ମା’। ଆମକୁ ସାମନାରେ ପାଇ ପ୍ରଶ୍ନିଳ ଆଖିରେ କିଛି ସମୟ ଅନାଇବା ପରେ ନିପଟ ଆଦିବାସୀ ଭାଷାରେ ପଚାରିଲେ କେଉଁଠୁ ଆସିଛ, ଝିଅ ଖବର ଆଣିଛ କି? କେମିତି ଅଛି ସେ, ଏ ବୁଢ଼ୀ ମା’ ପାଖକୁ ଆଉ ଆସିବ କି ନ‌ାହିଁ? ଏକାଥରକେ ଏତେ ପ୍ରଶ୍ନ ପଚାରିବା ଭିତରେ ତାଙ୍କ ଆଖି ଓଦା ହୋଇ ସାରିଥିଲା। ବୋଧେ ସେ ଜାଣି ଯାଇଥିଲେ, ଆମ ପାଖରେ ତାଙ୍କ ଝିଅ ଖବର ନାହିଁ। ବୁଝୁବୁଝୁ ସେହି ଦଦରା ମାଟି କୁଡ଼ିଆରୁ ସାମନାକୁ ଆସିଲା ଝିଅ ଚାଲାଣର ଛାତିଥରା କାହାଣୀ।

Advertisment

ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍‌ର ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତରେ ଥିବା ନିପଟ ଆଦିବାସୀ ଗାଁ ଲୁଲୁକିଡିହିର ଏହି ବୃଦ୍ଧା ଜଣକ ହେଲେ ୭୦ ବର୍ଷୀୟା କାର୍ମିଲା କୁଜୁର। ୪ ଝିଅରେ ଗୋଟିଏ ପୁଅ। କୌଣସି ମତେ ୩ ଝିଅପୁଅଙ୍କ ବିବାହ ସାରି ଦେଇଥିଲେ କାର୍ମିଲା। ହେଲେ ତାଙ୍କ ସାନଝିଅକୁ ମାତ୍ର ୧୩ ବର୍ଷ ହୋଇଥିବାବେଳେ ଦିଲ୍ଲୀରେ ଭଲ ରୋଜଗାର ଯୋଗାଇ ଦେବା ଲୋଭ ଦେଖାଇ ସେଠାରେ କାମ କରୁଥିବା ପଡ଼ୋଶୀ ଝିଅ ନାତିଲିଆ ନେଇ ଯାଇଥିଲା। ଦାରିଦ୍ର୍ୟ ତାଡ଼ନାରେ ପରିବାର କଲବଲ ହେଉଥିବାରୁ ଝିଅର ଦିଲ୍ଲୀ ଯିବାକୁ ମନା କରିପାରି ନଥିଲେ କାର୍ମିଲା।  ଗଲା ପରେ ବ‌ର୍ଷେ ଦି’ ବର୍ଷ ମଝିରେ ମଝିରେ ମା’ ପାଖକୁ ଚିଠି ଓ କିଛି କିଛି ଟଙ୍କା ପଠାଉଥିଲା। ପରେ ପରେ ନା ଚିଠି ଆସିଲା, ନା ଟଙ୍କା। ଦିଲ୍ଲୀରେ ନିଖୋଜ ହୋଇଗଲା ଝିଅ। ଏପରିକି ନାତିଲିଆ ବି କିଛି କହିଲା ନାହିଁ। ପଚାରିଲେ ନାନା କଥା କହି ଏଡ଼ାଇ ଗଲା। ୨୦୧୬‌‌ରେ ସ୍ବାମୀ ଥାନାସ କୁଜୁରଙ୍କ ମୃତ୍ୟୁ ପରେ ଏକା ହୋଇଗଲେ କାର୍ମିଲା। ପୁଅ ବି ବିବାହ ପରେ ଛତିଶଗଡ଼ କୁନକୁରିରେ ଶ୍ବଶୁର ଘରେ ରହୁଛି। ଏବେ ୨୦ ବର୍ଷ ବିତିଗଲାଣି। ଝିଅର ଖୋଜଖବର ମିଳିନି। ଥରେ ତଳସରା ଥାନାକୁ ଯାଇଥିଲେ। ତମେ ନିଜେ ଖୋଜ କହି ଫେରାଇ ଦେଇଥିଲା ପୁଲିସ। ସେଦିନଠୁ କେହି ଧୋବଧଉଳିଆ ବାବୁଙ୍କୁ ଦେଖିଲେ ଏମିତି ଆକୁଳ ହୋଇ ଝିଅ କଥା ପଚାରି ପକାନ୍ତି କାର୍ମିଲା। ହେଲେ ଝିଅ କେଉଁଠି, କେମିତି ଅଛି; କାହାକୁ ଜଣାନ‌ାହିଁ। ସୁନ୍ଦରଗଡ଼ ଜିଲ୍ଲାରେ ଝିଅ ଚାଲାଣର କରୁଣ ଚିତ୍ର ଏ ଗୋଟିଏ ଘଟଣାରେ ସୀମିତ ନୁହେଁ। ୨୦୧୫ ଅଗଷ୍ଟରେ କିଞ୍ଜିରକେଲା ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାକୁ ନିଯୁକ୍ତି ଓ ବିବାହ ପ୍ରତିଶ୍ରୁତି ଦେଇ ଦଲାଲ ମଥୁରା ହାଟକୁ ନେଇ ବିକି ଦେଇଥିଲା।

ବାହାର ରାଜ୍ୟରେ ଶୋଷଣର ଶିକାର ହେଉଛନ୍ତି ହଜାର ହଜାର ଯୁବତୀ

ଥରେ ନୁହେଁ, ଦୁଇଥର ବିକ୍ରି ହୋଇ ନାବାଳିକା ଅନେକବାର ଦୁଷ୍କର୍ମର ଶିକାର ହୋଇଥିଲେ। କୌଶଳକ୍ରମେ ଝିଅଟି ଜହ୍ଲାଦ ହାତରୁ ଖସି ଆସି ହରିୟାଣାରେ ପହଞ୍ଚିବା ପରେ ପୁଲିସ ତାଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ପଠାଇ ଦେଇଥିଲା। ଲୁଲୁକିଡିହିର ଆଉ ଜଣେ ନାବାଳିକାଙ୍କ କାହାଣୀ ତ ଆହୁରି ହୃଦୟ ବିଦାରକ ଥିଲା। ୨୦୧୨ରେ ତ‌ାଙ୍କୁ ଝାଡ଼ଖଣ୍ଡର ଦୁଇ ଦଲାଲ ମାସିକ ୧୫ ହଜାର ଟଙ୍କାରେ କାମ ଦେବେ କହି ଦିଲ୍ଲୀ ନେଇ ଯାଇଥିଲେ। କିନ୍ତୁ ପରେ ଝିଅ କିମ୍ବା ଦଲାଲଙ୍କ ପତ୍ତା ମିଳି ନଥିଲା। ଚାଲାଣର ୪ ବର୍ଷ ପରେ ଝିଅ ଝାଡ଼ଖଣ୍ଡରୁ ଛିଣ୍ଡାକପଡ଼ାରେ ବୁଲୁଥିବା ଅବସ୍ଥାରେ ଉଦ୍ଧ‌ାର ହୋଇଥିଲା। କିନ୍ତୁ ସେତେବେଳକୁ ସେ ପାଗଳୀ ପ୍ରାୟ ହୋଇ ଯାଇଥିଲା। ସେହିପରି ଗତବର୍ଷ କିଞ୍ଜିରକେଲା ଥାନା ଅଞ୍ଚଳରେ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ୨ ଆଦିବାସୀ ନାବାଳିକାଙ୍କୁ ନିଯୁକ୍ତି ଓ ରୋଜଗାର ଲୋଭ ଦେଖାଇ ଦିଲ୍ଲୀ ଚାଲାଣ କରିଥିଲା ଦଲାଲ। ମା’ ଥାନାରେ ଅଭିଯୋଗ କରିଥି‌ଲେ। ହେଲେ ଫଳ ଶୂନ। ଜିଲ୍ଲାରୁ ଯୁବତୀ ଓ ନାବାଳିକା ଚାଲାଣର ତାଲିକା ବହୁତ ଲମ୍ବା। ଗତ ୧୪ ବର୍ଷ ତଳେ ସୁନ୍ଦରଗଡ଼ ଜିଲ୍ଲାର ୧୧ଟି ବ୍ଲକ୍‌ର ୭୧ଟି ପଞ୍ଚାୟତରେ ‘ପ୍ରଗତି’ ଓ ‘ନାୱା’ ଦ୍ବାରା ‌ହୋଇଥିବା ସ‌ର୍ବେକ୍ଷଣରେ ୧୦ ହଜାରରୁ ଅଧିକ ନାବାଳିକା ବାହାର ରାଜ୍ୟକୁ ଚାଲାଣ ହୋଇଥିବା ଜଣାପଡ଼ିଥିଲା। ସର୍ବେକ୍ଷଣ‌ରେ ଗ୍ରାମାଞ୍ଚଳରୁ ୩୪୭୦୭ ଜଣ ପ୍ରାପ୍ତବୟସ୍କ ଝିଅ ଚାଲାଣ ହୋଇଥିବା ସେତେବେଳେ ରିପୋର୍ଟ‌ରେ ପ୍ରକାଶ ପାଇଥିଲା। ତେବେ ବାହାରକୁ ଯାଉଥିବା ଯୁବତୀଙ୍କ ମଧ୍ୟରୁ ଅନେକ ସଂଗଠିତ କ୍ଷେତ୍ରରେ କାମ କରି ଉପଯୁକ୍ତ ରୋଜଗାର ବଳରେ ନିଜ ପରିବାରକୁ ସହାୟ ହେଉଛନ୍ତି। କିନ୍ତୁ ଶିକ୍ଷାର ଅଭାବ ଓ ଅନ୍ୟାନ୍ୟ କାରଣରୁ ସେମାନଙ୍କ ମଧ୍ୟରୁ ପ୍ରାୟ ୨୫% ବାହାର ରାଜ୍ୟରେ ଶୋଷଣର ଶିକାର ହେଉଥିବା ଓ ୧୦% ଯୌନ ଉତ୍ପୀଡ଼ନର ସାମ୍‌ନା କରୁଥିବା ବେସରକାରୀ ସଂଗଠନଗୁଡ଼ିକର ରିପୋର୍ଟ କହୁଛି।